ଭଞ୍ଜନଗର ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ଶ୍ରୀ ଆରୁଖ
ଭଞ୍ଜନଗର - ଭଞ୍ଜନଗର ବ୍ଳକର ବିଭିନ୍ନ ସ୍ଥାନର ଉନ୍ନୟନମୂଳକ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହି ବ୍ଳକର ମହାଗୁଡା ଠାରେ ବିଜୁ ସେତୁ ଯୋଜନା ଆନୁକୂଲ୍ୟରେ ମହାଗୁଡା - ସରପଡା ଗାଁ କୁ ସଂଯୋଗ କରିବାପାଇଁ ଲୋହରାଖଣ୍ଡି ନଦୀ ଉପରେ ସ୍ଥାୟୀ ସେତୁ ନିର୍ମାଣ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଏହାସହ ଗୋହିରୀବାଡି ଠାରେ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ଏହି ରାସ୍ତା ନିର୍ମାଣ ହେବା ଦ୍ବାରା , ଗୋହିରୀବାଡି ଠାରୁ ଗୁଣ୍ଡୁରିବାଡି ଭାୟା ଚାଞ୍ଚରାପଲ୍ଲୀ ଏବଂ ସାତଘରିଆ ଗାଁ ପର୍ଯ୍ୟନ୍ତ ଗମନାଗମନର ସୁବିଧା ହୋଇପାରିବ । ସେହିଭଳି ଗୁଣ୍ଡୁରିବାଡି ପଞ୍ଚାୟତର ଖଣ୍ଡିକୋଟି ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ ଏବଂ ଲାଲସିଙ୍ଗି ପଞ୍ଚାୟତ ର ଛେଦାଭୂମି ଠାରେ ଅଙ୍ଗନବାଡ଼ି କେନ୍ଦ୍ର, ରାଜକୁଣ୍ଡୁ ଠାରେ ଅଙ୍ଗନବାଡ଼ି କେନ୍ଦ୍ରର ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ଗ୍ରାମାଞ୍ଚଳରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ର ସଫଳ ରୂପାୟନ ହୋଇ ପାରିଛି । ବିଗତ ଦିନ ମାନଙ୍କରେ ସ୍ଥାନୀୟ ଅଞ୍ଚଳବାସୀ ଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରି ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରିଥିବାରୁ ମୁ ଆତ୍ମସନ୍ତୋଷ ଅନୁଭବ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ରେ ବିଡ଼ିଓ ଶଶିଭୂଷଣ ମହାପାତ୍ର , କନ୍ଧମାଳ ସାଂସଦଙ୍କ ଭଞ୍ଜନଗର ବ୍ଳକ ପ୍ରତିନିଧି ଦିବାକର ନାୟକ , ରାଜେନ୍ଦ୍ର ପ୍ରସାଦ ପ୍ରଧାନ , ପଞ୍ଚାନନ ପାଳ , ଶୂଳପାଣି ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୩---୮,୩୫ Sakhigopal News,17/11/2023