ମହାଭୈରବୀ ବେଶରେ ବୀରଗୋବିନ୍ଦ ପୁର ମା ଦକ୍ଷୀଣକାଳୀ ; ଦର୍ଶନରୁ ବଞ୍ଚିତ ଭକ୍ତ
ସାକ୍ଷୀଗୋପାଳ ---- ଏ ବର୍ଷ ମହାମାରୀ କରୋନା ଯୋଗୁ ରାଜ୍ୟ ସରକାର ମନ୍ଦିର, ଯାନି ଯାତ୍ରା ଉପରେ ରୋକ ଲଗାଇଛନ୍ତି । ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଏ ବର୍ଷ ଅନୁଷ୍ଠିତ ହୋଇଥିଲା । ସେହିପରି ପୁରୀ ଜିଲ୍ଳାର ବୀରଗୋବିନ୍ଦପୁର ଶାସନରେ ପୂଜିତା ମା’ ଦକ୍ଷିଣକାଳୀଙ୍କର ମହାଭୈରବୀ ବେଶ ବର୍ଷକୁ ଥରେ ଦର୍ଶନ କରିବାର ସୁଯୋଗ ମିଳିଥାଏ । ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଦର୍ଶକ ଦର୍ଶନ କରି ଫୁଲ, ଦ୍ୱୀପ ଓ ଭୋଗ ଲଗାଇଥାନ୍ତି । ମାତ୍ର ଏ ବର୍ଷ କରୋନା ଯୋଗୁ କୋଭିଡ-୧୯ ଆଇନ ଅନୁଯାୟୀ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ଏକ ପ୍ଳାଟୁନ ଫୋସ ସହିତ ବୀରଗୋବିନ୍ଦପୁର ଗ୍ରାମର ସମସ୍ତ ପ୍ରବେଶ ପଥ ସିଲ କରି ଭକ୍ତଙ୍କୁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ଦେଇନଥିଲେ । ଯାହା ଫଳରେକି ବିନା ଭକ୍ତରେ କାଳୀପୂଜା ସମାପ୍ତ ହୋଇଛି । ବର୍ଷ ତମାମ ମା ପଟ୍ଟଚିତ୍ରରେ ଦର୍ଶନ କରିବାର ସୁଯୋଗ ମିଳିଥାଏ । ଶନିବାର ମାଙ୍କର ସମସ୍ତ ନୀତିକାନ୍ତି ସରିବା ପରେ ଶାନ୍ତି ପଣଶ ଲାଗି ହେବାପରେ ରବିବାର ଦିନ ଦର୍ଶନ ମିଳିଥାଏ । ମାତ୍ର କଟକଣା ଯୋଗୁ ବିନା ଭକ୍ତରେ ମାଙ୍କର ମହାଭୈରବୀ ଦର୍ଶନ ଶେଷ ହୋଇ ବିଳମ୍ବିତ ରାତିରେ ମା’ଙ୍କର ଭଷାଣୀ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପରିପେକ୍ଷୀରେ ଗ୍ରାମକୋଠ ପକ୍ଷରୁ ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ କରାଯାଇଥିବା ବେଳେ ଗ୍ରାମ ଦାଣ୍ଡରେ ରଙ୍ଗବେରଙ୍ଗର ଉଜ୍ୱଳ ଆଲୋକ ଲାଗିଥିଲା । ସତ୍ୟବାଦୀ ତହସିଲଦାର ମନୋଜ ନାୟକଙ୍କ ସହିତ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ମାନେ ସେଠାରେ ଉପସ୍ଥିତ ରହିଥିଲେ । କୋଭିଡ -୧୯ ଆଇନ ଅନୁଯାୟୀ ବିଳମ୍ବିତ ରାତିରେ ଘଣ୍ଟ, ମାଦଳ, ବାଜା , ନିରାଡମ୍ବର ଶୋଭାଯାତ୍ରାରେ ମା ଦକ୍ଷୀଣକାଳୀଙ୍କ ମୃଣ୍ମୟ ମୂର୍ତ୍ତି ଗ୍ରାମ ପରିକ୍ରମା କରାଯାଇଥିଲା । ବୀରପ୍ରତାପୁର ଓ ସମଯାଜପୁରର ଦୁଇ ଭଉଣୀ କାମରୂପା ଓ ଉଗ୍ରତାରାଙ୍କ ସହିତ ଏକ ଶୋଭାଯାତ୍ରାରେ ଚନ୍ଦନପୁର ଛକଠାରେ ଭକ୍ତ ମାନଙ୍କୁ ଶେଷ ଦର୍ଶନ ଦେଇ ଭାର୍ଗବୀ ନଦୀରେ ବିସର୍ଜନ ହୋଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ସ୍ର ସେନାପତି
‘