ମହାଭୈରବୀ ବେଶରେ ମା ଦକ୍ଷିଣକାଳୀଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କଲେ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଶାସନ ଗ୍ରାମରେ ପୂଜିତ ମା’ ଦକ୍ଷିଣକାଳୀ ମହାଭୈରବୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ଉକ୍ତ ପୀଠରେ ବର୍ଷକ ସାରା ପଟ୍ଟଚିତ୍ରରେ ମା ପୂଜିତ ହୋଇଥାନ୍ତି । ବର୍ଷକୁ ଥରେ ମାଙ୍କର ମୃଣ୍ଣୟୀ ମୂତ୍ତି ନୀତି ନିୟମ ବା ପରମ୍ପରା ଅନୁଯାୟୀ ପୂଜା କରାଯାଇଥାଏ । ମା ଏହି ଦିନ ମହାଭୈରବୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ମାତ୍ର ମାଙ୍କୁ ଦର୍ଶନ କରିବା ସମୟରେ ମା ବିସର୍ଜନ ହୋଇଯାଇଥାନ୍ତି । ମାଙ୍କର ଦ୍ରୂଆର ସାହାଣ ମେଲା ହେବା ଆଗରୁ ମାଙ୍କ ନିକଟରେ ମାଙ୍କର ମୁଖ୍ୟ ପୂଜକ ଆଗାଧୁ ଦୀକ୍ଷିତ ଶାନ୍ତି ହୋମ କରିବା ସହିତ ମାଙ୍କୁ ବର୍ଷକ ପାଇଁ ବିଦାୟ ଦେଇଥାନ୍ତି । ଏହି ହୋମ ସମୟରେ ମାଙ୍କର ଅନ୍ୟ ପୂଜକ ତଥା ସେବାୟତ ଓ ଗ୍ରାମ୍ୟ କୋଠର ମୁରବି ସହିତ ଗ୍ରାମର ଯୁବକ ମାନେ ଏକାଠି ହୋଇ ଶାନ୍ତି ହୋମ ସମୟରେ ମାଙ୍କ ଆଗରେ ଟିକା ଗୋବିନ୍ଦଚନ୍ଦ୍ରଙ୍କ ଗୀତ ଶୁଣାଇ ମାଙ୍କ ରାଗ ବା ମାଙ୍କୁ ଶାନ୍ତି କରାଇ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କୁ ଆର୍ଶିବାଦ ଦେବା ପାଇଁ ଭିକ୍ଷା କରିଥିଲେ । ଏହି ପରମ୍ପରା ପ୍ରତି ବର୍ଷ ହୋଇ ଆସୁଛି ବୋଲି ଗ୍ରାମ କୋଠର ସଭାପତି ବୈକୁଣ୍ଠନାଥ ନନ୍ଦ ଓ ସମ୍ପାଦକ ଲୋକନାଥ ମିଶ୍ର କହନ୍ତି ।ଗ୍ରାମ ଦାଣ୍ଡ ଏବେ ଆରଡି ବିଭାଗ ପକ୍ଷରୁ ରଙ୍ଗିନି ଇଟା ପକାଯାଇ ସୁନ୍ଦର କରାଯାଇଛି । ସେହିପରି ଗ୍ରାମ କୋଠ ପକ୍ଷରୁ ରଙ୍ଗବେରଙ୍ଗ ଆଲୋକମାଳରେ ମାଙ୍କ ପୀଠ ଠାରୁ ୩୧୬ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ସଜାଯାଇଛି । ଉକ୍ତ ଯାତ୍ରାକୁ ସରସ ସୁନ୍ଦର କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ସହିତ ଗ୍ରାମକୋଠ , ଯୁବକସଂଘର ସଦସ୍ୟ ମାନେ ସହଯୋଗ କରିଛନ୍ତି । ମାଙ୍କ କୃପା ଲାଭ ପାଇଁ ରାଜନେତାଙ୍କ ଠାରୁ ବ୍ୟବସାୟୀ, ଜନସାଧାରଣ ସମସ୍ତେ ଆଶା ରଖିଛନ୍ତି । ମା’ ଦକ୍ଷିଣକାଳୀଙ୍କୁ ଯେ କୌଣସି ଭକ୍ତ ନିଷ୍ଠା ଓ ଭକ୍ତିର ସହିତ ଡାକିଲେ ମା ତା ପାଖରେ ଠିଆ ହୋଇଥାଏ ବୋଲି ପୂଜକ କାଶିନାଥ ମିଶ୍ର କହନ୍ତି । ଏପରିକି କିଛି ଭକ୍ତ ମାଙ୍କ ଆର୍ଶିବାଦ ନେଇ ବିଭିନ୍ନ କାର୍ଯ୍ୟରେ ସଫଳ ହୋଇଥିବା ନେଇ ସେ ମଧ୍ୟ କହନ୍ତି । ଏଣୁ ମାଙ୍କର ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ଭକ୍ତ ରହିଛନ୍ତି । ସେମାନେ ମାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରହିଛି । ଏଥିଯୋଗୁ ବୀରଗୋବିନ୍ଦପୁର ଗ୍ରାମ ଚଳଚଞ୍ଚଳ ହୋଇପଡିଛି । ଗ୍ରାମ ଦାଣ୍ଡରେ ବିଭିନ୍ନ ଅସ୍ଥାୟୀ ଦେକାନ ଖୋଲିଛି । ମାଙ୍କୁ ବିଳମ୍ବିତ ରାତିରେ ଏକ ବର୍ଣ୍ଣଡ୍ୟ ଶୋଭାଯାତ୍ରାରେ ଗ୍ରାମ ଦାଣ୍ଡଦେଇ ଅପେକ୍ଷା କରିଥିବା ଅନ୍ୟ ଦୁଇ ଭଉଣୀଙ୍କ ସହିତ ଚନ୍ଦନପୁରସ୍ଥିତ ଭାର୍ଗବୀ ନଦୀର କାଳିଘାଟକୁ ବିସର୍ଜନ ପାଇଁ ନିଆଯାଇଥିଲା । ସେଠାରେ ଭକ୍ତ ମାନଙ୍କ ଦର୍ଶନ ପାଇଁ କିଛି ସମୟ ରହିବା ପରେ ମାଙ୍କୁ ଆରବର୍ଷ ପର୍ଯ୍ୟନ୍ତ ବିଦାୟ ଦିଆଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୧/୨୦୨୩---୬,୧୦ Sakhigopal News, 13/11/2023