ମାଘମେଳା ନିମନ୍ତେ ଚନ୍ଦ୍ରଭାଗା ମେଳା ପଡିଆରେ ୧୪୪ ଧାରା ଜାରି
କୋଣାର୍କ-ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମେଳା ଅନୁଷ୍ଠିତ ହେବ । ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡିଆରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକା ଠାରୁ ୧୯ ତାରିଖ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ଚନ୍ଦ୍ରଭାଗାରେ ବୁଡ ପକାଇବା ଏବଂ ପହିଲି ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ୧୪୪ ଧାରା ଜାରି କରିଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଗତ ୩୦ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କେବଳ ସର୍ବାଧିକ ପାଞ୍ଚ ଶହ ବ୍ୟକ୍ତିଙ୍କ ଉପସ୍ଥିତିରେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ସହ ଚନ୍ଦଭାଗା ବୁଡ ସମ୍ପର୍ଣ୍ଣ ହେବ । ଏଥିରେ ସଂପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସରକାରୀ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ସାମ୍ବାଦିକ ସାମିଲ ରହିବେ । ଏଥିରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣ ମାନଙ୍କୁ ଅନୁରୋଧ । ଏହି କଟକଣାର ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁରୀ ରୁ ଜୟନ୍ତ କୁମାର ସେଠୀ,୧୭/୨/୨୦୨୧-_---୭,୨୫