କାଖରେ ଦିବ୍ୟାଙ୍ଗ ପୁଅ, ମୁଣ୍ଡରେ କାଠ ବୋଝ ଧରି ବଞ୍ଚିବାକୁ ରାହା ଖୋଜୁଛନ୍ତି ଅସହାୟ ବିଧବା ମା
କନ୍ଧମାଳ----- ଜନ୍ମ ରୁ ଦିବ୍ୟାଙ୍ଗ । କିନ୍ତୁ ବର୍ଷ ବର୍ଷ ଧରି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ପ୍ରଶାସନ ପାଖରେ ଦ୍ୱାରସ୍ତ ହୋଇଥିଲେ ବି ଜଣେ ଅସହାୟ ବିଧବା ଆଦିବାସୀ ମା କୁ ମିଳୁନି ନିଜ ସନ୍ତାନ ପାଇଁ ଦିବ୍ୟାଙ୍ଗ ପ୍ରମାଣ ପତ୍ର । ଯାହା ଫଳରେ ବର୍ଷ ବର୍ଷ ଧରି ଦିବ୍ୟାଙ୍ଗ ଭତା ସାଙ୍ଗ କୁ ସରକାର ଙ୍କ ବିଭିନ୍ନ ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇ ଚାଲିଛନ୍ତି ଜଣେ ଅସହାୟ ବିଧବା ମା । କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ର ବାର ନମ୍ବର ୱାର୍ଡ ଗୁଳିମରା ପଦା ର ଦୀପା ମଳିକ । ଦୀପା ଙ୍କ ସ୍ୱାମୀ ଏବେ ଆର ପାରିରେ । ସ୍ୱାମୀ ଙ୍କ ମୃତ୍ୟୁ ପରେ ବି ଆଜିଯାଏଁ ମିଳୁନି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ନିଜର ପ୍ରାପ୍ୟ ଟଙ୍କା । ଏଥିପାଇଁ ବାରମ୍ବାର ପ୍ରଶାସନ ର ଦ୍ୱାରସ୍ତ ହେବା ସହ ଉଚ୍ଚ ପଦସ୍ତ ଅଧିକାରୀ ସବୁଠି ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ସବୁ ଜାଣି ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । କିନ୍ତୁ ନିଜର ସନ୍ତାନ ପାଇଁ ସବୁ ଦୁଃଖ କଷ୍ଟ କୁ ଭୁଲି ଏବେ ବି ବଞ୍ଚିବାକୁ ରାହା ଖୋଜୁଛନ୍ତି ଦୀପା ମଳିକ ।
ଆଖିରେ ଥିଲା ଅନେକ ଆଶା, ଥିଲା ଅଂଶୁମାରୀ ସପ୍ନ । ସବୁ ଝିଅ ଭଳି ଆଜିକୁ ନଅ ବର୍ଷ ହେବ ବିବାହ କରିଥିଲେ ଦୀପା ବାଲିଗୁଡା ର ପ୍ରତାପ ମଳିକ ଙ୍କୁ । ପ୍ରଥମେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେବା ପରେ ଖୁସି ର କୌଣସି ସୀମା ବି ନଥିଲା । କିନ୍ତୁ ଏହି ଖୁସି ପରେ ସବୁକିଛି ଓଲଟ ପାଲଟା ହୋଇଥିଲା। କାରଣ ନବଜାତ ଶିଶୁ ଟି ଜନ୍ମ ରୁ ଦିବ୍ୟାଙ୍ଗ ଥିଲା । ଧୀରେ ଧୀରେ ଶିଶୁ ଟି ବଡ଼ ହେଲା କିନ୍ତୁ ବିଛଣା ରେ ହିଁ ପଡି ରହିଲା । ସନ୍ତାନ ଦୁର୍ଗା ପ୍ରସାଦ ଚାଲିବାକୁ ଅକ୍ଷମ ଥିଲା ବେଳେ କଥାବାର୍ତା ମଧ୍ୟ କରି ପାରୁନି । କିନ୍ତୁ ସେତିକି ବି ଦୀପା ଙ୍କ କଷ୍ଟ ସରି ନ ଥିଲା । ଚାରି ବର୍ଷ ହେବ ସ୍ୱାମୀ ପ୍ରତାପ ଙ୍କ ଦେହାନ୍ତ ପରେ ଏତେ ବଡ଼ ଦୁନିଆ ରେ ଅସହାୟ ଓ ଏକାକୀ ହୋଇଛନ୍ତି ଏହି ମହିଳା ଜଣକ । ନିଜେ ବଞ୍ଚିବା ଓ ନିଜ ଦିବ୍ୟାଙ୍ଗ ସନ୍ତାନ କୁ ବଞ୍ଚାଇବା ଜଟିଳ ହୋଇପଡ଼ିଛି । ସ୍ୱାମୀ ଙ୍କ ମୃତ୍ୟୁ ପରେ କଳା ବାଦଲ ଛୁଟି ଆସିଛି ଦୀପା ଙ୍କ ଜୀବନରେ । ଏତେ ବଡ଼ ଦୁନିଆରେ ଆହା ପଦେ କହିବାକୁ କେହି ନାହିଁ । ଶଯ୍ୟାଶାୟୀ ସନ୍ତାନ କୁ ଛାଡି କାମଧନ୍ଦା ପାଇଁ ଯାଇପାରୁନାହାନ୍ତି ଦୀପା । ସ୍ଥାନୀୟ ଜଙ୍ଗଲ ରୁ କାଠ ସଂଗ୍ରହ କରି ବିକିଲେ ଯାହା ମିଳେ ସେଥିରେ ଚାଲୁଛି ତେଲ ଲୁଣ ର ସଂସାର । ଯେଉଁ ଦିନ ଜଙ୍ଗଲ କୁ ନ ଯାଇ ପାରିଲେ ସେ ଦିନ ଭୋକ ଉପାସ ରେ ବିତୁଛି ଦିବ୍ୟାଙ୍ଗ ଓ ଅସହାୟ ବିଧବା ମା ଙ୍କ ଜୀବନ । ସ୍ୱାମୀ ଙ୍କ ମୃତ୍ୟୁ ହେବାର ଚାରି ବର୍ଷ ବିତି ଗଲାଣି । ଭଙ୍ଗା କୁଡ଼ିଆ ରେ ଅସୁରକ୍ଷିତ ଭାବେ ବଞ୍ଚିଛନ୍ତି ଏହି ମହିଳା ।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମଧ୍ୟ ନାହିଁ । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବା ନ୍ୟାସନାଲ ଫେମିଲି ବେନିଫିଟ ସ୍କିମ ରେ ସ୍ୱାମୀ ଙ୍କ ମୃତ୍ୟୁ ପରେ ରହିଛି ସରକାର ଙ୍କ କୋଡିଏ ହଜାର ଟଙ୍କା ର ସହାୟତା ରାଶି । କିନ୍ତୁ ଆଜିଯାଏଁ ବାରମ୍ବାର ବାଲିଗୁଡା ବ୍ଲକ ଓ ଏନ. ଏ. ସି ରେ ଦୌଡ଼ି ଦୌଡ଼ି ନୟାନ୍ତ ପରେ ବି ମିଳୁ ପାରୁନି ଏହି କୋଡିଏ ହଜାର ଟଙ୍କା ର ସହାୟତା ରାଶି । ଅନ୍ୟ ପକ୍ଷେ ନିଜର ଦିବ୍ୟାଙ୍ଗ ପୁତ୍ର ର ପ୍ରମାଣ ପତ୍ର ମିଳୁ ନ ଥିବା ରୁ ବର୍ଷ ବର୍ଷ ହେବ ଦିବ୍ୟାଙ୍ଗ ଭତା ପାଇବାରୁ ବଞ୍ଚିତ । ପ୍ରଶାସନିକ ସ୍ତରରେ ଅଧିକାରୀ ନିଜ ର ଦାୟିତ୍ୱ କୁ ଭୁଲି ବ୍ଲକ - ଏନ. ଏ. ସି କୁ ଓ ଏନ. ଏ. ସି ବ୍ଲକ କୁ ଆଙ୍ଗୁଠି ଦେଖାଇ ଓହରି ଚାଲିଛନ୍ତି ନିଜ ଦାୟିତ୍ୱ କୁ ଭୁଲି। ଯାହା ଫଳରେ ଜୀବନ ଯାତ୍ରା ର ଏହି ସଂଘର୍ଷମୟ ଦୁନିଆରେ ନିରୁପାୟ ହୋଇ ପଡିଛନ୍ତି ଦୀପା । ନିଜ ର ସନ୍ତାନ ପ୍ରତି ମା ର ଦାୟିତ୍ୱ ଓ କର୍ତ୍ତବ୍ୟ କୁ ନିଭାଇ ଚାଲିଛନ୍ତି ଏହି ଅସହାୟ ବିଧବା ମା । ଏବେ ବି ନିଜ ସନ୍ତାନ କୁ ବଞ୍ଚାଇବାକୁ ମାତୃତ୍ୱ ର ଗୋଟିଏ ପରେ ଗୋଟିଏ ପରୀକ୍ଷା କୁ ଅତିକ୍ରମ କରିଚାଲିଛନ୍ତି । ତେବେ ଏ କୌଣସି ଉପାନ୍ତ ର ଘଟଣା ନୁହେଁ ଏ ହେଉଛି ରେ ବାଲିଗୁଡା ସହର ର ବାର ନମ୍ବର ୱାର୍ଡ ର ଗୁଳିମରାପଦା ର ଘଟଣା । ଯଦି ବ୍ଲକ ହେଉ ଅବା ଏନ. ଏ. ସି ଅବା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ନିକଟତର ବାର ନମ୍ବର ୱାର୍ଡ ର ଗୁଳିମରା ପଦା ସାହି ର ଏହା ହେଉଛି ବାସ୍ତବ ଚିତ୍ର । ଏପରି ଦୟନୀୟ ଜୀବନ ର କରୁଣ ଦୃଶ୍ୟ ଏବେ ସାମ୍ନା କୁ ଆସିବା ପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ହିଁ ଅପେକ୍ଷା କରିଛନ୍ତି ଜନସାଧାରଣ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା , ୧/୨/୨୦୨୧-------୧,୩୦
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା , ୧/୨/୨୦୨୧-------୧,୩୦