ନାହିଁ ନାହିଁରେ ଚାଲିଛି ହାଟଡିହି ବ୍ଲକ, ଅଧା ପଦବି ଖାଲି, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା
ସୌମ୍ୟ ରଞ୍ଜନ ଆଚାର୍ଯ୍ୟ ହାଟଡ଼ିହି ----- କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏବେ ଅଚଳାବସ୍ଥା ଦେଖା ଦେଇଛି । ବ୍ଲକର ଅର୍ଦ୍ଧାଧିକ ପଦବୀ ଦୀର୍ଘଦିନ ହେବ ଖାଲି ପଡିଛି l ବ୍ଲକର ଉନ୍ନୟନ କାର୍ଯ୍ୟରେ ଘୋର ବାଧା ଉପୁଜିଛି । ଜିଲ୍ଲାପ୍ରଶାସନ ଏ ସବୁ ଜାଣୁଥିଲେ ମଧ୍ୟ ନିରବ ରହିବା ଘଟଣାରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହାଟଡିହି ବ୍ଲକଟି ଜିଲ୍ଲାର ସବୁଠାରୁ ବଡ ବ୍ଲକ ଭାବେ ପରିଗଣିତ । ଏହି ବ୍ଲକ ଅଧିନରେ ୩୧ଟି ପଞ୍ଚାୟତ ଥିବାବେଳେ ୨୧୭ଟି ଗ୍ରାମ ରହିଛି । ସମସ୍ତ ପଞ୍ଚାୟତ ଓ ଗ୍ରାମରେ ଉନ୍ନୟନ କାର୍ଯ୍ୟ ଗୁଡିକ ବ୍ଲକ ମାଧ୍ୟମରେ ହିଁ ହୋଇଥାଏ । କିନ୍ତୁ ହାଟଡିହି ବ୍ଲକରେ କର୍ମଚାରୀ ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଛି । ବ୍ଲକରେ ଏବେ ପ୍ରଧାନମନ୍ତ୍ରୀ ଆବସ ଯୋଜନା, ଖଣିକ୍ଷତିଗ୍ରସ୍ତ ବିଜୁ ପକ୍କାଘର, ମନରେଗା ଯୋଜନା, ସ୍ୱଚ୍ଛ ଭାରତ ମିସନ ଯୋଜନା ସବୁର କାର୍ଯ୍ୟ ଚାଲୁଥିବାବେଳେ ଅନେକ ପଞ୍ଚାୟତରେ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି । ବ୍ଲକର ଏବିଡିଓ ପଦବୀ ଦୀର୍ଘ ୧୦ବର୍ଷ ହେଲା ଖାଲି ପଡିଥିଲେବି ଏହାକୁ ପୁରଣ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ଫଳରେ ବ୍ଲକର ବିଡିଓ କୌଣସି କାର୍ଯ୍ୟ ତଦାରଖ, କୋର୍ଟ କାର୍ଯ୍ୟ କିମ୍ବା ଛୁଟିରେ ରହିଲେ ବ୍ଲକଟି ଏକ ପ୍ରକାର ବନ୍ଦ ହୋଇଯାଉଛି । ସେହିପରି ବ୍ଲକର ଯୋଗାଣ ଅଧିକାରୀ ପଦବୀ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ ହେବ ଖାଲି ପଡିଥିବାବେଳେ ଆନନ୍ଦପୁରର ଜଣେ ଯୋଗାଣ ଅଧିକାରୀଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ମହାଶୟ ମାସରେ ଦିନେ କି ଦୁଇଦିନ ଏଠାକୁ ଆସି କେତେବେଳେ ଯାଆନ୍ତି ତାହା କେହି ଜାଣି ପାରନ୍ତି ନାହିଁ । ବ୍ଲକର ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଥିବାବେଳେ ଅନେକ ହିତାଧିକାରୀ ସେମାନଙ୍କ ସମସ୍ୟାନେଇ ନିୟମିତ ବ୍ଲକକୁ ଆସି ବସିବସି ଫେରୁଛନ୍ତି । ଏବେ ରେସନକାର୍ଡ ସହ ଆଧାର ଲିଙ୍କ କାର୍ଯ୍ୟ ଚାଲୁଥିବାବେଳେ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ତାହା ବହୁ ପଛରେ ପଡିଯାଇଛି । ସେହିପରି ଏକାଉଣ୍ଟସ ଅଫିସର, ପ୍ରଗତୀ ସହାୟକ ପଦବୀ ଖାଲି ପଡିଥିବାବେଳେ ଗୋଟିଏ ବରିଷ୍ଠ କିରାଣୀ, ଦୁଇଟି କନିଷ୍ଠ କିରାଣୀ ପଦବୀ ଓ ୪ଟି ଚତୁର୍ଥଶ୍ରେଣୀ କର୍ମଚାରୀ ପଦ ଖାଲି ପଡିଛି । ୩୧ଟି ଯାକ ପଞ୍ଚାୟତ ପାଇଁ ୩୧ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତ ହେବାକୁ ଥିବାବେଳେ ୭ଟି ପଞ୍ଚାୟତର ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି । ଫଳରେ ଜଣେ ଜଣେ ଅଧିକାରୀଙ୍କୁ ଦୁଇ ତିନୋଟି ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି । ଫଳରେ ପଞ୍ଚାୟତରେ ବିକାଶ ମୁଳକ କାର୍ଯ୍ୟ ଗୁଡିକ ଠିକ ଭାବେ ହୋଇପାରୁନି । ରାଜ୍ୟ ସରକାର ଆବାସ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ କର୍ମଚାରୀ ଅଭାବରୁ ଏହି ଯୋଜନାର କାର୍ଯ୍ୟ ଗୁଡିକ ସଠିକ ଭାବେ ହୋଇପାରୁନି । ଯାହାଦ୍ୱାରାକି ଅଧିକାଶଂ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱୀତ କରିବାରେ ବିଳମ୍ବ ଘଟୁଛି । ଏପରିକି ଉପଯୁକ୍ତ ତଦାରଖ ଅଭାବରୁ ଅନେକ ପଞ୍ଚାୟତରେ ଦୁର୍ନିତିକୁ ରୋକିବାରେ ପ୍ରଶାସନ ଅସଫଳ ହେଉଛି । ଏଣୁ କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ହାଟଡିହି ବ୍ଲକରେ ଗୁରୁତ୍ୱପୁର୍ଣ୍ଣ ବିଭାଗ ଗୁଡିକରେ କର୍ମଚାରୀ ନିଯୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି û
ସୌମ୍ୟ ରଞ୍ଜନ ଆଚାର୍ଯ୍ୟ