ଜଟଣୀରେ ଜୋନ ସ୍ତରୀୟ ସଂକୀର୍ତ୍ତନ ସମ୍ମିଳନୀ ;ଯୋଗ ଦେଲେ 300 ରୁ ଉର୍ଦ୍ଧ୍ୱ କଳାକାର
ଉତ୍ତରାୟଣୀ ଆଞ୍ଚଳିକ ସଂକୀର୍ତ୍ତନ ପରିଷଦ ଜଟଣୀ ଏବଂ ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୋଡ଼ପଡା ଗୋପାଳ ଜୀ ମନ୍ଦିର ଠାରେ ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାର ୧୨ ଟି ଜୋନ ଏବଂ ଉତ୍ତରାୟଣୀ ଆଞ୍ଚଳିକ ସଂକୀର୍ତ୍ତନ ପରିଷଦର ପ୍ରାୟ ୩ଶହ ରୁ ଉର୍ଦ୍ଧ୍ୱ କଳାକାର ଏହି ବୈଠକରେ ଯୋଗ ଦେଇଥିଲେ |ଉତ୍ତରାୟଣୀ ଆଞ୍ଚଳିକ ସଂକୀର୍ତ୍ତନ ପରିଷଦର ସଭାପତି ଜଗବନ୍ଧୁ ରାଉତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏହି ବୈଠକରେ କଳାକାର ମାନଙ୍କ ଆର୍ଥିକ ସ୍ୱଚ୍ଛଳତା କୁ ଦୃଷ୍ଟିରେ ରଖି ସରକାର ଙ୍କ ତରଫରୁ ମିଳୁଥିବା ଭତ୍ତା ର ପରିମାଣ ବୃଦ୍ଧି କରିବାକୁ ନେଇ ବିଶେଷ ଆଲୋଚନା ହୋଇଥିଲା |ସରକାର ଙ୍କ ତରଫରୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ କଳାକାର ମାନଙ୍କୁ ଏଯାବତ ୧୨୦୦ ଟଙ୍କା ମାସିକ ଭତ୍ତା ମିଳୁଛି | ଆଜିର ମହଙ୍ଗା ସମୟରେ କଳାକାର ମାନଙ୍କ ପାଇଁ ଏହି ଭତ୍ତା ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ ଲାଗୁଛି |ତେଣୁ ଏହାକୁ ୩ହଜାର ଟଙ୍କା କରିବାକୁ ଆଗାମୀ ଦିନରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବା ପାଇଁ ସ୍ଥିର ହୋଇଛି |ଦ୍ୱିତୀୟତଃ ସମସ୍ତ ଜୋନ ଗୁଡିକ ପାଇଁ ସ୍ଥାୟୀ କାର୍ଯ୍ୟାଳୟ କରିବାକୁ ଜମି ଯୋଗାଇ ଦେବାକୁ ସରକାରଙ୍କୁ ମଧ୍ୟ ଦାବିପତ୍ର ଦିଆଯିବ |ସେହିପରି ଜଟଣୀ ବ୍ଲକ ମୁଣ୍ଡଳ ଗ୍ରାମର ମହାବୀର ସଂକୀର୍ତ୍ତନ ମଣ୍ଡଳୀର ମୁଖ୍ୟ ଗନ୍ଧର୍ବ କୋଦମାସିଂହଙ୍କ ପ୍ରସ୍ତାବ ମୁତାବକ ପ୍ରତି ଜୋନ ଅଧୀନରେ ଥିବା ସଂକୀର୍ତ୍ତନ ମଣ୍ଡଳୀ ଗୁଡିକରେ ବ୍ୟବହାର ହେଉଥିବା ବାଦ୍ୟଯନ୍ତ୍ର ଗୁଡିକର ରକ୍ଷଣା ବେକ୍ଷଣ ନିମନ୍ତେ ସରକାରଙ୍କ ତରଫରୁ ବର୍ଷକୁ ଥରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ଦାବିପତ୍ର ଦିଆଯିବ ବୋଲି |ଯାହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଜଟଣୀ ବ୍ଲକ ଅଧକ୍ଷା, ସ୍ଥାନୀୟ ହରିପୁର ପଞ୍ଚାୟତର ସରପଞ୍ଚ ଏବଂ ପୋଡ଼ପଡା ଗ୍ରାମର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |ଜିଲ୍ଲାରୁ ଆସିଥିବା ସମସ୍ତ ଜୋନ ର କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୯/୨୦୨୩----୯,୧୦ Sakhigopal News,10/9/2023