ସତ୍ୟବାଦୀକୁ ଘେରିଲା କରୋନା ; ମହାମାୟାସାହି, ପକ୍ଷୀମୁଣ୍ଡ ଓ ଡାଙ୍ଗୁରା ଗ୍ରାମକୁୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକକୁ ଏବେ କରୋନା ଭୂତାଣୁ ଘେରିଛି । ଜୟପୁର, ମହୁରା, ଦାସବିଦ୍ୟାଧରପୁର, ରାୟଖଣ୍ଡି ଆଦି ଗ୍ରାମ ପଞ୍ଚାୟତରେ ୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛି । ଯହାକୁ ନେଇ ସତ୍ୟବାଦୀରେ ଏବେ ଆଲେଚନା ଚାଲିଛି । ପୁରୀ ଜିଲ୍ଲାପାଳ ମହୁରା ଗ୍ରାମ ପଞ୍ଚାୟତର ଡାଙ୍ଗୁରା ଗ୍ରାମ, ଜୟପୁର ଗ୍ରାମ ପଞ୍ଚାୟତର ମହାମାୟାସାହି ଗ୍ରାମ, ଦାସବିଦ୍ୟାରଧରପୁର ଗ୍ରାମ ପଞ୍ଚାୟତର ପକ୍ଷୀମୁଣ୍ଡ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ଗ୍ରାମର ପ୍ରବେଶ ପଥ ଗୁଡିକ ସିଲ କରାଯାଇଛି । ଅନ୍ୟ ପକ୍ଷେ ରାୟଖଣ୍ଡି ଗ୍ରାମ ପଞ୍ଚାୟତର ସୁଆଁଲ ଗ୍ରାମରୁ କରେନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏପରିକି କରୋନା ଯୋଗୁ ସାମାଜିକ ଦୂରତା ଓ ମୁହଁରେ ମାସ୍କ ବାନ୍ଦିବା ବାଧ୍ୟକତା ମୁକଳ ନିୟମ କରାଯାଇଛି । ତଥାପି କିଛି ଅମାନିଆ ମାନୁ ନାହାନ୍ତି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତର ମହାମାୟା ସାହିର ଯୁବକ ଜଣଙ୍କ ସଂଗରୋଧ ଗୃହରୁ ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେ ଗ୍ରାମରେ ଭୋଜି ଭାତ କରିବା , ଛୋଟ ପିଲାଙ୍କ ସହିତ କ୍ରିକେଟ ଖେଳିବା, ଘର ପାଖ ଛୋଟ ପିଲାଙ୍କୁ ଧରିଥିବା ଜଣାପଡିଛି । ଯୁବକ ଜଣଙ୍କ କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ତାଙ୍କୁ କୋଭିଡ- ୧୯ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ଆଜି ସାକାଳେ ବିଡିଓ ସରୋଜ କୁମାର ଦତ୍ତ, ତହସିଲଦାର କସ୍ତୁରୀ ପ୍ରଧାନ, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଉକ୍ତ ଗ୍ରାମକୁ ଗସ୍ତ କରି ସମସ୍ତେ ନିଜ ନିଜ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷେ ସ୍ଥାନୀୟ ସରପଞ୍ଚ ବିଶ୍ୱଜିତି ମହାପାତ୍ର ମହାମାୟା ସାହିର ସମସ୍ତ ପ୍ରବେଶ ପଥକୁ ସିଲ କରିଛନ୍ତି । ଅଗ୍ନିଶମ ବିଭାଗ ସହଯୋଗରେ ଉକ୍ତ ଗ୍ରାମ ବିଶୋଧନ କରାଯାଇଛି । ଯୁବକ ଜଣଙ୍କ ୨୭ ଜଣଙ୍କ ସହିତ ବହୁ ସମୟ ଧରି ମିଳାମିଶା କରିଥିବାରୁ ତୁରନ୍ତ ଏହି ୨୭ ଜଣଙ୍କର ସ୍ୱାବ ଟେଷ୍ଟ କରିବା ପାଇଁ ସରପଞ୍ଚ ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି । ସେହିପରି ଦାସବିଦ୍ୟାଧରପୁର ଗ୍ରାମର ପକ୍ଷୀମୁଣ୍ଡ ଗ୍ରାମର ଦୁଇ ଜଣ ସଂଗରୋଧରୁ ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସରପଞ୍ଚ ହରିହର ନନ୍ଦ କହନ୍ତି । ଏଥିଯୋଗୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଭିଁପୁର ମାଳସାହିରୁ ପକ୍ଷୀମୁଣ୍ଡ ବନ୍ଦମୁଣ୍ଡା ରାସ୍ତା ସିଲ କରାଯାଇଛି । ପକ୍ଷୀ ମୁଣ୍ଡା ଗ୍ରାମକୁ ପ୍ରବେଶ ପଥ ଉପରେ ରୋକ ଲଗାଯାଇଛି । ଉକ୍ତ ଗ୍ରାମବାସୀଙ୍କୁ ମନା କରାଯାଇଛି କେହି ଘରୁ ନ ବାହାରିବା ପାଇଁ । ସେହିପରି ଉକ୍ତ ଗ୍ରାମକୁ ସମ୍ପର୍ଣ୍ଣ ନଜର ରଖାଯାଇଛି ବୋଲି ଶ୍ରୀ ନନ୍ଦ କହିଛନ୍ତି । ଅନ୍ୟ ପକ୍ଷେ ଡାଙ୍ଗୁରା ଗ୍ରାମକୁ କଣ୍ଟେନମେଣ୍ଟ ଜେନା ଘୋଷଣା କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ତିନୋଟି ଗ୍ରାମ ସଟ ଡାଉନ ରହିବ ବୋଲି ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି