 |
lonark News |
କୋଣାର୍କ ----ଆସନ୍ତା ଅକ୍ଟୋବର ମାସ ୮ତାରିଖରେ ମା’ ଦୂର୍ଗାଙ୍କ ପୂଜା ପାଇଁ ସବୁ ଶକ୍ତିପୀଠ ମାନଙ୍କରେ ହୋଇଉଠିଛି ପାର୍ବଣ ମୁଖରିତ ହୋଇଛି । ଦେବୀ ପୀଠମାନଙ୍କରେ ଷୋଳପୂଜା ଆରମ୍ଭ ହୋଇଯାଇଛି । କୋଣାର୍କଠାରୁ ପୁରୀ ଆଡକୁ ୯କିଲୋମିଟର ଦୂରରେ ମାଙ୍କ ପୀଠ । ମା’ରାମଚଣ୍ଡୀଙ୍କ ପୀଠ ପ୍ରାଚୀନ ସୂର୍ଯ୍ୟକ୍ଷେତ୍ର ବା ଅର୍କକ୍ଷେତ୍ରର ରକ୍ଷାକତ୍ର୍ତ୍ରୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ । ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସମ୍ପର୍କରେ ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ, ମାଦଳା ପାଞ୍ଜି ତଥା ବିଭିନ୍ନ ଐତିହାସିକ ବିବରଣିରୁ ଅନେକ ସୂଚନା ମିଳିଥାଏ । ମା’ ରାମଚଣ୍ଡୀଙ୍କ ପୀଠରେ ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥୀଠାରୁ ପାରମ୍ପରିକ ରୀତି ନୀତିରେ ଶୋଳପୁଜା ଅନୁଷ୍ଠିତ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲୁରହିଥାଏ । ଚଳିତ ବର୍ଷ ମା’ଙ୍କ ପୀଠରେ ଗତ ୨୨ତାରିଖ (ରବିବାର) ମଧ୍ୟରାତ୍ରରୁ ଆରମ୍ଭ ହୋଇଛି ଷୋଢଶ ଉପଚାରରେ ପୂଜାନୀତି । ଏହି ଅବସରରେ ମା’ଙ୍କ ପୀଠରେ ପ୍ରତ୍ୟହ ଦୁଇବେଳା ଚଣ୍ଡୀପାଠ ହେବା ସହ ମା’ଙ୍କୁ ବିଭିନ୍ନ ବେଶରେ ସଜାଯାଇ ଷୋଡ଼ଶ ଦିନାତ୍ମକ ପାର୍ବଣ ପୂଜା ଆରମ୍ଭ ହୋଇଛି । ମା’ଙ୍କ ମୁଖ୍ୟପୂଜକ ଓ ସେବାୟତଙ୍କ ସୂଚନାନୁଯାୟୀ ପ୍ରତ୍ୟୁଷରୁ ମା’ଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା କରାଯିବାପରେ ସକାଳ ୫ଟାରେ ବଲ୍ଲଭ ଭୋଗ କରାଯାଉଛି । ମଧ୍ୟାହ୍ନ ଭୋଗରେ ଖେଚୁଡ଼ି, ଅନ୍ନ, ଡ଼ାଲି, ମାଛଭଜା, ମାଛପୋଡ଼ାବଳି, ମାଛତରକାରୀ, ଏଣ୍ଡୁରୀ ପିଠା, ଖଟା ଓ ଖିରି ଭୋଗ କରାଯାଉଛି । ସନ୍ଧ୍ୟା ୬ ଟାରେ ସନ୍ଧ୍ୟା ଆଳତି, ୬ ଟା ୩୦ରେ ସ୍ନାନ ଓ ବାଳଭୋଗ, ରାତି ୧୦ ଟାରେ ରାତ୍ର ଭୋଗରେ ମଧ୍ୟାହ୍ନର ଅନ୍ନଭୋଗ ଖିରି, ଖଟା ଓ ଏଣ୍ଡୁରିପିଠା ପରିବର୍ତ୍ତେ ଦହିପଖାଳ, ପଣା, କାକରା ଆଦି ଭୋଗ କରାଯିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ରାତ୍ର ଭୋଗ ଶେଷରେ କଂସାପାତ୍ରରେ ପଇଡ଼ପାଣିକୁ ମଦ୍ୟ ରୂପେ ମା’ଙ୍କୁ ସମର୍ପଣ କରାଯାଉଛି । ରାତ୍ର ୧୧ ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହଡ଼ ପକାଯାଇ ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମା’ଆଙ୍କ ନିକଟରେ ମୋଟ ୫ ଥର ଆଳତି କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ହୋଇଛି । ପରମ୍ପରାନୁଯାୟୀ ମହାଷ୍ଟମୀ ରାତି ୩ଟାରେ ପାଞ୍ଚ ପା ଘିଅ ସହିତ ୧୦୮ ବେଲପତ୍ର ହୋମାଗ୍ନିରେ ପୋଡ଼ା ହେବା(ଆହୁତି) ପରେ ମାଙ୍କୁ ସମର୍ପଣ କରାଯାଇଥାଏ । ଷୋଳ ପୂଜା ଅବସରରେ ମାଙ୍କୁ ପ୍ରଥମ ଦିବସରେ ସହସ୍ର କୁମ୍ଭାଭିଷେକ ଓ କଳସ ସ୍ଥାପନ, ଦ୍ୱିତୀୟ ଦିବସରେ ସୁନାବେଶ, ତୃତୀୟ ଦିବସରେ ଭୂବନେଶ୍ୱରୀ ବେଶ, ଚତୁର୍ଥ ଦିବସରେ ମାତଙ୍ଗୀ ବେଶ, ପଞ୍ଚମ ଦିବସରେ ବୈଷ୍ଣବୀ ବେଶ, ଷଷ୍ଠ ଦିବସରେ ସିଦେ୍ଧଶ୍ୱରୀ ବେଶ, ସପ୍ତମ ଦିବସରେ ଉଗ୍ରତାରା ବେଶ, ଅଷ୍ଠମ ଦିବସରେ ତ୍ରିପୁରାଭୈରବୀ ବେଶ ଓ ନବରାତ୍ର ପୂଜାରମ୍ଭ, ନବମ ଦିବସରେ ଜଗଦ୍ଧାତ୍ରୀ ବେଶ, ଦଶମ ଦିବସରେ ଷୋଡଶୀ ବେଶ, ଏକାଦଶ ଦିବସରେ ସିଂହବାହିନୀ ବେଶ, ଦ୍ୱାଦଶ ଦିବସରେ ହରଚଣ୍ଡୀ ଓ ଗାୟତ୍ରୀ ବେଶ, ତ୍ରୟୋଦଶ ଦିବସରେ ବଗଳାମୁଖୀ ବେଶ, ଚତୁର୍ଦଶ ଦିବସରେ ମହାକାଳୀ ବେଶ, ପଞ୍ଚଦଶ ଦିବସରେ ମହାଲକ୍ଷ୍ମୀ ବେଶ, ଷୋଢଦଶ ଦିବସରେ ମହାସରସ୍ୱତୀ ବେଶ, ସପ୍ତଦଶ ଦିବସ ତଥା ବିଜୟାଦଶମୀ ତିଥୀରେ ମହିଷାମର୍ଦ୍ଦନୀ ବେଶ, ଅଷ୍ଟାଦଶ ଦିବସରେ ସୁନା ବେଶରେ ମା’ଙ୍କୁ ସେବାୟତମାନେ ପ୍ରର୍ଯ୍ୟାୟ କ୍ରମରେ ସୁସଜିତ କରିବେ । ଏହି ସମୟରେ ମା’ଙ୍କୁ ଦର୍ଶନ କରି ଅଶିଶ ନେବାପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହୁଛି । ସେହିପରି ସୂର୍ଯ୍ୟମନ୍ଦିରର ମୁଖବିନ୍ଧାଣୀ ଶିବେଇ ସାମନ୍ତରାଙ୍କୁ ମନ୍ଦିରର ଭିତ୍ତିଭୂମି ନିର୍ମାଣର କୌଶଳ ବତାଇ ଦେଇଥିବା ଅର୍କକ୍ଷେତ୍ରର ବନଦେବୀ ମା’ ଭଗବତୀଙ୍କ ପୀଠରେ ପାରମ୍ପାରିକ ରୀତିରେ ଆରମ୍ଭ ହୋଇଛି ଷୋଳପୂଜା । କୋଣାର୍କ ନିକଟସ୍ଥ ଅନସରାର ମା’ ରୂଦ୍ରାୟଣୀ, ସିମିଳି ଗ୍ରାମର ମା’ ଜାଗେଶ୍ୱରୀ, ଆମ୍ବିଳିଗାଁର ମା’ ନାରାୟଣୀ, ଯଦୁପୁର ଗ୍ରାମର ମା’ ଚିତ୍ରେଶ୍ୱରୀ, ତଇଲୋର ମା’ ବାଟମଙ୍ଗଳାଙ୍କ ସମେତ ନିକଟସ୍ଥ ବିଭିନ୍ନ ଗ୍ରାମମାନଙ୍କରେ ଥିବା ପ୍ରମୁଖ ଦେବୀପୀଠ ମାନଙ୍କରେ ଷୋଡ଼ଶ ଦିନାତ୍ମକ ପାର୍ବଣ ପୂଜା ମହାସମାରୋହରେ ପାଳନ କରାଯାଉଅଛି ।
କୋଣାର୍କରୁ ଅଜିତ କୁମାର ମଲିକ