ଅଦ୍ଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଷୋଳପୂଜା
କୋଣାର୍କ---- ଆଶ୍ୱିନ ମାସ ଶୁକ୍ଳପକ୍ଷ ବିଜୟା ଦଶମୀ ତିଥୀରେ ଦେବୀ ମା’ ଦୂର୍ଗାଙ୍କ ପୂଜା ପାଇଁ ଧରା ପୃଷ୍ଠ ହୋଇ ଉଠିଛି ପାର୍ବଣ ମୁଖରିତ । ସବୁ ଶକ୍ତି ପୀଠମାନଙ୍କରେ ପାରମ୍ପାରୀକ ରୀତିନୀତି ଅନୁଯାଇ ଗତ ୨୨ତାରିଖ ରବିବାର ମୂଳାଅଷ୍ଠମୀଠାରୁ ଆରମ୍ଭ ହୋଇଛି ଷୋଳପୂଜା । ଅର୍କକ୍ଷେତ୍ର କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ପଶ୍ଚିମ ଦିଗଠାରୁ ମାତ୍ର ଏକ କିଲୋମିଟର ଦୂର ତଥା କୋଣାର୍କ-ପିପିଲି ମୁଖ୍ୟ ରାସ୍ତାଠାରୁ ୭ଶହ ୫୦ମିଟର ଦୂର ମା’ ଭଗବତୀଙ୍କ ପୀଠ ଅବସ୍ଥିତି । ମୁକ୍ତ ଆକାଶ ତଳେ କାହିଁ କେଉଁ କାଳରୁ ମା’ ଖରା, ବର୍ଷା ଓ ଶୀତରେ ଏକ ବଣ ହରିଡା ଗଛ ମୁଳରେ ବସିରହି ପୂଜା ପାଉଥିବା ବେଳେ ଗତ ୨୦୧୬ ମସିହାରୁ ମାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରାଯାଇଛି । ମା’ଙ୍କ ସାଥିରେ ଅଛନ୍ତି ଅତି ପ୍ରିୟ ଦୁଇ ଭଉଣୀ ମହାଲକ୍ଷ୍ମୀ ଓ ମହାକାଳୀ । ପାର୍ବଣ ଋତୁର ଆଗମନରେ ମା’ଙ୍କ ପୀଠରେ ଆରମ୍ଭ ହୋଇଛି ଷୋଳପୂଜା । ଏହି ସମୟରେ ଷୋଳଦିନ ବ୍ୟାପି ଦୁଇବେଳା ଚଣ୍ଡୀପାଠ ଓ ଷୋଡ଼ଶ ଉପଚାରରେ ପୂଜାନୀତି ସମ୍ପନ୍ନ କରାଯାଉଛି । ମା’ ଭଗବତୀ ହେଉଛନ୍ତି ଆଦିକାଳୀ ଷୋଳକଳାର ଉତ୍ସ, ଏଥିପାଇଁ ମାଆଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଉଛି । ଷୋଳପୂଜା ସମୟରେ ମା’ଙ୍କୁ ଦର୍ଶନ କରି ଅଭିଷ୍ଟ ସିଦ୍ଧି ଲାଭ କରିବା ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଥାଏ । ମା’ଙ୍କ ଆସ୍ଥାନ ସମୁଖଭାଗରେ ରହିଛି ଭକ୍ତମାନଙ୍କ ପାଇଁ ଆରାଧନା ଗୃହ । ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ମା’ଙ୍କ ବିଜେସ୍ଥଳୀ ସମ୍ମୁଖରେ ରହିଛି ବିଶାଳକାୟ ବଟବୃକ୍ଷ । ପୀଠ ନିକଟରେ ରହିଛି ବହୁ ପୁରାତନ ଅନନ୍ତ ନାରାୟଣ ଗାଦିଙ୍କ ପୀଠ । ବର୍ଷତମାମ ମା’ଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ମା’ଙ୍କ ପୀଠରେ ବିଭିନ୍ନ ପ୍ରକାର ଉତ୍ସବ ପାଳନ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି । ବିଶେଷତଃ ବଣଭୋଜି, ବିବାହ, ନିର୍ବନ୍ଧ, ସଭାସମିତିର ଭିଡ଼ ସବୁବେଳେ ଲାଗିରହିଥାଏ । ଏହାଛଡ଼ା ନୂଆ ବର୍ଷ, ଡ଼ିସେମ୍ବର ୨୫ରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥାଏ । ମା’ଙ୍କ ପୀଠରେ ବିଶେଷ ଆକର୍ଷଣ ହୋଇଥାଏ ରଜ ଉତ୍ସବ । ଗତ ୨୦୦୦ ମସିହାରୁ କୋଣାର୍କର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଅର୍କଶ୍ରୀ ପକ୍ଷରୁ ପାଳନ କରାଯାଇ ଆସୁଛି ରଜ ଉତ୍ସବ । ସୂର୍ଯ୍ୟମନ୍ଦର ନିକଟସ୍ଥ ମାଧିପୁର ଗ୍ରାମର ସେବକ ମାନେ ମା’ଙ୍କ ସେବା ନିୟମିତ ଭାବରେ କରିଥାନ୍ତି । ମା’ଙ୍କର ଥିବା ୪ଏକରରୁ ଉର୍ଦ୍ଧ ସମ୍ପତିରେ ରହିଛି କାଜୁ ଓ ଝାଉଁ ଗଛ । ଏହି ସମ୍ପତିର ଆୟ ଓ ହୁଣ୍ଡିରେ ସଂଗୃହିତ ଭକ୍ତଙ୍କ ଦାନରେ ପୀଠର ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥାଏ । ମା’ଙ୍କ ସମ୍ପତିକୁ ଜମି ମାଫିଆମାନେ ଏବେ କିଛି ମାତ୍ରରେ କବଳିତ କରିସାରିଳେଣି । ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଆସୁଥିବା ବେଳେ ଏଭଳି ଏକ ପ୍ରକୃତିକ ମନୋରମ ଭରା ପରିବେଶକୁ ଜାଣି ପାରି ନ ଥାନ୍ତି । ସୂର୍ଯ୍ୟମନ୍ଦିର ନିର୍ମାଣ ପୂର୍ବରୁ ମା’ ଭଗବତୀଙ୍କ ବୀଜେ ସ୍ଥଳୀ ପ୍ରତି ଓଡ଼ିଶା ପର୍ଯ୍ୟଟନ ବିଭାଗର ଉଦାସିନତା ଯୋଗୁଁ ଏହି ପୀଠର ବିକାଶ ହୋଇପାରୁ ନାହିଁ ବୋଲି ଜଣାପଡିଛି ।
କୋଣାର୍କରୁ ଅଜିତ କୁମାର ମଲିକ