ଦୁଇ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର :ଥାନା ଆଗରେ ବସିଲେ ଶତାଧିକ ବିଜେଡି କର୍ମୀ
ଜଟଣୀ :ଜଟଣୀ ବ୍ଲକ ଜାମୁକୋଳି ଗାଁରେ ଗତ ଗୁରୁବାର ରାତିରେ ଏକ ଛୋଟିଆ ଗଣ୍ଡଗୋଳ ଘଟିଥିଲା |ସେହି ଘଟଣାରେ ଏୟାରଫିଲଡ ଥାନା ଅଧିକାରୀଙ୍କୁ ଭେଟିବାକୁ ଯାଇଥିବା ଦୁଇ ଜଣ ସରପଞ୍ଚ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ କରି ଜଟଣୀ ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜେଡି କର୍ମୀ ସୋମବାର ଥାନା ସମ୍ମୁଖରେ ଧାରଣା ଦେଇଥିଲେ | ସୂଚନା ମୁତାବକ ଜାମୁକୋଳି ଗାଁ ରେ ଗୁରୁବାର ରାତିରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଶୁକ୍ରବାର ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା |ଆହତ ହୋଇଥିବା ବ୍ୟକ୍ତି ପ୍ରଥମେ ଥାନାରେ ଏତଲା ଦେଇଥିଲେ ଏବଂ ସେହି ଏତଲା କେଶ ନମ୍ବର 75/2023 ରେ ମାମଲା ପଞ୍ଜିକୃତ ହୋଇଥିଲା | କିଛି ଘଣ୍ଟା ପରେ ଅପର ପକ୍ଷରୁ ଜଣେ ମହିଳା ପାଲଟା ଅଭିଯୋଗ ନେଇ ଥାନାରେ ପହଞ୍ଚି ଥିଲେ ଏବଂ ତୁରନ୍ତ ମୋ କେଶ ଟିକୁ ରୁଜୁ କରାଯାଉ ବୋଲି ଜିଦ ଧରିଥିଲେ | ମାମଲାର ସଠିକ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଥାନାଧିକାରୀ କହିଥିଲେ |ଥାନାରୁ ଆସିବା ପରେ ମହିଳା ଜଣଙ୍କ ଜାମୁକୋଳି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ମାନସ ରାଉଳ ଏବଂ ପଞ୍ଚୁପଲ୍ଲୀ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଦୀପକ ଜେନାଙ୍କୁ ସାଥିରେ ନେଇ ପୁନର୍ବାର ଥାନାରେ ପହଞ୍ଚିଥିଲେ | ମାମଲା କୁ ନେଇ ସେଠାରେ ଥାନାଧିକାରୀ ଏବଂ ଦୁଇଜଣ ସରପଞ୍ଚ ପ୍ରତିନିଧିଙ୍କ ମଧ୍ୟରେ ବଚସା ହୋଇଥିଲା |ଦ୍ୱିତୀୟ ପକ୍ଷ ମହିଳା ଦେଇଥିବା ଅଭିଯୋଗକୁ ଆଧାର କରି ଶନିବାର ଦିନ କେଶ ନମ୍ବର 76/2023 ରେ ମାମଲା ରୁଜୁ ହୋଇଛି | ତେବେ ସମ୍ପୃକ୍ତ ମହିଳା ଏବଂ ସରପଞ୍ଚ ପ୍ରତିନିଧି ଆଇଆଇସି ଙ୍କ ବିରୋଧରେ ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗ ମଧ୍ୟ କରିଥିଲେ |ଅଭିଯୋଗ ଅନୁସାରେ ଏୟାରଫିଲଡ ଥାନାଧିକାରୀ ସ୍ଥାନୀୟ ଜାମୁକୋଳି ପଞ୍ଚାୟତ, ପଧାନସାହି ପଞ୍ଚାୟତ ଏବଂ ଅନ୍ୟ ଗାଁ ଗୁଡିକୁ ସାମୁହିକ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରୁଛନ୍ତି | ତେବେ ସୋମବାର ସକାଳୁ ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଏୟାରଫିଲଡ ଥାନା ସମ୍ମୁଖରେ ଆଇଆଇସିଙ୍କ ଦୁର୍ବ୍ୟବହାର ବିରୋଧରେ ଧାରଣା ଦେଇଥିଲେ |ଆଇଆଇସି ଅଶୋକ କୁମାର ନାୟକ ଙ୍କ ବଦଳି ଦାବିରେ ନାରାବାଜି ଦେଇଥିଲେ |ଘଟଣା ସ୍ଥଳରେ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ , ଜୋନ -୨ ଏସିପି ଅନିରୁଦ୍ଧ ରାଉତରାୟ ଏବଂ ଅନ୍ୟ ପୋଲିସ ଅଧିକାରୀ ମାନେ ପହଞ୍ଚି ଧାରଣାରେ ବସିଥିବା ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ସମସ୍ତେ ଧାରଣାରୁ ଉଠିଥିଲେ |ଏହି ଘଟଣାରେ ଜଟଣୀ ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରତିନିଧି ମାନେ ଏୟାରଫିଲଡ ଥାନାଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଛନ୍ତି | ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୩/୨୦୨୩----୯,୪୫ Sakhigopal News,21/3/2023