ରଣପୁର ମଣିନାଗ ମନ୍ଦିର ନିକଟରୁ ବ୍ରାଉନସୁଗାର ଜବତ
ନୟାଗଡ଼ ------ ନୟାଗଡରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ନୟାଗଡରେ ମଦ କାରବାର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଗଂଜେଇ,ଦେଶୀମଦ କାରବାର ମଧ୍ୟ ତା ମଧ୍ୟରେ ଚାଲିଛି। ହୋଟେଲ ଏବଂ ଢ଼ାବା ମାଲିକମାନେ ମଧ୍ୟ ବେଧଡକ ମଦ କାରବାର ଚଳାଇଛନ୍ତି। ନୟାଗଡ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକ ଅଂଚଳରେ ପୋଲିସ କିନ୍ତୁ ନିଶା କାରବାରକୁ ରୋକିବାକୁ ତତ୍ପରତା ଦେଖାଇଛି। ଗତ ସପ୍ତାହରେ ରଣପୁର ପୋଲିସ ବ୍ରାଉନସୁଗାର ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତକାଲି ମଣିନାଗ ମନ୍ଦିର ନିକଟରୁ ପୁଣି ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଦୁଇ ଅଭିଯୁକ୍ତ ହେଲେ ରଣପୁର ଅଞ୍ଚଳର ପ୍ରଶାନ୍ତ କୁମାର ପ୍ରଧାନ ଏବଂ ହେମନ୍ତ କୁମାର ପ୍ରଧାନ।ସେମାନଙ୍କ ଠାରୁ ୫.୪ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶଶୀଭୂଷଣ ଶତପଥୀ ସୂଚନା ଦେଇଛନ୍ତି।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶରଣକୁଳ ଏସଡିପିଓ ଏସ. ଟପ୍ପୋଙ୍କ ନେତୃତ୍ୱରେ ଶରଣକୁଳ ଏବଂ ରଣପୁର ପୋଲିସର ମିଳିତ ଉଦ୍ୟମରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।ସେମାନଙ୍କଠାରୁ ଦୁଇଟି ମୋବାଇଲ ଫୋନ ଏବଂ ନଗଦ ଏକ ହଜାର ପାଞ୍ଚ ଶହ ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡିଛି ।