ଫନିବାତ୍ୟାର କ୍ଷତିଗ୍ରସ୍ତ ଚାଷୀ ପାଇଲେନି ସହାୟତା
ହାଟଡ଼ିହି---- ହାଟଡିହି ଅଞ୍ଚଳରେ ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ଧାନ ଓ ପନିପରିବା ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ସହାୟତା ମିଳିଲାନି । ଏନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରିବା ସତ୍ତେ୍ୱ ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳିବାରୁ ସେମାନେ ହତୋତ୍ସାହିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରୀ କରିଛନ୍ତି । ଚାଷୀ ମାନଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ କେତେକ ଚାଷୀ ୧୦ଏକରରୁ ଉର୍ଦ୍ଧ ଜମିରେ ଖରାଟିଆ ଧାନ ଚାଷ କରିଥିଲେ । ଗତ ଫନି ବାତ୍ୟାରେ ଚାଷୀ ମାନେ କରିଥିବା ଖରାଟିଆ ଧାନଚାଷ ବହୁତ କ୍ଷତିଗ୍ରସ୍ଥ ହୋଇଥିଲା । ଋଣକରି ଧାନଚାଷ କରିଥିବା ଚାଷୀ ଓ ଭାଗଚାଷ କରିଥିବା ଗରିବ ଆଦିବାସୀମାନେ ଚାଷର ୩୦ଭାଗ ଧାନ ବି ଅମଳ କରିପାରି ନଥିଲେ । ଏପରିକି କୃଷିବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହିତ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଧାନ କ୍ଷୟକ୍ଷତିର ଆକଳନ କରିବା ସହିତ କ୍ଷତିଗ୍ରସ୍ଥ ଚାଷୀ ମାନଙ୍କୁ କ୍ଷତିପୁରଣ ସହାୟତା ମିଳିବାର ପ୍ରତିଶୃତି ଦେଇଥିଲେ । କିନ୍ତୁ ବାତ୍ୟାର ୫ମାସ ପରେବି ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସରକାରୀ ସହାୟତା କିମ୍ବା କ୍ଷତିପୁରଣ ଦିଆଗଲା ନାହିଁ ବୋଲି ଚାଷୀ ମାନେ କହନ୍ତି । ଫଳରେ ଗରିବ ଆଦିବାସୀ ମାନେ ମହାଜନର ଧାର କରଜ ସୁଝି ନପାରି ନାନା ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି । ଏଣୁ ପ୍ରଶାସନ ତୁରନ୍ତ ସେମାନଙ୍କୁ ବାତ୍ୟା କ୍ଷତିପୁରଣ ସହାୟତା ପ୍ରଦାନ କରିବାପାଇଁ ସଂଗ୍ରାମ ରାଉତ, ହଳଧର ବିଶ୍ୱାଳ, କାଳନ୍ଦୀ ନାଇକ, ମହେନ୍ଦ୍ର ବିଶ୍ୱାଳ, ବୈକୁଣ୍ଠ ନାଇକ, ବୁଦ୍ଧଦେବ ନାଇକ, ରବିନ୍ଦ୍ର ନାଇକ, କାର୍ତ୍ତିକ ନାଇକ, ନିର୍ମଳା ବିଶ୍ୱାଳ ପ୍ରମୁଖ ଚାଷୀମାନେ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ୱତନ୍ତ୍ର ରିଲିଫ କମିସନର, କୃଷି ମନ୍ତ୍ରୀ, ଆନନ୍ଦପୁର ବିଧାୟକ, ଉପଜିଲ୍ଲାପାଳ, ତହସିଲଦାର, ବିଡିଓ, ଜିଲ୍ଲା କୃଷି ଅଧିକାରୀ,ବ୍ଲକ କୃଷି ଅଧିକାରୀ ପ୍ରମୁଖଙ୍କୁ ଜଣାଇ କ୍ଷତିପୁରଣ ପ୍ରଦାନ ପାଇଁ ନିବେଦନ କରିଛନ୍ତି । ଯଦି ପ୍ରଶାସନ କୌଣସି ପଦକ୍ଷେପ ନନିଅନ୍ତି ତେବେ ଭବିଷ୍ୟତରେ କିଛି ଅଘଟଣା ଘଟିଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
odisha news
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
odisha news