Breaking News

ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ


ପୁରୀ-----ଆଜି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହେଉଛି। ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ଅବା ଶନିବାର ଦିନ ଏହି ବେଶ କରାଯାଇଥାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ବଡ଼ସିଂହାର ବେଶ ରେ ମହାପ୍ରଭୁଙ୍କ ଏହି ପଦ୍ମ ବେଶ ହୋଇ ଥାଏ। ଏହି ବେଶର ପ୍ରବର୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦାସ।
ତେବେ କିମ୍ବଦନ୍ତୀ ଅନୁଯାୟୀ ପୂରା କାଳରେ ଜଣେ ସାଧୁ ଥିଲେ ମନୋହର ଦାସ । ଏକଦା ସାଧୁ ମନୋହର ଦାସ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ଶ୍ରୀକ୍ଷେତ୍ର ରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ରାସ୍ତା ରେ ଆସୁଥିବା ବେଳେ ରାତ୍ରି ହୋଇଗଲେ କୈଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି । ପାଦ ରେ ଚାଲି ଚାଲି ଯାଉଥିବା ବେଳେ ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୈଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ରେ ଅନେକ ପଦ୍ମ ଫୁଲ ଫୁଟିଛି। ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ଗାମୁଛାରେ ନେଇଥିଲେ । ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ତେବେ ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କଲେ ।ଏ ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ଶୟନ କଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ ଭକ୍ତ ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ଭକ୍ତ ମନୋହର ଦାସଙ୍କ ଶ୍ରୀଜଗନ୍ନାଥଙ୍କୁ ପଦ୍ମ ପୁଷ୍ପ ପ୍ରଦାନର ସ୍ମରଣ ରଖିବା ଉଦେଶ୍ୟ ମହାପ୍ରଭୁଙ୍କ ପଦ୍ମ ବେଶ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଥାଏ। ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ସୋଲରେ ନିର୍ମିତ ପଦ୍ମ ପୁଷ୍ପ ପରିହିତ ହୋଇଥାନ୍ତି । ପୁରୀ ରୁ ଜୟନ୍ତ କୁମାର ସେଠୀ ,୧୩/୨/୨୦୨୧----୩,୩୦

Blog Archive

Popular Posts