ସେବାଶ୍ରମରେ ପିଲାଙ୍କୁ ପାଠ ପଢ଼ାଇଲେ ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ
ନୟାଗଡ଼। ----- ନୟାଗଡ଼ର ନବନିଯୁକ୍ତ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଜିଲ୍ଲାରେ ଏବେ ପ୍ରାଥମିକ ଶିକ୍ଷାକୁ ମଜବୁତ କରିବା ପାଇଁ ଆରମ୍ଭ କରିଦେଇଛନ୍ତି ନୂଆ ଅଭିଯାନ।ନିଜେ ବିଭିନ୍ନ ବ୍ଲକରେ ଥିବା ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ବୁଲି ସ୍ଥିତି ପରକ୍ଷିବା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଭାପୁର ବ୍ଲକର ବିଜିପୁର ପଞ୍ଚାୟତର ମାଳିବେରେଣୀ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପାଠ ସେ ପଡାଇଥିଲେ । ସେହିପରି ଶାସନ ପଞ୍ଚାୟତର ଗଡିପଡା ଗ୍ରାମରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନ ବାଡି କେନ୍ଦ୍ରମାନଙ୍କୁ ଯୋଗାଇ ଦେଉଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ତେବେ ସେଠାରେ ଛତୁଆରେ ନିମ୍ନମାନର ଓ ପୋକରା ବାଦାମ ପକାଯାଉଥିବା ଜାଣି ଜିଳ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ଭାପୁର ଶିଶୁ ଓ ମହିଳା ବିକାଶ ଅଧିକାରୀ ରେଣୁବାଳା ନନ୍ଦଙ୍କୁ ତାଗିଦ୍ କରିଥିବା ଜଣାପଡିଛି ।
ଆଜି ଅପରାହ୍ନ ୩ ଟା ୩୦ରେ ଜିଲ୍ଲାପାଳ ପ୍ରକଲ୍ପ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ଭାପୁର ତହସିଲଦାର ଡା ସୁନିତା ଜେନାଙ୍କ ସହ ମାଳିବେରେଣୀ ସେବାଶ୍ରମ ବିଦ୍ୟାଳୟରେ ପହଞ୍ଚିଥିଲେ। ପିଲାମାନଙ୍କୁ କିଛି ସମୟ ପାଠ ପଢ଼ାଇବା ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଭିତ୍ତିଭୂମି ସଂପର୍କରେ ଅନୁଧ୍ୟାନ କରିଥିଲେ। ପରେ ଶାସନ ପଞ୍ଚାୟତର ରଗଡିପଡା ଗ୍ରାମରେ ଥିବା ତ୍ରିନାଥ ଦେବ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ଭାପୁର ବ୍ଲକର ୭୭ଟି ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଣ କେନ୍ଦ୍ର ବୁଲି ଦେଖିଥିଲେ।