ଶ୍ରୀମନ୍ଦିର ପରିସରରେ ରହିଛି ଶୌଚାଳୟ
ପୁରୀ----- ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ପରିସରରେ ଶୌଚାଳୟ । ଶ୍ରୀମନ୍ଦିର ପରିସର ଆନନ୍ଦ ବଜାରର ଉତ୍ତର ପାର୍ଶ୍ୱ କାନ୍ଥ ମଝିରେ କରୁଛନ୍ତି ପରିସ୍ରା । ଜଣେ କି ଦୁଇ ଜଣ ନୁହେଁ ପରିସ୍ରା କରିବାକୁ ଲାଗିଥାଏ ଧାଡି । ସେଥିରେ ରହିଛନ୍ତି ଭକ୍ତ, ସେବାୟତ, ଜେଟିପି ଓ କାର୍ଯ୍ୟରତ ପୋଲିସ କର୍ମଚାରୀ । ଉତ୍ତରପାର୍ଶ୍ୱ ମେଘନାଦ ପାଚେରୀ ଆଉ ଆନନ୍ଦବଜାର କାନ୍ଥ ମଝିକୁ ନିର୍ଦ୍ୱନ୍ଦ୍ୱରେ ଟଏଲେଟ ଭାବେ ବ୍ୟବହାର କରୁଛନ୍ତି । କିନ୍ତୁ କିଏ ଦେଇଛି ଏଭଳି କାର୍ଯ୍ୟ ପାଇଁ ଅନୁମତି । ଯେଉଁ ମନ୍ଦିରରେ ଟଏଲେଟ କରିବାକୁ ଖାସକରି ସେବାୟତ ଓ ଭକ୍ତ ମାନେ ପ୍ରତିବାଦ କରୁଥିବା ବେଳେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଶ୍ରୀମନ୍ଦିର ଭିତରେ ଏଭଳି ଆଚରଣ ବେଶ ଆଘାତ ଦେଇଛି ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କୁ । ସେପଟେ ଏଭଳି କାର୍ଯ୍ୟ ବେଶ ନିନ୍ଦନୀୟ ଓ ଏହା ଉପରେ ସଚେତନ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ନିଯୋଗ ବୈଠକରେ ଏହାକୁ ପକାଯିବା ସହ ପରିଚାଳନା କମିଟିରେ ଏକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ରଖାଯିବ ବୋଲି କହିଛନ୍ତି ମୁଦାଲି ନିଯୋଗର ବରିଷ୍ଠ ସେବାୟତ ।
ଏହି ଦୃଶ୍ୟଟି ଉତ୍ତୋଳନ ହୋଇଛି ଲକ୍ଷ୍ମୀବଜାର ବା ଉତ୍ତରପାର୍ଶ୍ୱ ମଠ ଚକଡାରୁ । ମେଘନାଦ ପାଚେରୀ ଓ ଆନନ୍ଦବଜାର କାନ୍ଥ ମଝିରେ ରହିଥିବା ଫାଙ୍କା ସ୍ଥାନକୁ ଖୋଲାଖୋଲି ଶୌଚାଳୟ ଭାବେ ବ୍ୟବହାର କରାଯାଉଛି । ଶ୍ରୀମନ୍ଦିର ଭିତରେ ଏଭଳି ଶୌଚ ଖାଲି ସାଧାରଣ ଭକ୍ତ ନୁହେଁ, ପୋଲିସ କର୍ମୀ ଓ ସେବାୟତ ଏବଂ ବୋଝିଆ ମାନେ ବି ଶୌଚ କରୁଛନ୍ତି । ଆନନ୍ଦବଜାରରେ ମହାପ୍ରସାଦ ଖାଇବା ପାଇଁ କରାଯାଇଥିବା ନୂଆ ଘର ପାର୍ଶ୍ୱରେ ଧୂଆ ଧୋଇ ପାଇଁ ନଳା କରାଯାଇଥିଲା । ଆଉ ସେଥିରେ ଏଭଳି ପରିସ୍ରା କରିବା ବେଶ ଆଘାତ ଦେଇଛି ଜଗନ୍ନାଥ ପ୍ରେମୀଙ୍କୁ । ସେବାୟତଙ୍କ ବିରୋଧ ଯୋଗୁଁ ନିର୍ମାଲ୍ୟ ଖଳା ନିକଟରେ ନିର୍ମାଣ ହୋଇଥିବା ଟଏଲେଟ ବନ୍ଦ ହୋଇଥିବା ବେଳେ ଏଭଳି ଧାର୍ମିକ ପୀଠ ଭିତରେ ଶୌଚ କରିବାକୁ କିଭଳି ସେବାୟତ ଇଚ୍ଛା ପ୍ରକାଶ କରୁଛନ୍ତି । ଶ୍ରୀମନ୍ଦିର ଭିତରେ ଶୌଚ କରିବା ବେଶ ନିନ୍ଦନୀୟ ଓ ଦୁଃଖଦାୟକ ଘଟଣା । କିଭଳି ଭାବେ ପୋଲିସ କର୍ମୀ ଓ ସେବାୟତମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରୁଛନ୍ତି ଯେଉଁଠି ତଳେ ପଡିଲେ ନିର୍ମାଲ୍ୟ କଣିକା ଭକ୍ତ ଗୋଟାଇ ଗ୍ରହଣ କରେ । ସେହି ଅଞ୍ଚଳରେ ଏଭଳି ଶୌଚ କରିବା ଅନୁଚିତ । ସେପଟେ ଖାଲି ଆନନ୍ଦ ବଜାର ନୁହେଁ, ରୋଷଶାଳା ପାଖରେ ବି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଶ୍ରୀମନ୍ଦିର ଭିତରେ ସଚେତନତା ଫଳକ ଲଗାଯିବା ସହ ମନ୍ଦିର ବାହାର ପଟେ ଥିବା ଶୌଚାଳୟ କେଉଁଠି ଅଛି ସେ ନେଇ ମଧ୍ୟ ବୋର୍ଡ ଲଗାଯିବ ବୋଲି କହିଛନ୍ତି ନୀତି ପ୍ରଶାସକ ।