ରାସ୍ତା କାମ ହେବାର ଏକମାସ ମଧ୍ୟରେ ଦବିଲା ରାସ୍ତା; ଗୋଡି ଗଦାଇ ଲୁଚା ଯାଇଛି କାମ
ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଏକ ରାସ୍ତା କାମ କରାଯାଇଛି । ଏଥିପାଇଁ ଦୁଇ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ମାତ୍ର କାମ ସରିବାର ଏକ ମାସ ପରେ ଏକ ଟ୍ରାକ୍ଟଟର ଯିବା ସମୟରେ ରାସ୍ତା ଦବି ଯାଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ସୁଚନାଯୋଗ୍ୟ ଯେ ବଳପୁର ମୁଦୁଲୁସାହି ୩ ୱାର୍ଡରେ ଦୁଇଲକ୍ଷ ଟଙ୍କା ବିନିମୟରେ ଗୋଡିସିମେଣ୍ଟ ସି.ସି ରୋଡ କରାଯାଇଛି । ଗ୍ରାମର କିଛି ଯୁବକ ମାନେ କାମ ଆରମ୍ଭରୁ ନିମ୍ନ କାମକୁ ନେଇ ଅଭିଯୋଗ ଆଣିଥିଲେ । ଗ୍ରାମ ରାସ୍ତା ସମ୍ପୁର୍ଣ୍ଣ ଭଲ ରହିଥିବା ବେଳେ କାହା ନିର୍ଦ୍ଦେଶରେ ଏବଂ କ’ଣ ପାଇଁ ଏହି ରାସ୍ତା ପୁନର୍ବାର କାମ କରାଗଲା ଏହାକୁ ନେଇ ପୁରୀ ଜିଲ୍ାପାଳଙ୍କ ପାଖରେ ଅଭିଯୋଗ ହୋଇଛି । କାମ କରୁଥିବା ଠିକାଦାର ଉକ୍ତ ରାସ୍ତାକୁ ନ ଖୋଳି ନାମକୁ ମାତ୍ର ଗୋଡି ପକାଇ ଦେଇ ତା ଉପରେ ବାଲି ସିମେଣ୍ଟ ପକାଇ କାମ କରିଥିବା ନେଇ ପାଟିତୁଣ୍ଡ ହୋଇଥିଲା । ଅନ୍ୟ ପକ୍ଷେ ଏହି କାମ ସମୟରେ ଜେଇ ଅନୁପସ୍ଥିତ ରହିଥିଲେ । ଏହାର ସୁଯୋଗ ନେଇ ଠିକାଦାର ନିମ୍ନ ମାନର କାମ କରିଛି ବୋଲି ଅଭିଯୋଗ ହୋଇଛି । କାମ ସରିବା ପରେ ବୋର୍ଡ ନ କରି ଜଣଙ୍କ କାନ୍ଥରେ ସୂଚନା ଫଳକ କରାଯାଇଛି । କାମ ତୁରନ୍ତ ମାପ କରାଯାଉ ଏବଂ ରାସ୍ତା ଉପରେ ଗଦା ହୋଇଥିବା ଗୋଡି ଉଠାଯାଇ ତଦନ୍ତ କରାଯାଉ ନଚେତ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ କରିବା ପାଇଁ ଜନସାଧାରଣରେ ଦାବୀ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି