ଏସ୍ ପି ବ୍ରିଜେଶ ରାୟଙ୍କ ନିଷ୍ପତ୍ତି କ୍ରମେ ଜବତ ୧୦୨୧ କିଲୋ ଗଞ୍ଜେଇ ପୋଡି ଦିଆଗଲା
ଭଞ୍ଜନଗର,୨/୧୨- ଓଡ଼ିଶା ହାଇକୋର୍ଟ ଓ ଜିଲ୍ଲା ସେସନସ୍ କୋର୍ଟ ଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ଡ୍ରଗସ୍ ଡିସପୋଜାଲ୍ କମିଟିର ଅଧ୍ୟକ୍ଷ ତଥା ଗଞ୍ଜାମ ଏସ୍ ପି ବ୍ରିଜେଶ ରାୟ ଭଞ୍ଜନଗର ଓ ସୋରଡ଼ା ଥାନା ର ୨୬ଟି ଏନଡିପିଏସ କେଶ୍ ଅନ୍ତର୍ଗତ ୧୦୨୧ କିଲୋ ଗଞ୍ଜେଇ ନଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ନିଷ୍ପତ୍ତି ମୁତାବକ ଶୁକ୍ରବାର ଜିଲ୍ଲାର ଶେରଗଡ଼ ଠାରେ ଥିବା ସରକାରୀ ଗଞ୍ଜେଇ ନଷ୍ଟ କେନ୍ଦ୍ର ରେ ଉଭୟ ଥାନା ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ୧୦୨୧ କିଲୋ ଗଞ୍ଜେଇ କୁ ମେସିନ ସହାୟତା ରେ ପୋଡି ନଷ୍ଟ କରାଯାଇଥିବା ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଭଞ୍ଜନଗର ଥାନା ଅଧୀନରେ ଗତ ୨୦୧୭ ମସିହାରୁ ଆଜିଯାଏଁ ରୁଜୁ ହୋଇଥିବା ୧୬ ଟି ଏନଡିପିଏସ ମାମଲାରେ ୫୮୨ କିଲୋ ଗଞ୍ଜେଇ ଜବତ ହୋଇ ମାଲଖାନା ରେ ପଡ଼ିରହିଥିଲା। ସେହିପରି ସୋରଡା ଥାନା ରେ ମଧ୍ୟ ଅନୁରୂପ ଭାବେ ଏହି ସମୟ ସୁଦ୍ଧା ୧୦ଟି ମାମଲା ରେ ମୋଟ ୪୩୯ କିଲୋ ଗଞ୍ଜେଇ ଜବତ ହୋଇ ମାଲଖାନା ରେ ପଡ଼ିରହିଥିଲା। ହାଇକୋର୍ଟ ଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଉଭୟ ଭଞ୍ଜନଗର ଓ ସୋରଡ଼ା ଥାନା ରୁ ଏହି ଜବତ ଗଞ୍ଜେଇ କୁ ଶେରଗଡ଼ ନିଆଯାଇଥିଲା। ସେଠାରେ ଏସପି ବ୍ରିଜେଶ ରାୟ, ଆସିକା ଏସଡିପିଓ ଉମାଶଙ୍କର ସିଂ, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସ ଓ ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତି ରେ ଏହିସବୁ ଜବତ ଗଞ୍ଜେଇ କୁ ପୋଡି ନଷ୍ଟ କରାଯାଇଥିବା ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।