ସଂଗରୋଧ କେନ୍ଦ୍ରରେ ଯୋଡି ହେଲେ ଦୁଇ ଜୀବନ,ସରପଞ୍ଚ କଲେ କନ୍ୟାଦାନ
ବରଗଡ଼---କରୋନା ସଂକ୍ରମଣ ଯୋଗୁଁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ପ୍ରତି ପଞ୍ଚାୟତ ମାନଙ୍କରେ କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲାଯାଇଛି।ଏହି କେନ୍ଦ୍ର ଗୁଡିକରେ ପ୍ରବାସୀ ଶ୍ରମିକମାନେ ଆସି ଅବଧି ଶେଷ ପର୍ଯ୍ୟନ୍ତ ରହୁଛନ୍ତି।ଏହି ଅବଧି ମଧ୍ୟରେ କେନ୍ଦ୍ରରେ ରହୁଥିବା ଅପରିଚିତ ବ୍ୟକ୍ତିଙ୍କ ମଧ୍ୟରେ କେତେ ଜଣ ସମ୍ପର୍କ ଗଢିଉଠୁଛି।କେଉଁଠି ଭାଇ ଭାଇର ସମ୍ପର୍କ ତ ଆଉ କେଉଁଠି ମହିଳା ସରପଞ୍ଚ ଓ ମହିଳା କର୍ମୀମାନେ ପ୍ରବାସୀ ମାନଙ୍କୁ ନିଜର ସ୍ନେହ ବଳରେ ନିଜର ମାତୃତ୍ୱର ସମ୍ପର୍କ ସୃଷ୍ଟି କରି ପରକୁ ଅତି ଆପଣାର କରୁଛନ୍ତି।କିନ୍ତୁ ଏହି ସଂଗରୋଧ କେନ୍ଦ୍ରରେ ପତିପତ୍ନୀର ସମ୍ପର୍କ ଗଢିଉଠି ବିବାହ କରିନେବା ଏକ ନିଆରା ଘଟଣା ପରି ମନେ ହୁଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ଜିଲ୍ଲା ଅତାବିରାବ୍ଲକ ସିଲାଟ ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ।ଏହି କେନ୍ଦ୍ରରେ ରହୁଥିବା ବଲାଙ୍ଗୀର ଜିଲ୍ଲାର ପରୁଆ ଝେର ର ପୂଜା ବରିହା(ପିତା-ମୁରଲୀ ବରିହା) ଓ ଅତାବିରା ଗୌରଟିକ୍ରା (ଟାଙ୍ଗରପଡା)ର ସୁକାନ୍ତ ପଟେଲ(ପିତା-ଲୋକନାଥ ପଟେଲ)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠି ଧୀରେ ଧୀରେ ଶାରୀରିକ ସମ୍ପର୍କ ରୂପ ନେଇ ପୂଜା ଦୁଇ ମାସର ଗର୍ଭ ହୋଇଥିଲା।ଏମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପ୍ରବାସୀମାନଙ୍କ ଭାବରେ ଏହି କେନ୍ଦ୍ରରେ ରହୁଛନ୍ତି।ତେଣୁ ଏହି ଘଟଣାଟି ଜଣା ପଡିବାପରେ ସ୍ଥାନୀୟ ସରପଞ୍ଚ ଦୟାସାଗର ନେଗି ଉଭୟ ପକ୍ଷଙ୍କୁ ଡକାଇ ଏହି ବିଷୟରେ ଆଲୋଚନା କରିଥିଲେ।ଶେଷରେ ପରିସ୍ଥିତିକୁ ଦେଖି ଉଭୟପକ୍ଷ ପୂଜା ଓ ଶ୍ରୀକାନ୍ତର ସମ୍ପର୍କକୁ ଗ୍ରହଣ କରିବାପାଇଁ ରାଜି ହେଇଥିଲେ।ତେଣୁ ଆଜି ଆଶାକର୍ମୀ ଚିନାମାଳୀ ମିର୍ଧା ଓ ଗୀତା ମିର୍ଧା,ଅଙ୍ଗନ ବାଡ଼ି କର୍ମୀ ଗୀତାଞ୍ଜଳି ଜାଲ,ୱାର୍ଡ ମେମ୍ବର କୃଷ୍ଣଚନ୍ଦ୍ର ପଧାନ,ସିଲାଟ ପଞ୍ଚାୟତ ଅଧିକାରୀ ମୋତିଲାଲ ବନଛୋର ଓ ବିଦ୍ୟାଳୟର ଯୋଗ ଶିକ୍ଷକ ମକରଧ୍ଵଜ ପ୍ରଧାନ ଓ ଉଭୟ ପକ୍ଷଙ୍କ ଉପସ୍ଥିତିରେ ସରପଞ୍ଚ କନ୍ୟାପିତା ଭାବେ କନ୍ୟାଦାନ କରି ବରବଧୁଙ୍କୁ ଆଶୀର୍ବାଦ କରିଥିଲେ।ଏହାପରେ ଭବିଷ୍ୟତର ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ବରବଧୁଙ୍କୁ ପୁତ୍ରବଧୁ ରୂପେ ଗ୍ରହଣ କଲୁ ବୋଲି ସ୍ବଇଚ୍ଛାରେ ଚୁକ୍ତିନାମା କରିଥିବା ଜଣାପଡ଼ିଛି । ଏହାକୁ ନେଇ ଅଞ୍ଚଳରେ ଆଲୋଚନା ର ବିଷୟ ହୋଇଛି ।
ନବୀନ ଦାଶ ଙ୍କ ରିପୋର୍ଟ