|
konark news |
କୋଣାର୍କ --- ସମସ୍ତ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଯାଇଛି ଷୋଳ ପୂଜା । ଶକ୍ତିପୀଠମାନଙ୍କରେ ଷୋଳପୂଜା ସମୟରେ ବିଭିନ୍ନ ବେଶରେ ମା’ଙ୍କୁ ସୁସଜିତ କରାଯାଇ ନୀତିକାନ୍ତିରେ ପୂଜା କରାଯାଉଛି । କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ଗ୍ରାମପଞ୍ଚାୟତର ଯଦୁପୁର ଗ୍ରାମରେ ଅବସ୍ଥିତ ମା’ ଚିତ୍ରେଶ୍ୱରୀଙ୍କ ପୀଠ । ଅର୍କକ୍ଷେତ୍ରର ରକ୍ଷାକତ୍ର୍ତ୍ରୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ଚିତ୍ରେଶ୍ୱରୀ ହେଉଛନ୍ତି ଅନ୍ୟତମ । କଥିତ ଅଛି ନୌବାଣିଜ୍ୟ କରିବାକୁ ଯାଉଥିବା ସାଧବମନେ ସିଂହଲରୁ ମା’ଙ୍କୁ ଆଣି ଚିତ୍ରଉିତତ୍ପଳା ନଦୀକୂଳରେ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ । ଚିତ୍ରଉିତତ୍ପଳା ନଦୀକୂଳରେ ଥିବାରୁ ମା’ଙ୍କୁ ଚିତ୍ରେଶ୍ୱରୀ ନାମରେ ନାମିତ କରାଯାଇଥିବା ଅନୁମାନ । ମା’ ଚିତ୍ରେଶ୍ୱରୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ, ମାଦଳା ପାଞ୍ଜି ତଥା ବିଭିନ୍ନ ଐତିହାସିକ ବିବରଣିରୁ ଅନେକ ସୂଚନା ମିଳିଥାଏ । ଏହି ଅବସରରେ ମା’ଙ୍କ ପୀଠରେ ଆଶ୍ୱିନ ମାସର କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଷୋଳପୂଜା ଆରମ୍ଭ ହୋଇ ଶୁକ୍ଲପକ୍ଷ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ । ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳଦିନ ବ୍ୟାପି ଦୁଇବେଳା ଚଣ୍ଡୀପାଠ ଓ ଷୋଡ଼ଶ ଉପଚାରରେ ବିଭିନ୍ନ ବେଶ କରାଯାଇ ପୂଜାନୀତି ସମ୍ପନ୍ନ କରାଯାଉଛି । ଷୋଳ ପୂଜା ଅବସରରେ ମା’ଙ୍କୁ ଦର୍ଶନ କରିବାପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ଲାଗିଥାଏ । ମା’ହେଉଛନ୍ତି ଏ ଅଞ୍ଚଳର ସମୁଦ୍ର ରକ୍ଷାକତ୍ରୀ ଦେବୀ । ପାର୍ବଣ ଅବସରରେ ମା’ଙ୍କ ପୀଠରେ ମାଛ ବେସର ଶ୍ରଦ୍ଧାଳୁଙ୍କ ବେଶ ଆକୃଷ୍ଠ କରିଥାଏ । ଶଦ୍ଧାଳୁଙ୍କ ପ୍ରତି ମା’ଙ୍କର ଅପାର କରୁଣା ରହିଥିବାବେଳେ ପୀଠରେ ରହିଛି ସ୍ୱତନ୍ତ୍ର ମାହତ୍ମ୍ୟ । ଏହି ପୀଠର ସାଧାଅର୍ନ୍ନ ଓ ମାଛ ବେସର ବେଶ ସ୍ୱାଦିଷ୍ଠ । ଯିଏ ଥରେ ଖାଇଛି ସିଏ ଜୀବନ ସାରା ଝୁରୁଛି । ଯଦୁପୁର ଗ୍ରାମର ବାସିନ୍ଦ ତଥା ସମାଜସେବୀ ନିରଞ୍ଜନ ବାରିକ କୁହନ୍ତି କୋଣାର୍କଠାରୁ ୧୦କିଲୋମିଟର ଦୂରରେ ମା’ଙ୍କ ପୀଠଟି ଅବସ୍ଥିତି ହୋଇଥିଲେ ମଧ୍ୟ ଏହି ଐତିହାସିକ ପୀଠଟି ଚିର ଅବହେଳିତ ଅବସ୍ଥାରେ ପଡିରହିଛି ।
କୋଣାର୍କରୁ ଅଜିତ କୁମାର ମଲିକ