ଅବପାତରେ ପରିଣତ ହେଲା ଲଘୁଚାପ, ଆହୁରି ୨୪ ଘଣ୍ଟା ବର୍ଷିବ
ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ବାଲେଶ୍ବରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧୬୦ କିମି ଓ ଦୀଘାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଓ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ତାହାକୁ ଦୃଷ୍ଟିରେ ରଖି ୮ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ୧୧ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
କେବଳ ଏହି ୧୧ ଜିଲ୍ଲା ନୁହେଁ, ୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ୭ ତାରିଖ ପୂର୍ବାହ୍ନ ମଧ୍ୟରେ ଗଜପତି, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ଼, କଟକ, ଢେଙ୍କାନାଳ, ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଓ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଧା, ଅନୁଗୁଳ, ରାୟଗଡ଼ା, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହାର ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୮ ତାରିଖଠାରୁ ବର୍ଷା ସାମାନ୍ୟ କମିବ। ତେବେ କଟକ, କେନ୍ଦ୍ରାପଡ଼ା, ବୌଦ୍ଧ, ନୟାଗଡ଼, ଖୋର୍ଧା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ସୁନ୍ଦରଗଡ଼, ବରଗଡ଼, କୋରାପୁଟ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।
ଏହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ହେବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆଜି ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ତେଣୁ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।
ଧୀରେନ୍ଦ୍ର ସେନାପତି
ସେନାପତି