ବିଜେଡିର ସାଙ୍ଗଠନିକ ବୈଠକରେ ଦୁଇ ବିରୋଧି ଗୋଷ୍ଠି ମୁହାମୁହିଁ, ପଦାରେ ପଡିଲା ଦଳିୟ ଗୋଷ୍ଠି କନ୍ଦଳ
ଜଗତସିଂହପୁର ----ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ବିଜେଡିର ସାଙ୍ଗଠନିକ ବୈଠକରେ ଦୁଇ ବିରୋଧି ଗୋଷ୍ଠି ମୁହାମୁହିଁ ହୋଇଛନ୍ତି । ଉପନିର୍ବାଚନ ପୂର୍ବରୁ ପଦାରେ ପଡିଲା ଦଳିୟଗୋଷ୍ଠି କନ୍ଦଳ । ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ଦିର୍ଘଦିନର ନିରବତା ପରେ ପୁଣି ବିଜେଡିର ଗୋଷ୍ଠି କନ୍ଦଳ ଜଗତସିଂହପୁର ଜିଲ୍ଲାରେ ପଦାରେ ପଡିଛି। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନକୁ ଆଖିଆଗରେ ରଖି ସ୍ଥାନୀୟ ତେନ୍ତୁଳିପଦା ମୁନିଗୋସାଁଇ ମଠ ପରିସରରେ ଶୁକ୍ରବାର ଅନୁଷ୍ଠିତ ଦଳୀୟ ସାଙ୍ଗଠନିକ ବୈଠକ । ଏଥିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଦେଖାଯାଇଥିଲା । ପୂର୍ବରୁ ଜିଲ୍ଲାରେ ରହି ଆସିଥିବା ବିଷ୍ଣୁ-ରାଜଶ୍ରୀ ଗୋଷ୍ଠି ବିବାଦ ପୁଣି ମୁଣ୍ଡ ଟେକିଥିଲା। ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ବିଜେଡି ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତିରେ ଏହି ବିବାଦ ପଦାରେ ପତିଥିଲା। ଏହି ବୈଠକରେ ଜଳସମ୍ପଦ ଓ ପିଆର ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ସଭାପତିତ୍ବ କରିଥିଲେ । ଜିଲା ପର୍ଯ୍ୟବେକ୍ଷକ ସାମନ୍ତରାୟଙ୍କୁ ପ୍ରଥମେ ବକ୍ତବ୍ୟ ଦେବାକୁ ଡାକିଥିଲେ। ସାମନ୍ତରାୟ ଭାଷଣ ଆରମ୍ଭ କରିବା ପରେ କିଛି ଦଳିୟ କର୍ମୀ ପୂର୍ବତନ ବ୍ଲକ ବିଜେଡି ସଭାପତି ବସନ୍ତ ମହାପାତ୍ରଙ୍କୁ କାହିଁକି ଡକାହୋଇନାହିଁ ବୋଲି ତାଙ୍କୁ ପଚାରିବା ସହ ହୋହାଲ୍ଲା ଆରମ୍ଭ କରିଥିଲେ। ଏହାପରେ ବସନ୍ତ ମହାପାତ୍ର ଜିନ୍ଦାବାଦ, ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସ ଜିନ୍ଦାବାଦ, ତାଙ୍କ ପୁଅ ତଥା ଯୁବ ବିଜେଡି ନେତା ବିଜୟ ଶଙ୍କର ଦାସ ଜିନ୍ଦାବାଦ ନାରା ଦେଇଥିଲେ। ଏହାକୁ କିଛି କର୍ମୀ ବିରୋଧ କରିବାରୁ ଦୁଇ ଗୋଷ୍ଠି ମୁହାମୁହିଁ ହୋଇଥିଲେ। ଏହା ପରେ ହୋହାଲ୍ଲା କରୁଥିବା କର୍ମୀ ମାନେ ବୈଠକ ବର୍ଜନ କରି ସେଠାରୁ ପଳାଇଥିଲେ। ଏହାପରେ ପୁଣି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ହେବାକୁ ଥିବା ଉପନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ରାଜ୍ୟ ଜୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଜଗତସିଂହପୁର ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନି ବିଶ୍ବାଳ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମ଼ହାନ୍ତି, ଜିଲାପରିଷଦ ସଭ୍ୟ ପ୍ରବୀର ରାୟ, ଲିପାଲି ରାଉଳ, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ ପ୍ରମୁଖ ବକ୍ତବ୍ୟ ଦେଇ ଆଗାମି ନିର୍ବାଚନରେ ଦଳ ପାଇଁ ସମସ୍ତେ ଏକାଠି କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମୀଙ୍କୁ ନିବେଦନ କରିଥିଲେ। ଆଜି ଦେଖା ଦେଇଥିବା ଗୋଷ୍ଠି ବିବାଦ ଦଳିୟ ସଙ୍ଗଠନକୁ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି। ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ଅନୁଗତ ମାନଙ୍କୁ ଏହି ବୈଠକରେ ଯେପରି ଭାବରେ କୋଣଠେସା କରାଗଲା ତାହା ସ୍ବର୍ଗତ ବିଷ୍ଣୁ ପ୍ରେମୀଙ୍କୁ ବ୍ୟଥିତ କରିଥିବା ଆଲୋଚନା ହେଉଛି।