ପୁରଣ ହୋଇ ପାରିଲାନି ମାନସିକ, ଚକା ଫାଟି ଓଲଟିଲା ପିକଅପ୍ ଭ୍ୟାନ୍ - ଦୁଇ ମୃତ, ୧୩ ରୁ ଉର୍ଦ୍ଧ୍ବ ଆହତ
ଭଂଜନଗର - କିଏ ଜାଣିଥିଲା କାଳ ସାଜିବ ମାନସିକ ଭୋଜି । ଅଧା ରାସ୍ତାରେ ଘଟିଲା ଦୁର୍ଘଟଣା । ଚାଲିଗଲା ଦୁଇଟି ଜୀବନ । ଆହତ ହେଲେ ୧୩ ରୁ ଉର୍ଦ୍ଧ୍ବ ପୁରୁଷ ମହିଳା । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁ ରାସ୍ତାରେ ଘଟିଛି, ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମଙ୍ଗଳବାର ପୂର୍ବାହ୍ନରେ ସୋରଡା ଥାନା ଅର୍ନ୍ତଗତ ବାଘଲିଙ୍ଗି ଗାଁର ଗୋଟିଏ ପରିବାରର ସନ୍ତାନର ମାନସିକ ପୂରଣ ପାଇଁ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନବୋରସିଙ୍ଗି ନିକଟ ମା' ବ୍ରାହ୍ମଣୀଦେବୀ ଙ୍କ ଶକ୍ତିପୀଠ କୁ ଯାଉଥିଲେ । ପରିବାର ଲୋକ ସମେତ ସମ୍ପର୍କୀୟ ମାନେ ବି ସାମିଲ ରହିଥିଲେ । ଉକ୍ତ ପୀଠରେ ପୂଜାର୍ଚ୍ଚନା ସହ ଭୋଜିର ଆୟୋଜନ ମଧ୍ୟ କରିଥାନ୍ତେ । ସେଥିପାଇଁ ଏକ ଡାଲା ପିକଅପ୍ ଭ୍ୟାନ୍ ରେ ପ୍ରାୟ ୨୫ ଜଣ ଆସୁଥିଲେ । ସୋରଡ଼ା - ଭଂଜନଗର ରାସ୍ତାର କୁଲାଙ୍ଗି ନିକଟରେ ଭ୍ୟାନ୍ ର ଚକା ଫାଟି ଯିବାରୁ, ଗାଡ଼ିଟି ଘଟଣା ସ୍ଥଳରେ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ସେଥିରେ ବସିଥିବା କେଶରୀପାଟଣା ଗ୍ରାମର ଚନ୍ଦ୍ରମା ଗୈାଡ (୨୮) ଏବଂ ବାଘଲିଙ୍ଗି ଗ୍ରାମର ବାଦଲ ଗୈାଡ (୧୬) ଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲକୁ ପଠାଇଥିଲେ । ଆହତ ମାନେ ହେଲେ ପୂଜା ଗୈାଡ(୧୨), ସଂଗୀତା ଗୈାଡ(୪୫), ହାଡିଆଣି ଗୈାଡ (୪୦), ସ୍ବପ୍ନାରାଣୀ ଗୈାଡ(୬), ଚନ୍ଦନ ଗୈାଡ(୧୫), ସଞ୍ଜୁ ଗୈାଡ(୪୦), ପ୍ରକାଶ ଚନ୍ଦ୍ର ଗୈାଡ(୪୫), ଅନିତା ଗୈାଡ(୩୬), କୁନ୍ଦନ ଗୈାଡ(୬୨), ମାଗତା ଗୈାଡ(୬୦) ଏବଂ ଝୁନୁ ଗୈାଡ(୪୬) ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି । ସମସ୍ତ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଗାଙ୍ଗପୁର ଥାନା ପୋଲିସ ଘଟଣା ସ୍ଥଳ ଏବଂ ଭଂଜନଗର ମେଡିକାଲରେ ପହଞ୍ଚିଥିଲେ । ଏହାସହ ଭଂଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପହଞ୍ଚି ଆହତଙ୍କ ଚିକିତ୍ସା ବାବଦରେ ଅନୁଧ୍ୟାନ କରିଥିଲେ । ଏହାସହ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଏବଂ ଆହତଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ଏହି ଘଟଣାକୁ ନେଇ ଗାଙ୍ଗପୁର ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୩/୫/୨୦୨୫---୭,୩୫ Sakhigopal News,13/5/2025