ସାକ୍ଷୀଗୋପିନାଥ ଠାକୁରଙ୍କୁ ବର୍ଷକୁ ଥରେ ସେବାୟତ ଓ ପ୍ରଜାମାନେ ସୁନିଆଁ ଭେଟି ଦେବାର ପରମ୍ପରା ରହିଛି
ସାକ୍ଷୀଗୋପାଳ----- ବର୍ଷକୁ ଥରେ ଠାକୁରଙ୍କୁ ପ୍ରଜା ମାନେ ସୁନିଆଁ ଭେଟି ଦେବାର ପରମ୍ପରା ରହିଆସିଛି । ସାକ୍ଷୀଗୋପାଳ ଠାକୁର ଏଥିପାଇଁ ରାଜା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ଏହି ଅବସରରେ ମନ୍ଦିରରେ ଦୈନଦିନ ଦେବନୀତି କରାଯିବା ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦରେ ସଜ୍ଜା ଯାଇଥିଲା । ସଂନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସଂନ୍ଧ୍ୟାଧୁପ ବେଶରେ ସେବକ ମାନେ ସୁନିଆଁ ଉପଲକ୍ଷେ ଠାକୁରଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ । ପାଟ, ପିତାମ୍ବରୀ, ସୁବର୍ଣ୍ଣ ବଶିଂ, ମକର କୁଣ୍ଡଳ, ଚାପସରୀ, ନୁଡୁକ, ହୀରା ମୁଦ୍ରିକା, ବେଙ୍ଗପାଟିଆ, ସୁବର୍ଣ୍ଣ ମୁକୁଟ, ବାଙ୍କି ନୂପୁର ଓ ତୁଳସି, ଚନ୍ଦନ,ଫୁଲମାଳ ଆଦି ପରିଧାନ କରିଥିଲେ । ଠାକୁରଙ୍କ ସମ୍ପତି ବା ବାରି ବଗିଚା ଯେଉଁମାନେ ରଖିଛନ୍ତି ବା ଦଖଲ କରିଛନ୍ତି ସେମାନେ ଆଜିର ଦିନରେ ଠାକୁରଙ୍କୁ ସୁନିଆଁ ଭେଟି ପ୍ରଦାନ କରି ଋୁଣମୁକ୍ତ ହୋଇଥାନ୍ତି । ପାରମ୍ପରୀକ ସୁନିଆଁ ଭେଟି ଦେବାପାଇଁ ଗୋପାଳପୁର ପଟଣା ଗ୍ରାମରୁ ମହାଜନ ମାନେ ଘଣ୍ଟାବଜାଇ, ମଶାଲ ଜଳାଇ ମନ୍ଦିରରେ ପହଞ୍ଚିଥିଲେ । ସେହିପରି ରଙ୍ଗଣିସାହିର ଗୋପାଳ ବଂଶଧର ମାନେ ଠାକୁରଙ୍କୁ ଭେଟି ଭାବେ ସର, ଲବଣୀ, ଛେନା, ଖୁଆ, ପେଡା, ରସାବଳୀ ସହିତ କ୍ଷୀରରେ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ସାମଗ୍ରୀ ଠାକୁରଙ୍କୁ ଭେଟି ଭାବେ ପ୍ରଦାନ କରିଥିଲେ । ଠାକୁରଙ୍କ ସମ୍ପତିି ବା ପ୍ରଜା ଭାବରେ ଠାକୁରଙ୍କୁ ଭେଟି ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ବିଭିର୍ଣ୍ଣ ବର୍ଗର ଲୋକମାନେ ଆସିଥିବାର ଦେଖାଯାଇଥିଲା । ସାଙ୍ଗରେ ଫୁଲମାଳ ଭୋଗ ନୈବେଦ୍ୟ ଓ ସର ଲବଣୀ ଭାର ଠାକୁରଙ୍କ ପାଇଁ ଅଣିଥିବା ଦେଖାଯାଇଥିଲା । ଉପସ୍ଥିତ ପ୍ରଜା ଓ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିବା ସହିତ ସମ୍ମୁଖରେ ରଖାଯାଇଥିବା ଥାଳିରେ ସୁନିଆଁ ଭେଟି (ଅର୍ଥ) ପକାଇଥିଲେ । ଏହିପର୍ବରେ ମନ୍ଦିରର ବିଭିନ୍ନ ବର୍ଗର ସେବାୟତ ମାନେ ନିଜେନିଜେ ତିଆରି କରିଥିବା କଟୂରୀ, ପନିକି, କୋରଣା, ପିଢା, ରୁଖା, ଆଦି ବର୍ଷକୁଥରେ ମନ୍ଦିରରେ ବ୍ୟବହାର ନିମନ୍ତେ ଅର୍ପଣ କରିଥିଲେ । ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସୁନିଆଁ ଭେଟି ନିମନ୍ତେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଶ୍ରଦ୍ଧାଳୁ ମାନଙ୍କର ତାଲିକା ପଢ଼ିବାପରେ ଜଣଜଣ କରି ଭେଟି ପ୍ରଦାନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୯/୨୦୨୩---୮,୧୦ Sakhigopal News , 26/9/2023