ସୁଲଣରେ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ
ହାଟଡିହି----- ହାଟଡିହି ବ୍ଲକର ସୁଲଣରେ ପ୍ରସିଦ୍ଧ ବାଲିଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଛି । ୯ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ପାଇଁ ସମଗ୍ର ଗ୍ରାମଟି ହୋଇ ଉଠିଛି ଉତ୍ସବ ମୁଖର । ଏହି ବାଲିଯାତ୍ରା ଏ ଅଞ୍ଚଳର ବଡ ପର୍ବ ଭାବେ ପରିଗଣିତ ହୋଇଥିବାରୁ ହଜାର ହଜାର ଲୋକଙ୍କ ସମାଗମ ଆଶା କରାଯାଉଛି । ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ବୈତରଣୀ ନଦୀରୁ ବାଲି ଅଣାଯାଇ ବାଲି ଠାକୁରାଣୀଙ୍କ ପୀଠରେ ରଖାଯାଇ ପୂଜାର୍ଚ୍ଚନା କରାଯିବା ସହିତ ଏହି ବାଲିରେ ଏକ ପ୍ରକାର ଧାନ ବୁଣାଯାଇଥାଏ । ଯାହାକି ବୁଣିବାର ୯ଦିନ ଭିତରେ ଧାନ ପାଚିବା ସହ ଧାନ ଅମଳ କରାଯାଇଥାଏ ବୋଲି ପ୍ରଥା ରହି ଆସିଛି । ଏହି ଧାନକୁ ‘ସାର’ ବୋଲି କୁହାଯାଇଥାଏ । ଏହି ‘ସାର’କୁ ପ୍ରତି ଘରକୁ ବଣ୍ଟନ କରାଯିବା ସହିତ ଏହି ‘ସାର’କୁ ରଖି ଘରେ ଘରେ ପୂଜା କରାଯାଇଥାଏ । ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ହେବ ଏହି ବାଲିଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଗତକାଲି ରାତିରେ ବୈତରଣୀନଦୀର ମୁଗୁପୁର ଘାଟରୁ ଘଟ୍ଟୋତ୍ତାଳନ କରାଯାଇ ସମସ୍ତ ରୀତିନୀତି ମତେ ପୂଜାର୍ଚ୍ଚନା କରି ବାଲି ଉତ୍ତୋଳନ କରାଯିବା ପରେ ଏକ ବିରାଟ ପଟୁଆରରେ ବାଲି ଅଣାଯାଇ ମାଙ୍କ ପୀଠରେ ସ୍ଥାପନ କରାଯିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏହା ମା ଲକ୍ଷ୍ମୀଙ୍କ ଅନ୍ୟତମ ପୂଜା ଭାବେ ବିଚାର କରାଯାଇ ମା ଲକ୍ଷ୍ମୀଙ୍କ ମୃଣୟୀ ମୁର୍ତ୍ତୀ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ ସୁସଜ୍ଜିତ ରଙ୍ଗିନି ଆଲୋକମାଳାରେ ପୀଠ ସ୍ଥାନକୁ ସଜାଯାଇ ଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏଥିପାଇଁ ବାଲିଯାତ୍ରା ପଡିଆରେ ବିଭିନ୍ନ ଉଠା ଦୋକାନୀମାନେ ସେମାନଙ୍କ ପସରା ମେଲାଇ ଦେଇଛନ୍ତି । ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ ବାରମଜା ଛୋଟ ଛୋଟ ଶିଶୁ ମାନଙ୍କୁ ଆକୃଷ୍ଟ କରିଛି । ସୁଲଣ ଗ୍ରାମର ଯୁବକ ସଂଘ ଓ ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ