Breaking News

 ବେଆଇନ ମଦ,ସଟ୍ଟା,ଜୁଆକୁ ନେଇ ଅତାବିରା ଥାନା ଘେରାଉ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-
ବରଗଡ଼ ଜିଲ୍ଲାରେ ଅବାଧରେ ମଦ ବିକ୍ରି ଓ ସଟ୍ଟା,ଜୁଆ ଖେଳରେ ଲୋକେ ଅତିଷ୍ଠ ହୋଇ ପଡିଲେଣି  । ବିଭିନ୍ନ ସମୟରେ ଅନୁଷ୍ଠାନିକ ତଥା ଜନ ସାଧାରଣଙ୍କ ପକ୍ଷରୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ହେଉଥିବା ନିଶା କାରବାର ସହ ଅନୈତିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ବାରମ୍ବାର ଅଣ୍ଟା ଭିଡୁଛନ୍ତି । ହେଲେ ତାହା କାହାର ଛତ୍ର ଛାୟା ତଳେ ଓ କାହା ସ୍ୱାର୍ଥ ଲାଳସା ଯୋଗୁଁ ଆଜି ବି ଅବାଧରେ ମଦ,ସଟ୍ଟା,ଜୁଆ କାରବାର ଲୋକଙ୍କୁ ନାକେଦମ କରିସାରିଲାଣି। ଯାହାକୁ ନେଇ ଆଜି ଜନ ସାଧାରଣ ଉତ୍ତେଜିତ ହୋଇ ବେନିୟମ ଭାବରେ ଗଢି ଉଠିଥିବା ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଭାଟି କୁ ସହରାଞ୍ଚଳରୁ ସ୍ଥାନାନ୍ତରିତ କରିବା ପାଇଁ ଦାବି କରିବା ସହ ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ଦାବିରେ ଥାନା ଘେରାଉ କରିଥିଲେ। ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରସ୍ଥ ହୋଇ ଲୋକମାନେ  ଗର୍ଜୁଛନ୍ତି ହେଲେ କେବେ ବରଷୁ ନାହିଁ ବୋଲି ଲୋକେ କହୁଛନ୍ତି । ଜାତୀୟ ରାଜପଥ କଡରେ ଲାଗି ରହିଥିବା ବିଦେଶୀ ମଦ ଦୋକାନ ସହ ପାନ ଦୋକାନ, ଢାବା,ହୋଟେଲ ମାନଙ୍କରେ ଖୁଲମଖୁଲା ତଥା ସରକାରୀ ସ୍କୁଲ କଲେଜ ତଥା ସରକାରୀ କାର୍ଯ୍ୟାଳୟ  ନିକଟରେ ବେଧଡକରେ ମଦ ଦୋକାନ ଖୋଲିବା ସହ ଅବାଧରେ ଚାଲୁଥିବା ସଟ୍ଟା ଆଡ୍ଡା ଗୁଡ଼ିକୁ ବନ୍ଦ କରିବା ପାଇଁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ  ଆଜି ପର୍ଯ୍ୟନ୍ତ ତାକୁ ବନ୍ଦ କରାଯାଇ ପାରୁନାହିଁ ବୋଲି ଲୋକେ କହୁଛନ୍ତି। କେବଳ ପ୍ରଶାସନ ଲୋକଙ୍କୁ ସ୍ୱାନ୍ତନା ଓ ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଯଦ୍ୱାରା ଅବାଧରେ ନିଶା କାରବାର ସହ ଅସାମାଜିକ କାର୍ଯ୍ୟକଳାପ ଗୁଡିକ ବୃଦ୍ଧି ପାଇ ଜନ ଜୀବନ ନଷ୍ଟ ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହନ୍ତି । ସକାଳ ୬ଟା ରୁ ରାତ୍ରି ୧୨ଟା ଯାଏଁ ଏହି ବେଆଇନ ଜୁଆ ଓ ନିଶା କାରବାର  ପ୍ରବଳ ମାତ୍ରାରେ ବୃଦ୍ଧି ପାଇବା ଯୋଗୁଁ ଚୋରି, ଡକାୟତି,ଲୁଟମାର,ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟୁଛି ବୋଲି ଲୋକମାନେ କହନ୍ତି ।  ତେବେ ଦେଖାଯାଉ ଆଉ କେତେ ଦିନ ପରେ ଏ  ଅଞ୍ଚଳକୁ ମଦ,ସଟ୍ଟା, ଜୁଆ ସହ ଅସାମାଜିକ କାର୍ଯ୍ୟ କଳାପରୁ ମୁକ୍ତ କରାଯିବ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....

Blog Archive

Popular Posts