Breaking News

ଅଁଳାନବମୀ ଓ ପାଦଦର୍ଶନ ପାଇଁ ସାକ୍ଷୀଗୋପାଳରେ ଲକ୍ଷାଧିକ ଭକ୍ତଙ୍କ ସମାଗମ


ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଣବ କ୍ଷେତ୍ର ଭାବେ ସାକ୍ଷୀଗୋପାଳ ମନ୍ଦିର ପରିଚିତ।  ଅଁଳାନବମୀ ଯାତ୍ରାକୁ ଜିଲ୍ଲାର ଦୁତୀୟ ଗଣପର୍ବ ଭାବେ ଗଣାଯାଏ। ବର୍ଷକୁ ଥରେ ମହାକାର୍ତ୍ତିକ ମାସ ଅଁଳାନବମୀ ରେ ମା ରାଧାରାଣୀ ଙ୍କ ପାଦ ଦର୍ଶନ କରିବାର ସୁଯୋଗ ମିଳିଥାଏ । ଅନ୍ୟ ପକ୍ଷେ ପ୍ରଭୁ ସାକ୍ଷୀଗୋପିନାଥ ଦେବଙ୍କ ନଟବର ବେଶ ସାଙ୍ଗକୁ ମା ରାଧାରାଣୀ ଙ୍କ ଓଡ଼ିଆଣୀ ବେଶରେ ବର୍ଷକୁ ଥରେ ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ମିଳିଥାଏ। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁମାନେ ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତ ମାନେ ଲମ୍ବା ଧାଡ଼ି ରେ ଯାଇ ଦର୍ଶନ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଠାକୁର ଙ୍କ ସମସ୍ତ ନୀତି କାନ୍ତି କରାଯିବା ପରେ ସିଂହାରୀ ସେବକମାନେ ମା ରାଧାରାଣୀଙ୍କୁ ପାଟଶାଢ଼ୀ ରେ କାଣିଆକଛା ମାରିଥିବା ବେଳେ ମସ୍ତକରେ ସ୍ବବର୍ଣ୍ଣ କିରଟି, ଅଁଳାମାଳ, ହରଡମାଳ,ବାଘନଖି ,ଡେଉଁରିଆ ମାଳ,କମରପଟି, ଦ୍ରାବିଡଚନ୍ଦ୍ର ,ମୟୁରବସାଗୁଣ,ତାବିଜ,ସେବତୀହାର ପାଦପଦ୍ମ, ପାଉଁଜି, ଝୁଣ୍ଟିଆ ଆଦି ସ୍ବବର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ। ପାଟଲୁଗା ପଣତକାନିରେ ଗୁଆ,ଦୁବ ଓଅରୁଆଚାଉଳ ଲୁଗାରେ ଗଣ୍ଠିପଡ଼ି ପଛପଟକୁ ପଡ଼ିଥାଏ । ଠାକୁର ଙ୍କ ସମସ୍ତ ନୀତି କାନ୍ତି ସରିବା ପରେ ପ୍ରଥମେ ସେବାୟତ ପରିବାର ଓ ମନ୍ଦିର କର୍ମଚାରୀ ଙ୍କ ପରିବାର ବର୍ଗ ଦର୍ଶନ କରିବା ପରେ ଭକ୍ତ ମାନଙ୍କ ପାଇଁ ସାହାଣମେଲା କରାଯାଇଥିଲା। ଭକ୍ତ ମାନେ ଅଁଳା କୋଳି, ତୁଳସୀ ,ଅଁଳାପତ୍ର ଓ ଫୁଲମାଳ ଠାକୁର ଙ୍କୁ ଲାଗିକରି ଥିଲେ । ସେହିପରି ମନ୍ଦିର ବେଢ଼ା ମଧ୍ୟରେ ଥିବା ଅଁଳା ଗଛକୁ ଜଗଦ୍ଧାତ୍ରୀ ପୂଜା କରିବା ସହ ମହିଳା ମାନେ ଶଙ୍ଖା ସିନ୍ଦୂର, ହଳଦୀ, ବସ୍ତ୍ର, ଫୁଲ, ଚନ୍ଦନ ଲାଗି କରିବା ସହ ଦୀପ ଜଳାଇ ହୁଳହୁଳି ପକାଇ ବନ୍ଦାପନା କରୁଥିବା ଦେଖିବାକୁ ମିଳିଥିଲା। ଭକ୍ତ ମାନେ ସାକ୍ଷୀଗୋପାଳ ମନ୍ଦିରର ପ୍ରସିଦ୍ଧ ସରପୂଳି, ଲଡୁ,ଡାଲିମ୍ବ,ଛତୁ ଭୋଗ ଭକ୍ତ ମାନେ କିଣିକି ନେଇଉଥବାର ଦେଖାଯାଇଥିଲା। ମନ୍ଦିର କୁ ରଙ୍ଗବେରଙ୍ଗ ଆଲୋକମାଳାରେ ଓ ଫୁଲମାଳ ରେ ସଜାଯାଇଥିଲା । ସେହିପରି ପରମ୍ପରା କ୍ରମେ ସିଦ୍ଧବକୁଳ ପୀଠରେ ଅଁଳା ବୃକ୍ଷ ମୂଳରେ ପୂଜା କରିବା ସହ ସେଠାରେ ପ୍ରସାଦ ସେବନ କରିଥିଲେ। ପଞ୍ଚସଖା ପଡ଼ିଆରେ  ତିନି ଦିନ ଧରି ଆୟୋଜିତ ଶ୍ରୀ ରାଧା ଉତ୍ସବକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡ଼ିଓ ଲୋଚନ ଦାଶ ଓ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ସକାଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ରାଜ୍ୟ ଦେବୋତ୍ତର ବିଭାଗ ର ଅଧିକାରୀ ଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଠାକୁର ଦର୍ଶନ କରିବା ସହ ଯାତ୍ରା ବୁଲି ଦେଖିଥିଲେ। ସତ୍ୟବାଦୀ ବିଡ଼ିଓ ଲୋଚନ ଦାସ, ତହସିଲଦାର ଜୟନ୍ତ କୁମାର ଜୟସିଂ ମାଜିଷ୍ଟ୍ରେଟ ଦାୟିତ୍ବରେ ରହିବା ସହ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ପଲ୍ଲିଶି ମେଳା ପଡ଼ିଆରେ ମହିଳା ଗୋଷ୍ଠୀ ମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ ଓ ଫାଷ୍ଟଫୁଡ ସହିତ ଘରଉପକରଣା ସାମଗ୍ରୀ ଦୋକାନରେ କିଣାବିକା ପାଇଁ ଭିଡ ଲାଗିଥିଲା । ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର ସମ୍ପାଦକ ବିଜୟ କୁମାର ନନ୍ଦ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଯାତ୍ରା କୁ ଶାନ୍ତି ଶୃଙ୍ଖଳା ଭାବେ ସଫଳତା କରିଥିଲେ। ଭକ୍ତ ମାନେ ଲମ୍ବା ଧାଡ଼ି ରେ ଠିଆହୋଇ ଠାକୁର ଙ୍କୁ ଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଏନସିସି, ସ୍କାଉଟ,ଜେଆରସିସିର ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ କ୍ଳବ୍, ଯୁବକ ସଂଘ,ସ୍ବୋଛାସେବୀ ଅନୁଷ୍ଠାନ ଓ ବ୍ୟାଙ୍କ ମାନଙ୍କ ପକ୍ଷରୁ ପାନୀୟ ଜଳ, ଦହି ପାଣି,ଟଙ୍କତୋରିଣି, ଜଳଖିଆ ବଣ୍ଟନ କାରାଯାଇଥିଲା। ସେହିପରି ରାସ୍ତା ଉପରେ ପଡ଼ିଥିବା ବଜ୍ଯବସ୍ତୁ ଗୁଡିକ ଉଠାଉଥିବା ଦେଖାଯାଇଥିଲା।  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ସୂଚନା ପ୍ରଦାନ କରାଯାଇଥିଲା ବେଳେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ନାମ ସଂକୀର୍ତ୍ତନ କରାଯାଇଥିଲା। ଯାହାଫଳରେ ଯାତ୍ରା ରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥିଲା।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧୧/୨୦୨୨----୮,୪୦  Sakhigopal News,2/11/2022

Blog Archive

Popular Posts