Breaking News

ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କ ପରଲୋକ


ଭୁବନେଶ୍ୱର :- କରୋନାରେ ଆକ୍ରାନ୍ତ ହୋଇ ଗତ ନଭେମ୍ବର ୧ ରୁ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପତ୍ନୀ ଶ୍ରୀମତୀ ସୁଶୀଳା ଦେବୀ । ଗତକାଲି ରାତିରେ  ସୁଶୀଳା ଦେବୀଙ୍କର ପରଲୋକ ହୋଇଯାଇଛି । ତେବେ ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ କରୋନା ତାଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଥିଲା । ଡାକ୍ତରମାନଙ୍କ ଅକ୍ଳାନ୍ତ  ଉଦ୍ୟମ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା । ଗତକାଲି ରାତିରେ ଆଖି ବୁଜିଦେଇଥିଲେ ଶ୍ରୀମତୀ ଲାଲ୍ ।


ଗତ ୧ ତାରିଖରେ ରାଜ୍ୟପାଳ ପ୍ରଫେସର ଲାଲ୍, ପତ୍ନୀ ସୁଶୀଳା ଦେବୀ ଏବଂ ରାଜଭବନର ୪ କର୍ମଚାରୀ  କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏକ ଘରୋଇ ହସ୍ପିଟାଲ୍ ରେ ସମସ୍ତଙ୍କୁ ଚିକିତ୍ସା କରାଯାଉଥିଲା । ରାଜ୍ୟପାଳ ଓ ଅନ୍ୟ ୪ ଜଣ ସୁସ୍ଥ ହୋଇଥିଲେ ମଧ୍ୟ ରାଜ୍ୟପାଳଙ୍କ ପତ୍ନୀଙ୍କର ସ୍ୱାସ୍ଥ୍ୟ ଠିକ୍ ହୋଇ ନ ଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଥିଲେ । ମାତ୍ର ତାଙ୍କୁ ବଞ୍ଚାଇ ପାରିନାହାନ୍ତି ।
ରାଜ୍ୟପାଳଙ୍କ ପତ୍ନୀ ତଥା ରାଜ୍ୟର ପ୍ରଥମ ମହିଳାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ଧର୍ମପ୍ରାଣ ଓ ପରୋପକାରୀ ମହିଳା ଭାବେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଏକ ଶୋକବାର୍ତ୍ତାରେ କହିଛନ୍ତି । ବିଭିନ୍ନ ଦଳର ନେତା, ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ରାଜ୍ୟପାଳ ପତ୍ନୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଜି ତାଙ୍କର ମୃତଦେହ ରାଜଭବନ କୁ ଅଣାଯିବା ପରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।  ଏହା  ସହ ସେଠାରେ ଗାର୍ଡ ଅଫ ଅନର ଦିଆଯାଇଛି।ଏହାପରେ ତାଙ୍କୁ ପୁରୀ ନିଆଯାଇ କୋଭିଡ କଟକଣା ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।  ସାନ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ସେହିପରି ବିଧାନ ସଭାରେ ଆଜି ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପରେ ଗୃହ କୁ 3 ଟା ଯାଏ ମୁଲତବୀ ରଖାଯାଇଥିଲା ।ବିଭିନ୍ନ ଦଳର ନେତା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଶେଷରେ ଦୁଇ ମିନିଟ ପାଇଁ ନିରବ ପ୍ରାଥନା କରାଯାଇଥିଲା।
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୨୩/୧୧/୨୦୨୦,। ୧୧,୫୦

Blog Archive

Popular Posts