ବେଲଗୁଣ୍ଠା ବ୍ଳକରେ ପିଇବା ପାଣି ସଂକଟ , ପ୍ରଶାସନ କହୁଛି - "ମହାନଦୀ ପାଣି" ଆସିଲେ ପାଣି ପିଇବେ ଲୋକେ
ଭଞ୍ଜନଗର - ଜଳ-ଯନ୍ତ୍ରଣା ରେ ଦହଗଞ୍ଜ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ଅଧିକାଂଶ ପଞ୍ଚାୟତର ହଜାର ହଜାର ସଂଖ୍ୟକ ଜନସାଧାରଣ ପିଇବା ପାଣିକୁ ନେଇ ଦେଖାଦେଇଛି ସମସ୍ୟା । କେଉଁଠି ଭୂ-ତଳ ଜଳସ୍ତର ହ୍ରାସ ପାଉଥିବାରୁ ପିଇବା ପାଣିର ସଂକଟ ସୃଷ୍ଟି ହୋଉଛି ତ’ ଆଉ କେଉଁଠି ଯୋଜନା କୁ କାର୍ଯ୍ୟକାରୀ କରିବାରେ ବିଭାଗୀୟ ଦାୟିତ୍ବ ହୀନତା , ପିଇବା ପାଣିର ବାଧକ ସାଜିଛି । ଗୋଟିଏ ପଟେ ଲୋକଙ୍କ ଦାବି ଅନ୍ୟପଟେ ବିଭାଗୀୟ ପ୍ରତିଶ୍ରୁତି । ତା’ରି ଭିତରେ ଅଟକି ରହିଛି ପାଣି ଓ ଯୋଜନା । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ଅଧିକାଂଶ ପଞ୍ଚାୟତରେ , ପିଇବା ପାଣିକୁ ନେଇ ଦେଖାଦେଇଛି ବହୁ ସମସ୍ୟା । କେଉଁଠି ପୋଖରୀ-ପାଣି ନେବାପାଇଁ ମହିଳାଙ୍କ ଲମ୍ବାଧାଡି ଲାଗିଛି ତ’ କେଉଁଠି ନଦୀର ଚୁଆପାଣି ଭରସା ପାଲଟିଛି । କେଉଁଠି ଇଛା ନଥିଲେ ବି ପାଣିରୁ ଲୁହାଗୁଣ୍ଡ ବାହାରୁଥିବା ନଳକୂଅ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । କେଉଁଠି ପ୍ରକଳ୍ପ ହୋଇସାରିଛି ହେଲେ ପାଣି ଆସିପାରୁନି । କେଉଁଠି ନଳକୂଅ ମାଟିରେ ପୋତି ହୋଇଗଲାଣି ତ’ କେଉଁଠି ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଗଲାଣି । କେତେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ଅଛି ହେଲେ ପାଣି ଆସୁନି । ଏମିତି କିଛି ସମସ୍ୟା ନଜରକୁ ଆସିଛି , ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଞ୍ଚାୟତ ଓ ଗାଁ ରେ ବର୍ଷବର୍ଷ ଧରି ପିଇବା ପାଣିର ସମସ୍ୟା ହୋଇଆସିଛି । ଏବେ ଏହି ସମସ୍ୟା ଉତ୍କଟ ରୂପ ନେଇଛି । ପିଇବା ପାଣି ପାଇଁ ଯୋଜନା ଆସିଛି , ପ୍ରକଳ୍ପ ହୋଇଛି , କୋଟି କୋଟି ଟଙ୍କା ଖର୍ଚ୍ଚ ବି’ ହୋଇଛି । କିନ୍ତୁ ଏହାର ବାସ୍ତବ ଚିତ୍ର ଅତି ଦୁର୍ଭାଗ୍ୟଜନକ ।ପିଇବା ପାଣିର ସମସ୍ୟାକୁ ନେଇ ବେଲଗୁଣ୍ଠା ବ୍ଳକ ର ଅନେକେ ପଞ୍ଚାୟତ ମଧ୍ୟରୁ କ୍ଷତ୍ରିୟବରପୁର ପଞ୍ଚାୟତ ପାଲକଷଣ୍ଢା ଗାଁର ଅବସ୍ଥା ଏକ ନମୁନା ମାତ୍ର । ପିଇବା ପାଣି ସମସ୍ୟା ଏହି ଗାଁ ପାଇଁ ଚିରନ୍ତନ ପାଲଟି ଯାଇଛି । ଅଧିକାଂଶ ଲୋକଙ୍କ ପିଇବା ପାଇଁ ପୋଖରୀ ପାଣି ହିଁ ଏକମାତ୍ର ଭରଷା । ଯାହା ବର୍ତ୍ତମାନ ସମୟରେ “ଆଦିମ ସଭ୍ୟତା” ର ଭ୍ରମ ସୃଷ୍ଟି କରୁଛି । ଜନବହୁଳ ଏହି ଗାଁ ର ପ୍ରମୁଖ ସମସ୍ୟା ହେଉଛି ଏଠାରେ ଭୂ-ତଳ ଜଳସ୍ତର ସଂପୂର୍ଣ୍ଣ ହ୍ରାସ ପାଇଛି । ଯାହାଫଳରେ ବର୍ଷବର୍ଷ ଧରି କୂଅ , ପୋଖରୀ ଓ ନଳକୂପ ସୁଖିଲା ପଡୁଛି । ଯାହାବି ନଳକୂଅ ରୁ ବାହାରୁଛି ତାହା ସଂପୂର୍ଣ୍ଣ କ୍ଷାରୀୟ ଏବଂ ଲୁହାଗୁଣ୍ଡ ଯୁକ୍ତ ପାଣି । ଯାହାଦ୍ବାରା ଏଠାରେ ଅଧିକାଂଶ ଲୋକ କିଡନୀ ଏବଂ ବଂଶଗତ ଭିନ୍ନକ୍ଷମ ଜନିତ ରୋଗରେ ସଂକ୍ରମିତ ଥିବା କୁହାଯାଉଛି । ବୋର୍ ଦ୍ବାରା ଜଳ ଯୋଗାଣ ହୋଇଛି , କିନ୍ତୁ ତାହା ପର୍ଯ୍ୟାପ୍ତ ପରିମାଣର ହୋଇ ପାରୁନି । ଯାହା ଫଳରେ ଅଧିକାଂଶ ପରିବାରର ପିଇବା ପାଣି ପାଇଁ ପୋଖରୀ ଜଳ କୁ ଏକମାତ୍ର ଭରଷା କରିଛନ୍ତି । ଏହାର ପ୍ରତିକାର ପାଇଁ ଗ୍ରାମବାସୀ ସ୍ଥାନୀୟ ବ୍ଳକ ପ୍ରଶାସନ କୁ ବାରମ୍ବାର ଜଣାଉଛନ୍ତି । କିନ୍ତୁ ସବୁକିଛି ପ୍ରତିଶୃତି ରେ ହିଁ ରହିଯାଇଛି ।
ସେହିପରି ବ୍ଳକର ଗୋବରା ପଞ୍ଚାୟତ ର ଅଧିକାଂଶ ପରିବାର ପାଇଁ ୨୦୧୫ ମସିହାରେ ଜଳପ୍ରକଳ୍ପ ନିର୍ମାଣ ପାଇଁ ଶୁଭ ଦିଆଗଲା । କିନ୍ତୁ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ଜଳଯୋଗାଣ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ପାରିନି । ଏହି ପଞ୍ଚାୟତର ଗୋବରା ଓ ବାସୁଦେବପୁର ଗାଁ ର ଲୋକଙ୍କ ପାଇଁ ,ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ଗତ ୩ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । କିନ୍ତୁ ନିର୍ମାଣ କାର୍ଯ୍ୟ ଯେତିକି ଚାଲୁଛି , ତା'ଠୁ ଅଧିକ ଝୁଣ୍ଟୁଛି । ଟାଙ୍କି ନିର୍ମାଣ ହୋଇ ସାରିଛି । ପାଇପ୍ ଯୋଡାହୋଇ ସାରିଛି । ଷ୍ଟାଣ୍ଡପୋଷ୍ଟ ଅଧା ଗଢାହୋଇ ରହିଛି । ସମିତି ବୈଠକରେ ଦାବୀ ହୋଇଛି । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଭିତରେ ତାଳମେଳ ଅଭାବ ଯୋଗୁଁ ଜଳପ୍ରକଳ୍ପର ପିଇବା ପାଣି , ସ୍ବପ୍ନ ପାଲଟିଛି ସ୍ଥାନୀୟ ଲୋକଙ୍କ ପାଇଁ । ଲୋକେ ପ୍ରକଳ୍ପ ରୁ ପାଣି ପିଇବାକୁ ଚାହିଁ ରହିଛନ୍ତି । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ଭିତରେ ଭାଗବଣ୍ଟା ଛିଡି ପାରୁନି ବୋଲି ଜାଣିଶୁଣି ଅଧପନ୍ତରିଆ ଅବସ୍ଥାରେ ରହିଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ଏନେଇ ବ୍ଳକ ପ୍ରଶାସନ , ବିଭାଗୀୟ ଅଧିକାରୀ , ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଏବଂ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି ସ୍ଥାନୀୟ ସମିତି ସଭ୍ୟ । ବିଭାଗୀୟ ଅଧିକାରୀ ଏବଂ ବ୍ଳକ ପ୍ରଶାସନ ଗତ ମାର୍ଚ୍ଚ ୨ ତାରିଖ ସୁଧା ପିଇବା ପାଣି ଯୋଗାଇ ଦେବାପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । କିନ୍ତୁ ଏଯାଏଁ ପାଣି ଯୋଗାଣ ହୋଇପାରିନି । ଏପରିକି ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ମିଥ୍ୟା କହିବାରେ ପଛାଇ ନାହାନ୍ତି । ଏବେ ପଞ୍ଚାୟତର ଗାନ୍ଧୀ ମଣ୍ଡପରେ ଅନସନ କରିବାକୁ ଚେତାବନୀ ଦେଇଛନ୍ତି ସଂପୃକ୍ତ ଜନପ୍ରତିନିଧି ।ସେହିଭଳି ପିଇବା ପାଣି ଯୋଜନା ର ଅବ୍ୟବସ୍ଥା କୁ ନେଇ ଆଉ ଏକ ନଗ୍ନ ନମୁନା ହେଉଛି , ବେଲଗୁଣ୍ଠା ବ୍ଳକର ଖଇରପୁଟି ପଞ୍ଚାୟତ ।
ଏହି ପଞ୍ଚାୟତରେ ରହିଥିବା ଖଇରପୁଟି , ବଡସାଦରା , ସାନସାଦରା ଓ ଇନ୍ଧନପୁର ଗାଁ ର ପ୍ରାୟ ୮ ହଜାର ଲୋକଙ୍କ ପାଇଁ , ପିଇବା ପାଣି ଚିନ୍ତାର କାରଣ ହୋଇଛି । ବୋର୍ ଖୋଳି ପାଣି ଯୋଗାଣ ବ୍ୟବସ୍ଥା ହୋଇଛି , କିନ୍ତୁ ନହେବା ସଙ୍ଗେ ସମାନ ହୋଇଛି । ସେଥିରେ ପାଣି ଆସୁନି । ଷ୍ଟାଣ୍ଡ ପୋଷ୍ଟ ସବୁ ଅଚଳହୋଇ , ପଡ଼ିରହିଛି । ନଳକୂପ ଅଛି , କିନ୍ତୁ ପିଇବା ଉପଯୋଗୀ ନୁହେଁ ।
ପିଇବା ପାଣିର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଅଭିଯୋଗ ହୋଇଛି । ସମିତି ବୈଠକରେ ଦାବୀ ମଧ୍ୟ ହୋଇଛି । ବିଭାଗୀୟ ଅଧିକାରୀ ମନା କରୁନାହାନ୍ତି , କିନ୍ତୁ ପିଇବା ପାଣିର କୌଣସି ବ୍ୟବସ୍ଥା କରୁନାହାନ୍ତି । କେବେ ହେବ ବୋଲି ପ୍ରଶ୍ନ କଲେ , ଅଧିକାରୀଙ୍କ ଠାରୁ ଉତ୍ତର ମିଳୁଛି , “ମହାନଦୀ” ରୁ ପାଣି ଆସିଲେ ଲୋକେ ପିଇବେ । ଏମିତି କହି ବୁଝାଇ ଦିଆଯାଉଛି ବୋଲି, ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଛନ୍ତି ।
। କେବଳ ଦାୟିତ୍ବହୀନ ନୀତି ଓ ପ୍ରତିଶୃତି ଭିତରେ ହିଁ ରହିଯାଇଛି ବୋଲି ଅଭିଯୋଗ ହେଉଛି । ଅଧିକାଂଶ ଲୋକେ ନଦୀର ଚୁଆଁପାଣି କୁ , ଏବେବି ଭରଷା କରୁଛନ୍ତି । ବର୍ଷବର୍ଷ ଧରି ଏଭଳି ସମସ୍ୟା ଭୋଗିବାକୁ ପଡୁଛି ଲୋକଙ୍କୁ । ସମସ୍ତ ସମସ୍ୟା ଓ ଅଭିଯୋଗ କୁ ନେଇ , ସ୍ଥାନୀୟ ବ୍ଳକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି , ଏହାର ସମାଧାନ ଖୁବଶିଘ୍ର କରାଯିବ ଏବଂ ପିଇବା ପାଣିକୁ ନେଇ ଲୋକଙ୍କ ଅସୁବିଧାକୁ ଗୁରତ୍ବ ଦିଆଯିବ । ପ୍ରଶ୍ନ ଉଠୁଛି ପାଇବା ପାଣି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହେଉଥିବା ବେଳେ , ବେଲଗୁଣ୍ଠା ବ୍ଳକରେ ଏ ସମସ୍ୟା କାହିଁକି । ଅଧିକାଂଶ ସ୍ଥାନରେ ପିଇବା ପାଣି ସମସ୍ୟାର ସମାଧାନ କାହିଁକି ସମାଧାନ କରାଯାଉନାହିଁ । ଏ ସମସ୍ୟା ପ୍ରାକୃତିକ ନା’ ମନୁଷ୍ୟକୃତ ତାକୁ ନେଇ ଏବେ ସବୁଠି ପ୍ରଶ୍ନ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୩/୨୦୨୩---୮,୫୦ Sakhigopal News ,30/3/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୩/୨୦୨୩---୮,୫୦ Sakhigopal News ,30/3/2023