ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
ଭଂଜନଗର - କିଛି ଦିନର ବ୍ୟବଧାନ ପରେ ପୁଣି ମାତିଛନ୍ତି ବଣୁଆ ହାତୀ ପଲ । ଗାଁ ମୁହାଁ ହୋଇ, ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ପାଖ ସ୍କୁଲର ଝରକା ତାଡି ଦେଲେ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ, ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବିରିକୋଟ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଏହି ଗାଁ ର ରୀତା ନାୟକଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀପଲ । ଖବର ପାଇ ବନ ବିଭାଗର କିଛି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତଥାପି ଗାଁକୁ ଲାଗିରହିଥିବା ଜଙ୍ଗଲ ନିକଟରେ ରାତି ତମାମ ଛକି ରହିଥିଲେ ହାତୀପଲ । ସଂପୃକ୍ତ ଅଞ୍ଚଳରେ ଏବେ ୨୫ ଟି ହାତୀ ବୁଲୁଥିବା ନେଇ ବନବିଭାଗ ପକ୍ଷରୁ ସୁଚନା ମିଳିଛି ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଉଛି । ତୁରନ୍ତ ହାତୀପଲ ଙ୍କୁ ଘଉଡାଇବା ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୨/୫/୨୦୨୫---୮,୪୫ Sakhigopal News 22/5/2025