ଗୁରୁମାନେ ହିଁ ସମାଜ ନୌକାର ପ୍ରମୁଖ ମଙ୍ଗୁଆଳ ଓ ସର୍ବଶ୍ରେଷ୍ଠ ମାର୍ଗ ଦର୍ଶକ
ଡେଲାଙ୍ଗ -ଗୁରୁମାନେ ହିଁ ସମାଜର ଶ୍ରେଷ୍ଠ ମାର୍ଗ ଦର୍ଶକ ଓ ସମାଜ ନୌକାର ଶ୍ରେଷ୍ଠ ମଙ୍ଗୁଆଳ। ଛାତ୍ର ଛାତ୍ରୀ ମାନେ ଗୁରୁ ଗୁରୁଜନଙ୍କ କଥାକୁ ଆନ୍ତରିକତା ସହ ପାଳନ କରି ପ୍ରାରମ୍ଭରୁ ନିଜ ଜୀବନକୁ ସତ୍ ମାର୍ଗରେ ଗଢି ତୋଳିଲେ ସେମାନଙ୍କ ଭବିଷ୍ୟତ ଜୀବନ ଜ୍ୟୋତିର୍ମୟ ହୋଇପାରିବ ବୋଲି ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ବଳଙ୍ଗାସ୍ଥିତ ସତ୍ୟ ଚେତନା ଶିକ୍ଷା ଶ୍ରମର ପ୍ରତିଷ୍ଠାତା ତଥା ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର , ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସମାଜସେବୀ ପ୍ରଭାତ କୁମାର ମିଶ୍ର ଯୋଗଦେଇ ତାଙ୍କ ବିଜ୍ଞ ଅଭିଭାଷଣରେ ଗୁରୁଙ୍କ ମହିମା ଗାନ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କୁ ଆଶୀର୍ବାଦ କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ସ୍ବପ୍ନାରାଣୀ ସିଂ, ଆଶାକର୍ମୀ ସାବି ବେହେରା, ଶିକ୍ଷକ ଟିକେଇ ଦଳାଇ ,ମାନସ ସ୍ବାଇଁ, ସୋମନାଥ ବେହେରା,ଶିକ୍ଷୟିତ୍ରୀ ପାପ୍ଲିନ୍ ପ୍ରଧାନ, ସତ୍ୟଭାମା ବେହେରା, ପ୍ରିୟତ୍ତମା ସାହୁ, ସଭ୍ୟା ସୁରମା ପରିଡ଼ା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଆଶୀର୍ବାଦ କରି ଈଶ୍ବରଙ୍କ ନିକଟରେ ସେମାନଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ସଭା ସଂଯୋଜନା ଓ ସୁପରିଚାଳନା କରିବା ସହ ଆଶୀର୍ବଚନ ମାଧ୍ୟମରେ ପିଲାମାନଙ୍କୁ ଗୁରୁଙ୍କ ଗୁରୁତ୍ବ, ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ମହନୀୟ ଜୀବନୀ ,ପୁରାତନ ଗୁରୁ କୁଳର କଥାଓଗାଥା ,ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ସମ୍ପର୍କେ ଆଲୋକପାତ୍ କରି ଆଜିର ସମାଜରେ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମତାର ଉଦାହରଣ ଦେଇ ଗୁରଦିବସର ତାପ୍ତର୍ଯ୍ୟ ଓ ଅନୁଚିନ୍ତା ଉପସ୍ଥାପନ କରିଥିଲେ।।ଗତ ୭ମ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ପାରମିତା ସାହୁ, ବକ୍ତୃତା ଓ ସଙ୍ଗୀତର କୃତି ଛାତ୍ର ଛାତ୍ରୀ ଲିଙ୍ଗରାଜ ପାଟ୍ଟଯୋଶୀ, ସ୍ବୟଂଶ୍ରୀୟା ପ୍ରିୟଦର୍ଶିନୀ,ମୋନାଲିସା ବାରିକ,ଫର୍ଜନା ନିଶା ଆଦିଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ଅର୍ଥରାଶି ପ୍ରଦାନ କରି ସମସ୍ତଙ୍କର ଉତ୍ତମ ଭବିଷ୍ୟତ କାମନା କରିଥିଲେ। ପ୍ରାରମ୍ଭରୁ ମହାନ୍ ଗୁରୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ଦୀପ ପ୍ରଜୋଳନପୂର୍ବକ ଉତ୍ସବକୁ ମୁଖ୍ୟ ଅତିଥି ଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀ ସିମରନ ଆସୀନ, ଆତ୍ମଜିତ ବେହେରା,ରାଜଦୀପ ସେଠୀ,ସାଇ ମହାବୀର ଜେନା ସେମାନଙ୍କ ବକ୍ତବ୍ୟରେ ଗୁରୁଙ୍କ ମହିମା ଗାନ ଓ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ଉପରେ କହିଥିଲେ।ଶ୍ରୀଯୁକ୍ତ ମିଶ୍ର ତାଙ୍କ ବିଦ୍ୟାଳୟ ଜୀବନର ଅଭୁଲା ଅତୀତକୁ ସାଉଁଟି ଥିଲାବେଳେ ବିଦ୍ୟାଳୟ ତରଫରୁ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଇତ୍ୟବସରରେ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସବୁ ଗୁରୁଜୀ ଗୁରୁମାଙ୍କ ଫଟୋ ଥାଇ ଏକ ସମ୍ମିଳିତ ଫଟୋ ଚିତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଥମ କରି ପ୍ରଦାନ କରାଯାଇଥିଲା। ଏହିପରି ଡେଲାଙ୍ଗ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିଶୁ ମନ୍ଦିର ଆଦିରେ ଗୁରୁ ଦିବସ ପାଳିତ ହୋଇଯାଇଛି।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୫/୯/୨୦୨୩---୯,୧୦ Sakhigopal News,5/9/2023