ସାକ୍ଷୀଗୋପାଳ ଏବେ ନିଶା ବେପାରୀଙ୍କ ସ୍ୱର୍ଗଭୂମି ପାଲଟିଛି ; ଅବକାରୀ ଓ ପୋଲିସ ସଲସୁତରା
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅଞ୍ଚଳ ଏବେ ଚୋରା ନିଶା ବେପାରୀ ମାନଙ୍କର ସ୍ୱର୍ଗଭୂମି ପାଲଟିଛି । ମାସିକିଆ ଦିଅ ଏଠାରେ ସୁରକ୍ଷିତ ଭାବେ ବେପାର କର । ଯେଉଁ ମାସରେ ବଟି ଦେବା ବନ୍ଦ ହେବ ସେ ମାସରେ ଗିରଫ ହୋଇ ଜେଲ ଯିବ । ଏଥିଯୋଗୁ ପୁରୀ ଜିଲ୍ଲାରେ ସତ୍ୟବାଦୀ ଅଞ୍ଚଳକୁ ଚୋରା ନିଶା ବେପାରୀ ମାନେ ନିରାପଦ ସ୍ଥାନ ଭାବିଛନ୍ତି । ଏଠାରେ ପ୍ରତି ଗଳିକନ୍ଦିରେ ଭାଙ୍ଗ, ଗଞ୍ଜେଇ, ଦେଶୀ , ବିଦେଶୀ ମଦ ସହିତ ଧଳା ଜହର ବେପାରୀ ମାନେ ବେପାର ପସାରା ମେଳାଇ ବସୁଛନ୍ତି । ସକାଳୁ ବେପାର ଆରମ୍ଭ ହେଉଛି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନିଶା ବେପାରୀ ମାନେ ଖୋଲୁମ ଖୋଲା ଭାବେ ନିଶା ବେପାର କରୁଥିବା ଅଭିଯୋଗ ମାନ ହେଉଛି । ଏ ସମ୍ପର୍କରେ ପୁରୀ ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀଙ୍କ ଠାରୁ ଅଧିକାରୀ ଙ୍କ ପାଖରେ ନିଶା ବେପାରୀ ମାନଙ୍କର ତାଳିକା ରହିଛି । ଏଥିରୁ ମଧ୍ୟ ବାଦ ଯାଇନାହିଁ ସତ୍ୟବାଦୀ ଥାନା । ଦିନ ଦ୍ୱିପହରରେ ଗ୍ରାମ ଛକ ମାନଙ୍କରେ ନିଶାଡିଆ ମାନଙ୍କର ଆଡାସ୍ଥଳୀ ପାଲଟିଛି । ଯାହାକି ଝିଅ ବୋହୁ ମାନେ ସେ ରାସ୍ତାରେ ଯିବାକୁ ନିରାପଦ ମଣୁନାହାନ୍ତି । ସେହିପରି ନିଶା ସେବନ କରି ଯୁବକ ମାନେ ନିଜର ହିତାହିତି ଜ୍ଞାନ ହରାଇ ବସୁଛନ୍ତି । ରାସ୍ତା ଓ ବିଭିନ୍ନ ଛକ ମାନଙ୍କରେ ଗାଡି ମଟର ଥୋଇ ରାସ୍ତା ଅବରୋଧ କରିବାକୁ ପଛାଉନାହାନ୍ତି ଏହି ନିଶା ଗସ୍ତ ଯୁବକ ମାନେ । ବିଶେଷ କରି ବାସୁକେରା ଛକ, ଅହମ୍ମଦପୁର , ବନପୁର ଛକ, ମନ୍ଦିର ପାଖ, ବକୁଳବନ, ସାରଙ୍ଗଯୋଡି, ବଳପୁର, ଗବକୁଣ୍ଡ ଆଦି ଛକ ମାନଙ୍କରେ ସଂଧ୍ୟାହେଲେ ଚାଲିକି ଯିବା କଷ୍ଟକର ହୋଇପଡୁଛି । ନିଶା ଖାଇବା ପାଇଁ ପଇସା ଆବଶ୍ୟକତା ପଡିବାରୁ ସେମାନେ ବାଧ୍ୟ ହୋଇ ରାହଜାନୀ କରିବାକୁ ପଛାଉନାହାନ୍ତି ବୋଲି ଜଣାପଡିଛି । ମନିଫର୍ସ, ମୋବାଇଲି, ଗାଡି ଆଦି ଲୁଟତରାଜ କରିବାକୁ ଯୁବକ ମାନେ ନିଶା ପାଇଁ ସବୁକିଛି କରୁଛନ୍ତି ବୋଲି ବୁଦ୍ଧଜୀବୀ ପ୍ରଫୁଲ ମହାପାତ୍ର, ନବଘନ ଦାଶ, ଅମୂଲ୍ୟ ହୋତା, ନିଶାକର ପ୍ରଧାନ ପ୍ରମୁଖ କହନ୍ତି । ତୁରନ୍ତ ପୁରୀ ଏସପି ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୧----୧୦, ୨୦