ପିପିଲି- ଡେଲାଙ୍ଗ ଉପ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସର ପାଞ୍ଚ ଜଣିଆ ଟିମ ମତାମତ ସଂଗ୍ରହ କଲେ
ଡେଲାଙ୍ଗ ------- ପିପିଲି -ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ବିଧାୟକ ସ୍ୱର୍ଗତ ପଦୀପ ମହାରଥୀଙ୍କର ଅକାଳ ମୃତ୍ୟୁ ହେବା ପରେ ଏବେ ଉପ ନିର୍ବାଚନ ହେବ । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ପ୍ରଦେଶ କଂଗ୍ରେସପକ୍ଷରୁ ଏକ ପାଞ୍ଚଜଣିଆ ଟିମ ଗସ୍ତ କରିଛନ୍ତି । ଏଥିରେ ପିସିସି କାର୍ଯ୍ୟକାରିଣୀ ସଭାପତି ଚିରଞ୍ଜବି ବିଶ୍ୱାଳଙ୍କ ଅଧ୍ୟତାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପିସିସି ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ, କଂଗ୍ରେସ ଦଳର ପୁରୀ ସାଂସଦ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକଙ୍କ ସହିତ ପିପିଲି ଡେଲାଙ୍ଗର ପୂର୍ବତନ ବିଧାୟକ ବିପିନିଦାଶ ଡେଲାଙ୍ଗ ବ୍ଳକର ଗସ୍ତ କରିଥିଲେ । ଡେଲାଙ୍ଗ ଷ୍ଟେସନସ୍ଥିତ ଏକ ଫାର୍ମ ହାଉସ ଓ ଗଡ ମୋଟରୀ ଉଗ୍ରଶ୍ୱେରନାଥଙ୍କ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ପଞ୍ଚାୟତର କଂଗ୍ରେସ କର୍ମୀ ଓ ଜନପ୍ରତିନିଧି ମାନଙ୍କ ଠାରୁ ଏହି ଟିମ ପ୍ରାର୍ଥୀ ସମ୍ପର୍କରେ ମତାମତ ସଂଗ୍ରହ କରିଥିଲେ । ବିଶେଷ କରି ଜିଲ୍ଲା ସଭାପତିଙ୍କ ବିରୋଧରେ ମତ ଉଠିଥିବା ବେଳେ କଂଗ୍ରେସର ମୁଖପାତ୍ରଙ୍କ ସପକ୍ଷରେ ମତ ଆସିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖିଥବା ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ ଓ କଂଗ୍ରେସର ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ଦଳର ସମ୍ପାଦିକା ନିରୁପମା ପାତ୍ର ଓ ଡେଲାଙ୍ଗ ବ୍ଳକ କଂଗ୍ରେସ ସଭାପତି ରବି ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୧----୯,୦୫