ପିଇବା ପାଣି ପାଇପି ମାଧ୍ୟମରେ ଯୋଗାଇ ଦେବାକୁ ଦାବି
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବଳପୁର ଓ ସାରଙ୍ଗଯୋଡିକୁ ବାତ୍ୟା ପରଠାରୁ ପାଇପି ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବନ୍ଧ ରହିଛି । ଯାହାକି ଲୋକମାନେ ବାଧ୍ୟ ହୋଇ ଗଡିଆ ନଦୀ ପାଣି ବ୍ୟବହାର କରୁଛନ୍ତି । ସେଥିଯୋଗୁ ଗ୍ରାମ ଗୁଡିକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ସୁଚନାଯୋଗ୍ୟ ଯେ ଦୁଇ ପଞ୍ଚାୟତର ୨୪ଟି ୱାର୍ଡକୁ ଭାର୍ଗବୀ ନଦୀ କୂଳ ସାଗରସ୍ନାନ ପଡିଆରେ ଥିବା ବାମ୍ପିକୂପରୁ ମଟର ଯୋଗେ ପାଣି ଉଠାଯାଇ ବଳପୁର ଗ୍ରାମ ମୁଣ୍ଡରେ ଥିବା ଫିଲଟର ଟାଙ୍କି ରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଥିଲା । ବାତ୍ୟା ଯିବାର ପାଞ୍ଚ ମାସ ହୋଇଗଲା ଫିଲଟର ଟାଙ୍କିରେ ବିଦ୍ୟୁତ ସଂଯୋଗ ହୋଇ ପାରିଲା ନାହିଁ । ସେଠାରେ ଥିବା ମଟର ଅଚଳ ହୋଇ ପଡିଛି ବୋଲି କୁହାଯାଉଛି । ନିଯୁକ୍ତି ପାଇଥିବା ପାନୀୟ ଜଳ ଯୋଗାଣ ବିଭାଗର କର୍ମଚାରୀ ମାନେ ବସି ବସି ଦରମା ନେଉଛନ୍ତି ବୋଲି ଗ୍ରାମବାସୀ ମାନେ କହନ୍ତି । ଏବେ ସିଧା ସଳକ ନଦୀପଠାରେ ଥିବା ବାମ୍ପିକୂପରୁ ପାଣି ଉଠାଯାଇ ବିନା ଫିଲଟରରେ ଲୋକଙ୍କୁ ପାନୀୟ ଜଳ ଭାବେ ଯୋଗାଇ ଦିଆଯାଉଛି । ଏହା ମଧ୍ୟ କିଛି ଗ୍ରାମକୁ ଯାଉଥିବା ବେଳେ ଅନ୍ୟ କେତକ ଗ୍ରାମକୁ ଯାଉନାହିଁ । ଯାହା ଫଳରେକି ଏହି ପାଣି ପିଇ ଲୋକମାନେ ବିଭିନ୍ନ ପେଟ ରୋଗରେ ପଡୁଛନ୍ତି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଉଛି । ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଦୁଇ ପଞ୍ଚାୟତର ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି