ରିଲିଫ ଯୋଗାଣ ଦାବିରେ କାଠକୋଟରେ ବିକ୍ଷୋଭ
କୁଜଙ୍ଗ---- କୁଜଙ୍ଗ ବ୍ଲକ ଅନ୍ତର୍ଗତ ହଂସୁରା, ବାଲିକଣି, କାଠକୋଟ ପଞ୍ଚାୟତର ବନ୍ୟା ବିପନ୍ନ ପରିବାରମାନେ ସରକାରୀ ରିଲିଫ୍ ବଣ୍ଟନକୁ ନେଇ ଗ୍ରାମାବସୀ ମାନେ ବିକ୍ଷୋଭ କରିଛନ୍ତି । ଲଘୁଚାପ ଜନିତ ବର୍ଷା ପରେ ପରେ ନଦୀରେ ବନ୍ୟା ଆସିବା ପରେ ଉପରୋକ୍ତ ତିନି ପଞ୍ଚାୟତରେ ବନ୍ୟା ବିଭିଷିକା ସୃଷ୍ଟି ହୋଇଥିଲା । ମହାନଦୀ ଓ ପାଇକା ନଦୀରେ ବନ୍ୟା ପାଣି କମିଯାଇଥିଲେ ହେଁ ଏଯାଏଁ କିଛି ଗାଁ ମୁଣ୍ଡରୁ ଏବେବି ପାଣି ରହିଛି । ଏହି ତିନି ଧୋୟା ପଞ୍ଚାୟତକୁ ସମ୍ପୂର୍ଣ୍ଣ ବନ୍ୟାଞ୍ଚଳ ଘୋଷଣା କରିବା ସହ ବନ୍ୟା ବିପନ୍ନ ମାନଙ୍କୁ ପର୍ଯ୍ୟାପ୍ତ ରିଲିଫ୍, ପଲିଥିନ୍, ଓ ଗୃହ ପାଳିତ ପଶୁମାନଙ୍କ ପାଇଁ ଗୋ-ଖାଦ୍ୟ ପ୍ରଦାନକୁ ନେଇ କାଠକୋଟ ପଞ୍ଚାୟତର ଜଳ ନିଷ୍କାସନ ପାଇଁ ଥିବା ସୁଇଚ୍ ଗେଟ୍କୁ ବନ୍ଦକରି ଶତାଧିକ ଲୋକମାନେ ବିକ୍ଷୋଭ କରିଥିଲେ । ତୁରନ୍ତ ଜିଲ୍ଲାପାଳ ହସ୍ତକ୍ଷେପ ଦାବି କରିଥିଲେ । ଖବର ପାଇ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନି, ବିଡିଓ ଅମିୟ କୁମାର ପଣ୍ଡା ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ପରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସୁଇସ୍ଗେଟ୍ ଖୋଲାଯାଇଥିଲା । କାଠକୋଟ ସରପଞ୍ଚ ମିହିର ରଞ୍ଜନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଗ୍ରାମର ମୁରବି ପ୍ରମୋଦ ପ୍ରଧାନ, ଅମୁଲ୍ୟ ରାଉତ, ଶ୍ରୀକାନ୍ତ ଦାସ, ଜିତୁନା ପଣ୍ଡା, ବାବୁ ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର