ଶ୍ରୀରାମ ସମିତି ଡେଲାଙ୍ଗ ଖଣ୍ଡର କାର୍ଯ୍ୟାଳୟ ଉଦ୍ଘାଟିତ
ଡେଲାଙ୍ଗ ------ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ସମଗ୍ର ଭାରତ ବର୍ଷରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମାଧ୍ୟମରେ ଦାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଦାନ ଜାନୁଆରୀ ୧୫ତାରିଖରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ କରାଯିବ । ଏଥିାଇଁ ଡେଲାଙ୍ଗ ଖଣ୍ଡର ଦାନ ସଂଗ୍ରହ କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ହୋଇଯାଇଛି । ଡେଲାଙ୍ଗ ଖଣ୍ଡର ଅଭିଯାନ ପ୍ରମୁଖ କିଶୋର ପ୍ରଧାନଙ୍କ ସଂଯୋଜନାରେ ଡେଲାଙ୍ଗ କୋଠବାଡ ପଞ୍ଚାୟତ ପରିସରରେ ଡେଲାଙ୍ଗ ଖଣ୍ଡର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡେଲାଙ୍ଗ ଖଣ୍ଡପାଳକ, ବିଭାଗ ସେବା ପ୍ରମୁଖ ମାନନୀୟ ଶ୍ରୀପାଳକ, ବିଭାଗ ସେବା ପ୍ରମୁଖ ପ୍ରଭାତ କୁମାର ମହାପାତ୍ର ଓ ଇତିହାସ ସଂକଳନ କ୍ଷେତ୍ରୀୟ ସଂଗଠନ ସଚିବ ତଥା ପୁରୀ ଜିଲ୍ଲାପାଳକ କମଳେଶ ଦାଶ ଯୋଗଦେଇ କାର୍ଯ୍ୟାଳୟ ଗୃହ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସଂଯମ ଓ ନିଷ୍ଠାପର ଭାବରେ ଡେଲାଙ୍ଗ ଖଣ୍ଡର ପ୍ରତ୍ୟେକ ପରିବାରକୁ ସମ୍ପର୍କ ରଖି ରାମ ମନ୍ଦିର ନିମନ୍ତେ ଦାନ ସଂଗ୍ରହ କରିବାକୁ ସ୍ୱୟଂସେବକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ଖଣ୍ଡର ପ୍ରମୁଖ ମନୋରଞ୍ଜନ ପାଇକରାୟ, ଅଭିଯାନ ପ୍ରମୁଖ କିଶୋର ପ୍ରଧାନ, ସହ ଅଭିଯାନ ପ୍ରମୁଖ ଶ୍ରୀମାନ ଶ୍ରୀନିବାସ ପାତ୍ର, କାର୍ଯ୍ୟାଳୟ ପ୍ରମୁଖ, ହିସାବରକ୍ଷକ, ଜମାକାରୀ, ପଞ୍ଚାୟତ ପ୍ରମୁଖ, ଟୋଲି ପ୍ରମୁଖ, ମଣ୍ଡଳ ପ୍ରମୁଖ, ଡେଲାଙ୍ଗ ଖଣ୍ଡର ସମସ୍ତ ସ୍ୱୟଂସେବକ, ବୁଦ୍ଧିଜୀବୀ, ଭଗବତ୍ ପ୍ରେମୀ, ରାମଭକ୍ତ ଇତ୍ୟାଦି ବ୍ୟକ୍ତି ବିଶେଷ ପ୍ରେମୀ ଯୋଗଦେଇଥିଲେ । ଆସନ୍ତା ୧୫ ଜାନୁଆରୀରେ ଗୋଟିଏ ପ୍ରଚାର ଗାଡି ସମଗ୍ର ଡେଲାଙ୍ଗ ଖଣ୍ଡରେ ପ୍ରଚାର କରିବା ପାଇଁ ସ୍ଥିର କରାଯାଇଛି । ପ୍ରତ୍ୟେକ ପଞ୍ଚାୟତ ପ୍ରମୁଖମାନେ ପ୍ରତିଦିନ କାର୍ଯ୍ୟାଳୟରୁ ରାମମନ୍ଦିର ନିର୍ମାଣ ସମିତିର କୁପନ୍ ଓ ରସିଦ୍ ସଂଗ୍ରହ କରିବେ । ଜମାକାରୀମାନେ ପ୍ରତ୍ୟେକ ଦିନ ସଂଗୃହୀତ ଦାନକୁ ନିର୍ଦ୍ଧାରିତ ବ୍ୟାଙ୍କ ଶାଖାରେ ଜମା କରିବେ । ଏହି ଅଭିଯାନ ଜାନୁଆରୀ ୧୫ ତାରିଖରୁ ଜାନୁଆରୀ ୩୧ତାରିଖ ର୍ପ୍ୟନ୍ତ ଚାଲୁରହିବ । ଏହି କାର୍ଯ୍ୟାଳୟ ପ୍ରତ୍ୟେକ ଦିନ ଖୋଲାରହିବ । ଦାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସକାଳ ୯ଟାରୁ ଆରମ୍ଭ ହୋଇଛ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚାଲିବ । ଦାନ ସଂଗ୍ରହ ସମ୍ପର୍କିତ ସମସ୍ତ ତଥ୍ୟ ଡେଲାଙ୍ଗ ଖଣ୍ଡ ପାଳକ ପ୍ରଭାତ କୁମାର ମହାପାତ୍ର ସମସ୍ତ ରାମଭକ୍ତ ମାନଙ୍କୁ ଅବଗତ କରାଇଥିଲେ । ପ୍ରତ୍ୟେକ ବ୍ୟକ୍ତି ନିଜର ସାଧ୍ୟ ଅନୁସାରେ ଦାନ କରି ରାମ ମନ୍ଦିର ନିର୍ମାଣରେ ଭାଗୀଦାରୀ ହେବା ସହ ହିନ୍ଦୁତ୍ୱନିଷ୍ଠ ରାଷ୍ଟ୍ର ନିର୍ମାଣରେ ସହାୟକ ହେବେ ବୋଲି ଖଣ୍ଡକାର୍ଯ୍ୟନିବାହ ମନୋରଞ୍ଜନ ପାଇକରାୟ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଘୋରଡିଆ ମଣ୍ଡଳ ପ୍ରମୁଖ ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ଶାନ୍ତିମନ୍ତ୍ର ପାଠ କରାଯାଇ ସଭାସାଙ୍ଗ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୧---୭,୦୫