କଣାସ ଡାକ୍ତରଖାନା ସମେତ ପାଞ୍ଚ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚଉଦଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ କାୟାକଳ୍ପ ମାନ୍ୟତା ମିଳିଲା; ସାହାସପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଶ୍ରେଷ୍ଠ ପୁରଷ୍କାର
କଣାସ- ରାଜ୍ୟସ୍ତରୀୟ କାୟାକଳ୍ପ ପୁରଷ୍କାର ଆଜି ଘୋଷଣା ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନର ଚିଠି ସଂଖ୍ୟା 3636 ରେ ଏ ସମ୍ପର୍କରେ ଆଜି ବିଧିବଦ୍ଧ ଘୋଷଣା କରାଯାଇଛି। ପୁରୀ ଜିଲ୍ଲା କଣାସ ବ୍ଲକର ମୋଟ କୋଡ଼ିଏଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଏହି ଶ୍ରେୟ ମିଳିଥିବା ବେଳେ କାଦୁଆ ପଞ୍ଚାୟତରେ ଥିବା ସାହାସପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏକ ଲକ୍ଷ ଟଙ୍କାର ପୁରଷ୍କାର ମିଳିଛି। ପ୍ରକାଶ ଥାଉକି ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ମଂଜୁଲତା ମହାରଣା ସାହାସପୁର ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଚଳିତ ବର୍ଷ ସର୍ବାଧିକ ନବେଟି ଆନୁଷ୍ଠାନିକ ପ୍ରସବ କରାଇ ଜିଲ୍ଲାଅଧିକାରୀ ଓ ରାଜ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ସେଥିପାଇଁ ତାଙ୍କୁ ସବୁ କ୍ଷେତ୍ରରୁ ପ୍ରଶଂସାର ସୁଅ ଛୁଟିଛି । ପ୍ରଥମ ବର୍ଷ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ମାନ୍ୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ସବୁ ବର୍ଷ ଭଳି ବ୍ଲକର ସମସ୍ତ ପାଞ୍ଚଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁନଶ୍ଚ କାୟାକଳ୍ପ ମାନ୍ୟତା ମିଳିଥିବା ବେଳେ ପଞ୍ଚାୟତ ସ୍ତରରେ ଥିବା ଚଉଦ ଗୋଟି ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ଚଳିତବର୍ଷ କାୟାକଳ୍ପ ମାନ୍ୟତା ମିଳିଛି। ଏହି ମାନ୍ୟତା ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିଥିବା ବେଳେ ହରଚଣ୍ଡୀପ୍ରସାଦ, ସାହୁପଡା, ଗଡ଼ିଶାଗଦା, ନନ୍ଦିଗୋଦା ଓ ମନ୍ଦାରବସ୍ତ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରକୁ ପଚାଶ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି। ସେହି ଭଳି ସ୍ୱସ୍ଥ୍ୟ ଉପକେନ୍ଦ୍ର ବର୍ଗରେ ଗଡ଼ସାନପୁଟ, ବକୁ, ଜାଗୁଳେଇପଦର, ବିନ୍ଧଣ, ଗଡ଼ବଳଭଦ୍ରପୁର, ଝାରଡ଼ା, ହରଷପଡା, ତ୍ରିଲୋଚନପୁର, ଗଡଖାରଦ, ଗଡସାହି, ଅଁଳାଜୋଡୀ, କରମଳା ଓ ତିପୁରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ପଚିଶ ହଜାର ଲେଖାଏଁ ପୁରଷ୍କାର ରାଶି ମିଳିଛି।
କଣାସ ବ୍ଲକ ଜିଲ୍ଲାରେ ଉତ୍ତମ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବାରୁ, ଏହି କାର୍ଯ୍ୟରେ ଆପ୍ରାଣ ଚେଷ୍ଟା କରିଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ବ୍ଲକ ପରିଚାଳନା ୟୁନିଟର ବିପିଏମ ଧନେଶ୍ୱର ସ୍ୱାଇଁ, ଶିବପ୍ରସାଦ ଦିକ୍ଷୀତ, କୃଷ୍ଣଚନ୍ଦ୍ର ବରାଳ, ଡାକ୍ତର ବିଶ୍ୱରଞ୍ଜନ ଜେନା, ଦେବାଶିଷ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ନିର୍ମଳ ଓ ସଫେଇ କର୍ମଚାରୀ, ସୁରକ୍ଷା କର୍ମୀ, ଚତୁର୍ଥଶ୍ରେଣୀ କର୍ମଚାରୀ, ନର୍ସିଂ କର୍ମଚାରୀ, ପାରାମେଡିକାଲ କର୍ମଚାରୀ, ଡାକ୍ତର, ଓ ଅନ୍ୟାନ୍ୟ କର୍ମଚାରୀ ଏବଂ ଉପକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଡାକ୍ତର ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେବା ସହିତ ଶୁଭେଛା ଜଣାଇଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହଯୋଗ କରିଥିବାରୁ ରୋଗୀ କଲ୍ୟାଣ ସମିତି, ସ୍ଥାନୀୟ ଲୋକ ପ୍ରତିନିଧି, ବ୍ଲକ ପ୍ରଶାସନ ଓ ଜନସଧାରଣଙ୍କୁ ଉକ୍ତ ସଫଳତାର ଶ୍ରେୟ ଉତ୍ସର୍ଗ କରିଛନ୍ତି। ଆଗାମୀ ଦିନରେ କଣାସ ବ୍ଲକର ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକୁ ଜାତୀୟ ଗୁଣବତ୍ତା ମାନାଙ୍କ (ଏନକ୍ୟୁଏଏସ) ପ୍ରମାଣ ପତ୍ର ପାଇବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ଏବଂ ଖୁବ ଶୀଘ୍ର ଏହି ସଫଳତା ମିଳିବ ବୋଲି ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସମ୍ବିତ ରଞ୍ଜନ ଜେନା ଏବଂ ବିପିଏମ ଧନେଶ୍ୱର ସ୍ୱାଇଁ ଗଣମାଧ୍ୟମକୁ ଜଣାଇଛନ୍ତି। କଣାସ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୩/୨୦୨୩---୭,୨୦ Sakhigopal News,29/3/2023