
ପିପିଲି ---- ପିପିଲି ବ୍ଳକର ନ୍ରୂଆଶାସନ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପାଇଁ ଉପନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ପିପିଲି ବିଜେଡି ଦଳୀୟ କାର୍ଯ୍ୟାଳୟ ଠାରୁ ଶହ ଶହ ମଟର ସାଇକେଲରେ ଯୁବକ ମାନେ ଅତିଥି ମାନଙ୍କୁ ବିଭିନ୍ନ ଗ୍ରାମ ଦେଇ ସଭାମଞ୍ଚକୁ ପାଛୋଟି ଆଣିଥିଲେ । ଏହି ସମୟରେ ପ୍ରଦୀପ ମହାରଥୀ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦରେ ରାସ୍ତା କମ୍ପିଉଠିଥିଲା । ବିଜେଡି ଦଳର ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ଡଃ ଚିନ୍ମୟ ମହାପାତ୍ର ଖୋଲା ବହି ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଳାଇଛନ୍ତି । ଏହି ଅବସରରେ ଉକ୍ତ ଗ୍ରାମ ପଞ୍ଚାୟତର ଚଉଦମାଣ ମେଳଣପଡିଆରେ ଅନୁଷ୍ଠିତ ସଭାରେ ପିପିଲି ବ୍ଳକର ବିଜେଡି ଦଳର ସଭାପତି ପ୍ରଫୁଲ ସ୍ୱାଇଁ ସଭାପତିତ୍ୱ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ସମ୍ମାନୀତ ଅତିଥି ଭାବେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ, ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତି ହୋଇଥିବା ପ୍ରତାପ କେଶରୀ ଦେଓ ଓ ପୁରୀ ଜିଲ୍ଲା ବିଜେଡି ଦଳର ପର୍ଯ୍ୟବେକ୍ଷିକା ସନ୍ଧ୍ୟାରାଣୀ ଦେବୀଙ୍କ ସହିତ ଡେଲାଙ୍ଗ ବ୍ଳକ ସଭାପତି ବୈରାଗୀ ଜେନା,ପିପିଲି ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ପ୍ରମୁଖ ଯୋଗଦେଇଥିଲେ । ସଭା ଆରମ୍ଭରୁ ଜଗନ୍ନାଥଙ୍କ ଫଟୋଚିତ୍ର ଓ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବିଧାୟକ ଉମାକାନ୍ତ ସମାନ୍ତରାୟ କହିଥିଲେ ଦିବଂଗତ ବିଧାୟକଙ୍କ ପରେ ଏହା ହେଉଛି ତାଙ୍କ ଅନୁପସ୍ଥିତିରେ ପ୍ରଥମ ବୈଠକ । ସରପଞ୍ଚ ନିର୍ବାଚନ ଏହା ସାଧାରଣ କଥାରେ ନାହିଁ ଏହା ହେଉଛି ବିଜେଡି ଦଳର ସମ୍ମାନର କଥା । କାରଣ ଆଗକୁ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି ବୋଲି କହିଥିଲେ । ସେହିପରି ଗଣଶିକ୍ଷା ମନ୍ତ୍ରୀ ଆମ ପ୍ରାର୍ଥୀ ନିଶ୍ଚୟ ଜିତିବେ ଏଥିରେ ସନ୍ଦେହ ନାହିଁ । ଆଗକୁ ଯେଉଁ ଉପନିର୍ବାଚନ ଆସିବ ସେଥିରେ ମଧ୍ୟ ମହାରଥୀ ପୁଣି ଫେରିବେ ବୋଲି ମନ୍ତ୍ରୀ ତାଙ୍କ ଭାଷଣରେ କହିବା ବେଳେ ଉପସ୍ଥିତ ମହିଳା ପୁରଷ ହୁଳହୁଳି, ହରବୋଲ ଓ ତାଳିମାରି ସମର୍ଥନ କରିଥିଲେ । ଉପସ୍ଥିତ ଥିବା ଜନସାଧାରଣଙ୍କୁ ଯୋଗ ଦେଇଥିବା ଅତିଥି ମାନେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମାର ସଭାପତି ଧରିଣୀ ଧର ସାହୁଙ୍କ ସହିତ ସମସ୍ତ ଜିଲ୍ଲାପରିଷଦ ସଭ୍ୟସଭ୍ୟା,ବିଜେଡି ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ପିପିଲି ରୁ ବିଜୟ କୁମାର ମହାପାତ୍ର