 |
Delang |
ଡେଲାଙ୍ଗ ---- କାର୍ତ୍ତିକ ଶୁକ୍ଳପକ୍ଷ ବଡ ଏକାଦଶୀ ତିଥିରେ ତେଇଶିପୁର ସ୍ଥିତ ବାଲିଗାଁ ଦାସିଆପୀଠ ପରିସରରେ ଶୁକ୍ରବାର ଦିନ ଜଗନ୍ନାଥଙ୍କ ପରମ ଭକ୍ତ ସିରୋମଣି ଦାସିଆ ବାଉରିଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏଥିଯୋଗୁ ପୀଠ ଚଳଚଞ୍ଚଳ ସହ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ରାଧାମୋହନ ମଠ ଓ ସମ୍ମୁଖରେ ଥିବା ଜଗନ୍ନାଥ ମନ୍ଦିରର ପ୍ରତିଦିନ ଭଳି ସମସ୍ତ ଦେବନୀତି ସରିବା ପରେ ବେଦପାଠ, ଭାଗବତ ଗୀତାପାଠ, ଅଖଣ୍ଡ ନାମଯଜ୍ଞ କରାଯାଇଥିଲା । ଦାସିଆ ପୀଠରେ ନୂତନ ବସ୍ତ ଲାଗି କରାଯାଇଥିଲା । ପ୍ରଥା ଅନୁସାରେ ପୀଠ ତରଫରୁ ଭକ୍ତ ମାନଙ୍କୁ ଅରୁଆ ଚାଉଳରେ ଜାଉ, ଶାଗ ସହିତ କାଞ୍ଜି ବିତରଣ କରାଯାଇଥିଲା । କେଉଁ କାଳରୁ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି । ଏହି ପ୍ରସାଦ ପାଇବା ପାଇଁ ପୀଠରେ ଭକ୍ତ ମାନଙ୍କର ଗହଳି ଦେଖିôବାକୁ ମିଳିଥିଲା । ବିଶ୍ୱାସ ଅଛି ଏହି ପ୍ରସାଦ ପାଇଲେ ବିଭିନ୍ନ ରୋଗରୁ ଉପସମ ମିଳିଥାଏ । ତେବେ ଭକ୍ତ ଦାସିଆ ଶାଗଭଜା , ଜାଉ ଓ କାଞ୍ଜି ଖାଇବାକୁ ଯାଉଥିବା ବେଳେ ସେହି ପାତ୍ରରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ତାଙ୍କୁ ଦର୍ଶନ ଦେଇଥିଲେ , ଦାସିଆ ସେହି ଦର୍ଶନ ଦେଖି ଭାବବିହ୍ୱଳ ହୋଇ ପାଗଳପରି ଆଳପ କରିବା ସହ ନାଚିଉଠିଥିଲେ । ଏହାକୁ ମନେପକାଇ ପାଇଁ ଏଭଳି ପ୍ରସାଦର ସେବନର ଆୟୋଜନ କରାଯାଇଥାଏ ବୋଲି ଦାସିଆ ପୀଠର ସୁରକ୍ଷା ସମିତିର କର୍ମକର୍ତ୍ତା କବୀର କହନ୍ତି । ସକାଳୁ ସକାଳୁ ଭକ୍ତମାନେ ସ୍ମୁତିପୀଠକୁ ଆସି ଦାସିଆ ବାଉରିଙ୍କ ବୋଞ୍ଜ ନିର୍ମିତ ପ୍ରତିମୂର୍ତ୍ତି ସହ ଚତୁର୍ଦ୍ଧାମୂର୍ତ୍ତି, ରାଧାମୋହନଙ୍କୁ ମଧ୍ୟ ଦର୍ଶନ କରିଥିଲେ । ପୀଠକୁ ଦର୍ଶନ କରିବାକୁ ଆସିଥିବା ଅନେକ ଭକ୍ତ ନଡିଆ, ଖଇକେରା, କଦଳୀ. ଚୁଡାଘଷା ଆଦି ନବୈଦ୍ୟ ଅର୍ପଣ କରିଥିଲେ । ଦାସିଆ ବାଉରୀଙ୍କ ଜନ୍ମ ଉତ୍ସବ ଅବସରରେ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ମାତ୍ର ରାତିରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥବା ବେଳେ ବାତ୍ୟା ବିଲ୍ ବୁଲ୍ ସବୁ ଧୋଇ ନେଇଛି । ଅପରାହ୍ନରୁ ବର୍ଷା ଲାଗି ରହିବାରୁ ସବୁଫିକା ପଡି ଯାଇଥିଲା । କିବିନ୍ଦ୍ର ବେହେରା ଓ ମନୋରଞ୍ଜନ ପଲେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି