ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ହିତାଧିକାରୀ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବୃଦ୍ଧାବସ୍ଥା ଆସିଲେ ଜଣେ ବ୍ୟକ୍ତି ଅସହାୟ ହୋଇପଡେ। ଆର୍ଥିକ ଅବସ୍ଥା ଖରାପ ହୋଇ ପଡିଥାଏ । ଗରିବ ମଣିଷ ପାଇଁ ବୃଦ୍ଧାବସ୍ଥା ଅଭିଶାପ ପାଲଟିଯାଏ। ଏହାକୁ ନଜର କରି ସରକାର ବୃଦ୍ଧ, ବୃଦ୍ଧା ବ୍ୟକ୍ତି,ଅସହାୟ ବିଧବା ମହିଳା ମାନଙ୍କ ସୁବିଧା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଯୋଜନା କରିଛନ୍ତି।କିନ୍ତୁ କେତେକ ସ୍ଥାନରେ ସଂପୃକ୍ତ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଲୋକେ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ବନହର ଗାଁରେ । ଅନେକ ଦିନ ମଜୁରିଆ ମାନେ ବାରମ୍ବାର ସ୍ଥାନୀୟ ପଞ୍ଚାୟତର ଦ୍ୱାରସ୍ଥ ହୋଇଥିଲେ ହେଁ ଏବେବି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି। ଗ୍ରାମର ବାବାଜୀ ଭୁଏ(୬୫),ସହଦେଵ ମେହେର(୭୫),ଇନ୍ଦ୍ରଜିତ ସେଟ(୭୦) ସମେତ ଆଉ ଅନେକ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିବାବେଳେ ଏହି ଗ୍ରାମରେ ସ୍ୱାମୀ ମୃତ୍ୟୁ ହେବାର ଅନେକ ବର୍ଷ ପରେ ମଧ୍ୟ ମନୋରମା ଜଏଡ଼(୩୧),ସୁରଭି ଭୁଏ(୪୦) ଓ ଗୋପ ଡ଼ନସେନା(୬୦) ବିଧବା ଭତ୍ତା ପାଇ ପାରୁନାହାନ୍ତି।ଯୋଗ୍ୟ ବିବେଚିତ ଏହି ହିତାଧିକାରୀ ମାନେ ଅନେକଥର ଭତ୍ତାପାଇଁ ଆବେଦନ କରିଥିଲେ ହେଁ ପ୍ରଶାସନ କର୍ଣ୍ଣପାତ କରୁନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଯଥା ଶୀଘ୍ର ଏମାନଙ୍କୁ ଭତ୍ତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....