ନୟାଗଡ଼ର ବହୁ ଚର୍ଚ୍ଚିତ ରାଧାରାଣୀ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ,ଗଳିତ ଶବ ଉଦ୍ଧାର
ନୟାଗଡ଼ ------ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଅଖାରିଆ ଗାଁର ରାଧାରାଣୀ ଜେନା (୨୮) ନିଖୋଜ ହେବା ପରେ ନୟାଗଡ଼ ରେ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଘସାଦେଇପୁରର ପ୍ରହଲ୍ଲାଦ ନାୟକ(୩୪)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ଜଗତସିଂହପୁର ନାଉଗାଁ ବ୍ଲକ୍ର କୁଆଁରିଆ ନିକଟସ୍ଥ ଦେବୀନଦୀ ପଠାରୁ ରାଧାରାଣୀର ଗଳିତ ଶବକୁ ପୋଲିସ ଜବତ କରିଛି।
ସୂଚନା ମୁତାବକ ଗତ ୨୦୧୮ ମସିହା ଜୁଲାଇ ମାସରେ ମୁଖ୍ୟ ଅଭିଯୁକ୍ତ ପ୍ରହଲ୍ଲାଦ ଏବଂ ରାଧାରାଣୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ଏଥିରେ ପ୍ରହଲ୍ଲାଦ ଗୁରୁତର ଆହତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ପ୍ରତିଶୋଧ ନେବାପାଇଁ ସୁଯୋଗ ଅପେକ୍ଷାରେ ଥିଲେ।
ଗତ ୨୨ ତାରିଖରେ ଏକ କାର କିଣିବା ପାଇଁ ରାଧାରାଣୀ ଏବଂ ଓଡ଼ଗାଁର ବୈକୁଣ୍ଠ ସାହୁ ଦୁହେଁ ମିଶି ଏକ ଭଡ଼ା କାର ଯୋଗେ ଭୁବନେଶ୍ୱରର ହଂସପାଳସ୍ଥିତ ଏକ କାର ଶୋରୁମକୁ ଯାଇଥିଲେ। ପୂର୍ବରୁ ରାଧାରାଣୀ କାରର ଫାଇନାନ୍ସ କାଗଜପତ୍ର ଏବଂ ଅଗ୍ରୀମ ଆକାରରେ ପଚାଶ ହଜାର ଟଙ୍କା ବୈକୁଣ୍ଠକୁ ଦେଇଥିଲେ। ସେଦିନ କିନ୍ତୁ କୌଣସି କାରଣବଶତଃ ଗାଡିର କାଗଜପତ୍ର ହୋଇପାରିନଥିଲା। ତେଣୁ ସେମାନେ ଭୁବନେଶ୍ୱରରୁ ଓଡ଼ଗାଁ ଅଭିମୁଖେ ଫେରିବା ବାଟରେ ଉଭୟଙ୍କ ମଧ୍ୟରେ ଗାଡି କାଗଜପତ୍ର ନ ହେବା କୁ ନେଇ ବଚସା ସୃଷ୍ଟି ହୋଇଥିଲା। ଏହା ମଧ୍ୟରେ ବୈକୁଣ୍ଠ ରାଧାରାଣୀଙ୍କ ପୁରୁଣା ଶତ୍ରୁ ପ୍ରହଲ୍ଲାଦଙ୍କୁ ସୂଚନା ଦେଇଥିଲେ । ଯୋଜନା ମୁତାବକ ପ୍ରହଲ୍ଲାଦ ପଂଚିରିଡା ଗ୍ରାମ ନିକଟରେ ଅପେକ୍ଷା କରିଥିଲେ।ଭଡାରେ ଆଣିଥିବା କାର ଡ୍ରାଇଭରକୁ ପଂଚିରିଡା ଗ୍ରାମ ନିକଟରେ ଛାଡିବାକୁ ବୈକୁଣ୍ଠ କହିଥିଲେ। ରାତି ପ୍ରାୟ ୧୦.୪୫ ରେ ରାଧାରାଣୀ ଏବଂ ବୈକୁଣ୍ଠ ଚାଲି ଚାଲି ପଂଚିରିଡାରୁ ରାଧାରାଣୀର ଗାଁ ଅଖାରିଆକୁ ଯାଉଥିଲେ। ପଂଚିରିଡା ଗାଁ ମୁଣ୍ଡରେ ଥିବା ପାଣିଟାଙ୍କି ନିକଟରେ ସୁଯୋଗ ଅପେକ୍ଷାରେ ଥିବା ପ୍ରହଲ୍ଲାଦ ପୁରୁଣା ଗଣ୍ଡଗୋଳକୁ ଦୋହରାଇ ଏକ ଠେଙ୍ଗା ସାହାଯ୍ୟରେ ରାଧାରାଣୀ ଉପରେ ଆକ୍ରମଣ କରିଥିଲେ। ପରେ ଅଟୋ ଇଞ୍ଜିନ ଷ୍ଟାର୍ଟ ପାଇଁ ରଖିଥିବା ରଶିରେ ରାଧାରାଣୀର ବେକକୁ ଚିପି ହତ୍ୟା କରିଥିଲେ । ସେହି ଅଟୋଗାଡ଼ିରେ ରାଧାରାଣୀ ର ଶବକୁ ବାନ୍ଧି ପଛପଟେ ଘୋଡ଼ାଇ ରଖିଥିଲେ। ତା ପରଦିନ ଦୁହେଁ ମିଶି କଣ୍ଟିଲୋ ନିକଟସ୍ଥ ସିଦ୍ଧାମୂଳା ବ୍ରିଜ ଉପରୁ ମହାନଦୀକୁ ଫିଙ୍ଗିଦେଇଥିଲେ।ଶେଷରେ ଗତକାଲି ଗଳିତ ଶବକୁ ଜବତ କରାଯାଇଛି।
ସୂଚନାଯୋଗ୍ୟ ଯେ ରାଧାରାଣୀର ମା' ଧୋବଣୀ ଜେନା ଝିଅ ଘରକୁ ନଫେରିବାରୁ ୨୩ ତାରିଖରେ ଝିଅ ନିଖୋଜ ଥିବା କଥା ଓଡ଼ଗାଁ ଥାନାରେ ଲିଖିତଭାବେ ଜଣାଇଥିବା ଓଡ଼ଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତି।ସୂଚନା ଆଧାରରେ ମୁଖ୍ୟ ଅଭିଯୁକ୍ତ ପହଲ୍ଲାଦ ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ବୈକୁଣ୍ଠକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଛି।ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା,ରଶି ଏବଂ ଅଟୋଗାଡି ନମ୍ବର ଓଡ଼ି ୨୫ ସି ୦୩୭୯ କୁ ପୋଲିସ ଜବତ କରିଛି।ଏ ନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।ପ୍ରକାଶଯୋଗ୍ୟ ଯେ,ଗତ ୨୦୦୮ ମସିହାରେ ଭାଗବତ ସାହୁ ନାମକ ଜଣେ ବ୍ୟକ୍ତିଂଙ୍କୁ ରାଧାରାଣୀ ହତ୍ୟା କରି ନିକଟସ୍ଥ ନଦୀ ପଠାରେ ପୋତିଦେଇଥିବାବେଳେ ତା ନାଁ ଏକ ହତ୍ୟା ଅଭିଯୋଗ ଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି।