 |
Sakhigopal |
ସାକ୍ଷୀଗୋପାଳ---- ଚଳିତ ବାତ୍ୟାରେ ପୁରୀ ଜିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସମସ୍ତ ସୁବିଧା ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ କରାଯାଉଛି । ବିଶେଷ କରି ପ୍ରଫୁଲ ଯୋଜନା ଦିବ୍ୟାଙ୍ଗ ମାନଙ୍କୁ ସହଯୋଗର ହାତ ବଡାଇଛି । ଏହି ଯୋଜନାରେ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରାଯାଇ ସଙ୍ଗେ ସଙ୍ଗେ ଭର୍ତ୍ତା ମଞ୍ଚୁର କରାଯାଉଛି । ସେହିପରି ଶିକ୍ଷିତ ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି ଯୋଜନାରେ ପ୍ରଶିକ୍ଷଣ ଦିଆଯିବାର ବନ୍ଦୋବସ୍ଥ କରାଯାଇଛି । ମଙ୍ଗଳବାର ସତ୍ୟବାଦୀ ବ୍ଳକ ନିକଟସ୍ଥ ରେଖାରାଣୀ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ସତ୍ୟବାଦୀ ବ୍ଳକର ୧୪୫ ଜଣ ଓ ପିପିଲି ବ୍ଳକର ୧ଶହ ଜଣ ଦିବ୍ୟାଙ୍ଗ ମାନଙ୍କର ନଥିପତ୍ର ଯାଞ୍ଚ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ବିଡିଓ ସରୋଜ କୁମାର ଦତ୍ତ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଜିଲ୍ଲା ଓ ବ୍ଳକ ପ୍ରଶାସନର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ଭିନ୍ନକ୍ଷମ ପୁନଃବାସ କେନ୍ଦ୍ରରେ ୬ ଦିନିଆ ତାଲିମ ପ୍ରଦାନ କରାଯିବା ପରେ ବ୍ୟାଙ୍କ ମାଧ୍ୟମରେ ସେଠାରେ ଋଣ ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପାଢ଼ୀ ସୁଚନା ପ୍ରଦାନ କରିଥିଲେ । ଆର ପି ସଂଗୀତା ଦାସ, ବାସନ୍ତୀ ହୋତା, ସରିତା ମହାପାତ୍ର, ସସ୍ମିତା ରଥ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୃୁତିମୟୀ ସାହୁ ଦିବ୍ୟାଙ୍ଗ ମାନଙ୍କର କାଗଜପତ୍ର ଯାଞ୍ଚ କରିବାରେ ସହଯୋଗ କରିଥିଲେ । ବ୍ଳକ ସମାଜ ମଙ୍ଗଳ ଅଧିକାରୀ ସୂର୍ଯ୍ୟ ପ୍ରସାଦ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି