ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ରୁ "ସତ୍ୟବାଦୀ ସ୍ବର" ଲୋକାର୍ପିତ
ସାକ୍ଷୀଗୋପାଳ,---- ଓଡିଆ ବିଶ୍ୱବିଦ୍ୟାଳୟ , ସତ୍ୟବାଦୀ ପରିସରରୁ ପ୍ରକାଶ ପାଇଛି'ସତ୍ୟବାଦୀ ସ୍ବର' (ଇ-ପତ୍ରିକା)ର ଶୁଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଉତ୍କଳମଣିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ନିଜ ସଭାପତି ଅଭିଭାଷଣରେ ପ୍ରଫେସର ପ୍ରଧାନ ପତ୍ରିକା ପ୍ରକାଶନ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭା ଓ ମନନଶୀଳତା ଆମ ସମାଜ ଓ ଜାତିର କିଭଳି ପଥ ପ୍ରଦର୍ଶକ ହେବ ସେ ଉପରେ ଆଲୋକପାତ କରିଥିଲେ। ବିଶେଷଭାବେ ପତ୍ରିକା କିଭଳି ଛାତ୍ରଛାତ୍ରୀଙ୍କର ଚିନ୍ତାଶକ୍ତି ଓ ଅଭିବ୍ୟକ୍ତିର ଉଜ୍ଜ୍ୱଳ ପ୍ରତିଫଳନ ସାଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରେ ତାହା ନିଜ ଅଭିବ୍ୟକ୍ତି ମାଧ୍ୟମରେ ପ୍ରକାଶ କରିଥିଲେ।ଅନ୍ୟତମ ବକ୍ତା ରୂପେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସର୍ଜନାତ୍ମକ ଓ ମୂଲ୍ୟବୋଧ ଆଧାରିତ ଲେଖା ରଚନା କରିବାକୁ ଉତ୍ସାହିତ କରିଥିଲେ। ପତ୍ରିକାର ସଂପାଦକ ଡକ୍ଟର ଶର୍ମିଷ୍ଠା ମହାପାତ୍ର ନିଜ ସଂପାଦକୀୟ ଅଭିମତରେ ସତ୍ୟବାଦୀର ସ୍ବର କିଭଳି ଓଡ଼ିଆ ଭାଷା ସାହିତ୍ୟରେ ସ୍ବତନ୍ତ୍ର ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନାର ମହତ୍ ଉଦ୍ଦେଶ୍ୟ ସଂପର୍କରେ ବ୍ୟାଖ୍ୟା କରିଥିଲେ। ଏହି ଲୋକାର୍ପଣ ଉତ୍ସବରେ ପ୍ରଫେସର ନାରାୟଣ ପ୍ରସାଦ ବେହେରା, ଡ. ଲିପିକା ନାୟକ, ଡ. ରାଧା ଗୋବିନ୍ଦ କୁଇଲା, ଡ. ସଙ୍ଗୀତା ଜେନା, ଡ. ଶୁଭସ୍ମିତା ନାୟକ, ଡ. ଜୟନ୍ତ ପରିଡ଼ା, ଡ. ସସ୍ମିତା ଜେନା, ଡ. ମୋନାଲି ଚ୍ୟାଙ୍ଗ, ଡ. ପ୍ରୀତିସୀମା ସ୍ବାଇଁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ବୃଦ୍ଧି କରିଥିଲେ। ସ୍ନାତକୋତ୍ତର ଦ୍ବିତୀୟ ଓ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ପତ୍ରିକାରେ ପ୍ରକାଶିତ କବିତା, ଗଳ୍ପ ଆଦି ପଠନ କରି ପ୍ରଶଂସିତ ହୋଇଥିଲେ। କୁଇଜ୍ ପ୍ରତିଭା ମିଲନ୍ ଦାସ ଓ ପ୍ରିୟଙ୍କା ନାହାକଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଭାଷା ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ସଙ୍ଗୀତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୫/୨୦୨୫----୭,୧୦ Sakhigopal News,13/52025