ବିଶ୍ୱଶାନ୍ତି ନିମନ୍ତେ ଦୟାନଦୀ ମହାଆରତୀ
ଭୁବନେଶ୍ୱର – ଭାରତୀୟ ସଂସ୍କୃତି ଓ ଉତ୍କଳୀୟ ସଂସ୍କୃତିର ପରମ୍ପରା ଓ ଇତିହାସ ବିଶ୍ୱବିଦିତ । ଆବାହମାନ କାଳରୁ ଭାରତୀୟ ସଂସ୍କୃତିରେ ନଦୀକୁ ‘ମା’ ସହିତ ତୁଳନା କରାଯାଇଛି । ପ୍ରତ୍ୟେକ ନଦୀର ଯେପରି ପୌରାଣିକ, ଐତିହାସିକ ତଥ୍ୟ ରହିଛି ସେହିପରି ଉତ୍କଳୀୟ ଭୂଖଣ୍ଡରେ ପ୍ରବାହିତ ପୂଣ୍ଣ୍ୟତୋୟା ଦୟାନଦୀର ପୌରାଣିକ, ଐତିହାସିକ ତଥ୍ୟ ରହିଛି । ଧଉଳି ପାହଡ଼ ପାଦଦେଶରେ ପ୍ରବାହିତ ଏହି ପୂଣ୍ଣ୍ୟତୋୟା ଦୟା ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିବା ପ୍ରିୟଦର୍ଶୀ ସମ୍ରାଟ ଅଶୋକଙ୍କ ତପୋସ୍ଥଳୀ । ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ସାରା ବିଶ୍ୱରେ ଶାନ୍ତି, ଭଗବାନ ବୁଦ୍ଧଙ୍କର ଶାନ୍ତିର ବାର୍ତ୍ତା ଓ ସର୍ବୋପରି କରୋନା ରୂପକ ମହାମାରୀରୁ ସମଗ୍ର ବିଶ୍ୱକୁ ରକ୍ଷାକରିବା ପରି ଏକ ମହତ୍ ଉଦ୍ଦେଶ୍ୟରେ ଦୟା କୂଳସ୍ଥିତ ଶ୍ରୀ ବୈରାଗେଶ୍ୱର ମହାଦେବ ମନ୍ଦିର ସମ୍ମୁଖ ଘାଟରେ ଦୟାନଦୀ ମହାଆରତୀ କାର୍ଯ୍ୟକ୍ରମ ବହୁବିଧ ସାଧୁସନ୍ଥ, ମହନ୍ତ, ପଣ୍ଡିତମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତ୍ଗୁରୁ ରାମାନୁଜାଚାର୍ଯ୍ୟ ସ୍ୱାମୀ ଅରୁପାନନ୍ଦ ଓ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦାନ କରି ବିଶ୍ୱକଲ୍ୟାଣ ହିତରେ ପ୍ରାର୍ଥନା କରିଥିଲେ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି , ୨୯/୧/୨୦୨୧----୧୨,୧୦