ନୂପୁରର ରୁଣୁଝୁଣ ଶବ୍ଦ ଓ ସଙ୍ଗୀତର ସୁରତାଳ ଅପେକ୍ଷାରେ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ
Konark |
ସବୁଜିମାଭରା ଛୋଟ ବଡ଼ ବୃକ୍ଷରାଜି, ରଙ୍ଗବେରଙ୍ଗର ଫୁଲ, ଚାନ୍ଦୁଆ, ଚୁମୁକି ଓ ଟେରାକୋଟା ସାମଗ୍ରୀ ବ୍ୟବହୃତ ସାଜସଜା ଏବଂ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକିତ ଲିଚୁମାଳା କୋଣାର୍କର ସାନ୍ଧ୍ୟ ଶୋଭାକୁ ମାଦକତାରେ ଭରିଦେବା ପାଇଁ ଆରମ୍ଭ ହୋଇଛି ଉଦ୍ଦ୍ୟମ । ନୃତ୍ୟଶିଳ୍ପୀଙ୍କ ନୂପୁର ରୁଣୁଝୁଣ ଶବ୍ଦର ଓ ସଙ୍ଗୀତର ସୁରତାଳକୁ ଅପେକ୍ଷା କରିଛି ଏହି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମୁକ୍ତାକାଶ ରଙ୍ଗମଞ୍ଚ । ପର୍ଯ୍ୟଟନ ବିଭାଗ ପକ୍ଷରୁ କଳାପ୍ରେମୀ ଦର୍ଶକଙ୍କ ନିମନ୍ତେ ଟୁର ପ୍ୟାକେଜର ଓ ସିଜିନ ଟିକେଟର ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି ।
ଏହି ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗର ସହାୟତାରେ କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ସାଇକ୍ଲୋଥନ, କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ ବସନ୍ତମଞ୍ଜରୀ ପାଠାଗାର ପକ୍ଷରୁ ଗଣ ଦୌଡ ଅନୁଷ୍ଠିତ ହେବ । ଭାରତୀୟ ବାଲୁକାଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଳ୍ପୀଙ୍କୁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯିବ ବୋଲି ଅନ୍ତର୍ଜାତୀୟ ବାଲୁୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ବାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ