ଗବକୁଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଦୁର୍ଦ୍ଧିନ ଅବସ୍ଥାରେ; ୧୦ ହଜାର ଲୋକଙ୍କ ଭାଗ୍ୟ ଫାର୍ମସିଷ୍ଟ ଓସୁଇପରଙ୍କ ହାତରେ
ସାକ୍ଷୀଗୋପାଳ--- ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଉପରେ ବିଶେଷ ଗୁରତ୍ୱ ଦେଉଛନ୍ତି । ସେଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ସ୍ୱାସ୍ଥ୍ୟ ବିଭାଗ ପାଇଁ ଖର୍ଚ୍ଚ କରାଯାଉଛି । ହେଲେ ଏହାକୁ ଦେଖିବାକୁ ପୁରୀ ଜିଲ୍ଲାରେ ଯେପରି କେହି ନାହାନ୍ତି । ଟଙ୍କା ଖର୍ଚ୍ଚ ହେଉଛି କେବଳ କାଗଜ ପତ୍ରରେ । ଏହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଗବକୁଣ୍ଡ ପ୍ରାଥମିକ ଚିକିତ୍ସା କେନ୍ଦ୍ର । ଏହି ଚିକିତ୍ସା କେନ୍ଦ୍ର ପାଇଁ ବିଭାଗୀୟ ଅଧିକାରୀ ମାନେ ଆଖିବୁଜି ଦେଇଥିବା ସ୍ଥାନୀୟ ଜନସାଧାରଣ କହନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ହେବା ସମୟରେ ସେଠାରେ ଜଣେ ଏମ ବି ବି ଏସ ଡାକ୍ତର ନିଯୁକ୍ତି ରହିବା କଥା । ଡାକ୍ତର ଅଭାବ ଆଳ ଦେଖାଇ ଏଠାରେ ଜଣେ ହୋମିଓପ୍ୟାଥି ଡାକ୍ତର ନିଯୁକ୍ତି ଦେଇଛନ୍ତି । ଯାହା ଫଳରେକି ସ୍ୱାସ୍ଥ୍ୟ କେନ୍ଦ୍ରକୁ କେହି ରୋଗୀ ଯାଇନଥାନ୍ତି । କାରଣ ଜଣେ ହୋମିଓପ୍ୟାଥି ଡାକ୍ତର କ’ଣ ମେଡିସିନି ଦେବେ ।ଏଥିଯୋଗୁ ଲୋକମାନେ ଏଠାରେ ଉପଯୁକ୍ତ ଚିକିତ୍ସା ପାଇ ନଥାନ୍ତି । ସେମାନେ ଖର୍ଚ୍ଚାନ୍ତ ହୋଇ ସାକ୍ଷୀଗୋପାଳ, ବଳଙ୍ଗା, ପୁରୀ ଆଦି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି । ବିଗତ ଦିନରେ ରାଇଖଣ୍ଡି , ବାଲିପଡା,ପରଜାପଡା, ବିଦ୍ୟାଧରପୁର, ବଳରାମପୁରଗଡ ଓ ବଳପୁର ପଞ୍ଚାୟତର ପ୍ରା ୨୦ ଖଣ୍ଡଗ୍ରାମର ୧୦ ହଜାର ଲୋକଙ୍କ ମିଳିତ ଉଦ୍ୟମରେ ଗବକୁଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରଟି କରାଯାଇଥିଲା । ସୁଚନାଯୋଗ୍ୟ ରେ ଫନି ବାତ୍ୟାରେ ଷ୍ଟାଫ କ୍ୱାର୍ଟାର ଓ ପାଚେରୀ ଭାଙ୍ଗିରୁଜି ଯାଇଛି । ଏହାକୁ ମରାମତି କରିବା ପାଇଁ ସ୍ଥାନୀୟ ଲୋକମାନେ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ନଜରକୁ ଆଣିଥିଲେ । ବିଧାୟକ ସଙ୍ଗେ ସଙ୍ଗେ ବିଭଗାୀୟ ଅଧିକାରୀଙ୍କୁ ମରାମତି କରିବା ପାଇଁ ସୁପାରିଣ କରିଥିଲେ । ବାତ୍ୟା ଯିବାର ୧୬ ମାସ ପରେ ବି ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ନଜର ଦେଉନାହାନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରଟି ସତ୍ୟବାଦୀ ଅଧିନରେ ରହିଥିବା ବେଳେ ନିମାପଡା ଆରଡି ଅଧିନରେ ରହିଛି ଏହାର ରକ୍ଷଣା ବେକ୍ଷଣ ଦ୍ୱାୟତ୍ୱ । ଯାହା ଫଳରେକି ନିମାପଡା ଆରଡି ଜେଇ ତାଙ୍କ ମନଇଛା କାର୍ଯ୍ୟ କରିଥାନ୍ତି ବୋଲି ରାୟଖଣ୍ଡି ଗ୍ରାମ ପଞ୍ଚାୟତର ନ୍ୟାୟବ ସରପଞ୍ଚ ପ୍ରଫୁଲ ଚନ୍ଦ୍ର ମିଶ୍ର କହନ୍ତି । ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରତି ମାସରେ ଏଠାକୁ ଔଷଧ ଆସୁଛି । ଏଠାକୁ ଯଦିବା କେହି ରୋଗୀ ଆସନ୍ତି ସେମାନ ଔଷଧ ନିଅନ୍ତି ନାହିଁ ତେବେ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସୁଥିବା ସେ ଔଷଧ ଗୁଡିକକୁ ନେଉଛି କିଏସେ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଥିବା ଘୋଟାଲା ପଦାକୁ ଆସି ପାରନ୍ତା ବୋଲି ସ୍ଥାନୀୟ ଲୋକମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି