ଏରସମା ଗଡବିଶୁନପୁର ପଞ୍ଚାୟତ ଶାନ୍ତିମୁନୀ ଗ୍ରାମର ଦୀନବନ୍ଧୁଙ୍କ କରୁଣ କାହାଣୀ
ଜଗତସିଂହପୁର------ଗରିବଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସରକାର ଯୋଜନା ପରେ ଯୋଜନା କରୁଛନ୍ତି।ମାତ୍ର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଯୋଗୁଁ ଗରିବଙ୍କ ପାଖରେ ପହଞ୍ଚିିପାରୁନି ଗରିବ କଲ୍ୟାଣ ଯୋଜନା।ଗରିବଙ୍କ ନାଆଁରେ ଲୁଟି ଖାଉଛନ୍ତି ଦଲାଲ।ଦୁର୍ଦ୍ଦଶା ଭୋଗୁଛନ୍ତି ଗରିବ। ସାଢେ ତିନିଫୁଟ ଉଚ୍ଚ ଭଙ୍ଗାଦଦରା ପଲିଥିନ ଚାଳଘରେ ବିତୁଛି ମାନସିକ ଅନଗ୍ରସର ବାପ ସହ ଦୁଇ ଦିବ୍ୟାଙ୍ଗ ଶିଶୁଙ୍କ ଜୀବନ ।ଦିନକୁ ଦୁଇ ମୁଠା ଖାଇବାକୁ ପାଉନଥିବା ଏହି ଦୀନଦୁଃଖି ପରିବାର ଉପରେ ନା ପଡୁଛି ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡବିଶୁନପୁର ପଞ୍ଚାୟତ ଶାନ୍ତିମୂନୀ ଗ୍ରାମରେ। ଏରସମା ବ୍ଲକ ଗଡବିଶୁନପୁର ପଞ୍ଚାୟତର ଶାନ୍ତିମୂନୀ ଗ୍ରାମରେ ବସବାସ କରନ୍ତି ଦୀନବନ୍ଧୁ ଦାସର ପରିବାର। ପରିବାର କହିଲେ ଷାଠିଏ ବର୍ଷ ବୟସ୍କ ମାନସିକ ଅନଗ୍ରସର ଦୀନବନ୍ଧୁ ଓ ତାର ଦୁଇ ଦିବ୍ୟାଙ୍ଗ ପୁଅ। ସ୍ତ୍ରୀ କେବେଠୁଁ ସ୍ବାମୀ ଓ ଦୁଇ ପୁଅଙ୍କୁ ଛାଡି ଆରପାରିକୁ ଚାଲିଯାଇଛି। ଘରଡିହକୁ ଛାଡି ସେମିତି କିଛି ଜମିବାଡ଼ି ନାହିଁ । ଦିନବନ୍ଧୁଙ୍କୁ କେବଳ ରାସନ ସାମଗ୍ରୀ ଓ ଭତ୍ତା ମିଳୁଥିବା ବେଳେ ଅନ୍ୟ ସରକାରୀ ଯୋଜନା ମିଳିନାହିଁ। ଗୋଟିଏ ସାଢେ଼ ତିନିଫୁଟ ଉଚ୍ଚ ଭଙ୍ଗାଦଦରା ପଲିଥିନ ଘୋଢା ଚାଳଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳକାଟୁଛନ୍ତି ଦୀନବନ୍ଧୁଙ୍କ ପରିବାର। ଶାରୀରିକ ଅକ୍ଷମତା ସାଙ୍ଗକୁ ମାନସିକ ଅନଗ୍ରସରତା ଯୋଗୁଁ କାମଧନ୍ଦା କରିପାରୁନଥିବା ଦୀନବନ୍ଧୁ ବାରଦୁଆରୁ ଭିକ୍ଷାବୃତି କରି ପେଟ ପାଇଁ ଦିନକୁ ଦୁଇମୁଠା ଖାଦ୍ୟ ଯୋଗାଡ କରିବା କଷ୍ଟ ହୋଇପଡିଛି । ଅନ୍ୟପଟେ ୧୦ ଓ ୧୨ ବର୍ଷର ଦୁଇ ଦିବ୍ୟାଙ୍ଗ ପୁଅ ଜଗତସିଂହପୁର ଅନାଥ ଆଶ୍ରମରେ ଥିବା ବେଳେ ଏବେ କରୋନା ମହାମାରୀ ପାଇଁ ଆଶ୍ରମ କର୍ତ୍ତୃପକ୍ଷ ଘରକୁ ପଠାଇଦେଇଛନ୍ତି। ଦୀନଦୁଃଖି ମାନସିକ ଅନଗ୍ରସର ଦୀନବନ୍ଧୁଙ୍କ ସହ ମାଆ ଛେଉଣ୍ଡ ଦୁଇ ଦିବ୍ୟାଙ୍ଗ ଛୋଟ ପୁଅଙ୍କର ଦିନ ବିତୁଛି ଏବେ ଅତି ଦୟନୀୟ ଅବସ୍ଥାରେ । ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ନଥିବା ଦୀନବନ୍ଧୁ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ବିଡ଼ିଓ ଏପରିକି ଜିଲ୍ଲାପାଳଙ୍କ ପାଖରେ ଘର ଖଣ୍ଡେ ପାଇଁ ଆପତ୍ତି କରିଥିଲେ ମଧ୍ୟ କେହି ଶୁଣୁନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ଦୀନବନ୍ଧୁଙ୍କର ଏକ ଚିଙ୍ଗୁଡ଼ି ଘେରି ଜମିକୁ ଗ୍ରାମର କିଛି ସହୃଦୟ ବ୍ୟକ୍ତି ଜନୈକ ବ୍ୟକ୍ତିଙ୍କୁ ଲିଜ ସୂତ୍ରରେ ଦେଇ ତାର ପ୍ରତିବଦଳରେ ତିରିଶ ହଜାର ଟଙ୍କା ଦୀନବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଇଥିଲେ।ଦୀନବନ୍ଧୁଙ୍କୁ ମିଳିଥିଲା ଏକ ବାରହଜାର ଟଙ୍କିଆ ପାଇଖାନା ।ପାଇଖାନା ନିର୍ମାଣ କରାଇଦେବା ପାଇଁ ଟଙ୍କା ଗଣି ପାରୁନଥିବା ଦୀନବନ୍ଧୁଙ୍କୁ ପାଇଖାନା କରାଇଦେବା ଆଳରେ ଅନଗ୍ରସରତାର ସୁଯୋଗ ନେଇ କିଛି ବ୍ୟକ୍ତି ବ୍ୟାଙ୍କକୁ ବାରମ୍ବାର ଡାକିନେଇ ପାଇଖାନା ଅର୍ଥ ସହ ଦୀନବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଗଛିତ ଅର୍ଥ ଲୁଟିନେଇଥିବା ଅଭିଯୋଗ ହୋଇଛି। ଏପରିକି ଦୀନବନ୍ଧୁଙ୍କ ନାମରେ ପୁର୍ବରୁ ୨୨ହଜାର ଟଙ୍କା ବ୍ୟୟ ଅଟକଳରେ ଇନ୍ଦିରାଆବାସ କାର୍ଯ୍ୟାଦେଶ କରାଯାଇଥିବା ପ୍ରଶାସନିକ ଦପ୍ତରରୁ ଜଣାପଡୁଥିବା ବେଳେ ଦୀନବନ୍ଧୁଙ୍କ କୌଣସି ଘରନିର୍ମାଣର ଚିହ୍ନବର୍ଣ୍ଣ ନଥିବା ବେଳେ କେହି ଦଲାଲ ଜାଲ ଦସ୍ତଖତ କରି ସେଥିରୁ ପାଞ୍ଚହଜାର ଟଙ୍କା ଉଠାଇ ନେଇଛନ୍ତି।ଯାହାକୁ ଆଳକରି ପ୍ରଶାସନ ଆଉ ଦୀନବନ୍ଧୁଙ୍କୁ ଆବାସ ଯୋଜନାରେ ସାମିଲ କରୁନାହାନ୍ତି।ବର୍ତ୍ତମାନ ଗଡବିଶୁନପୁର ସରପଞ୍ଚଙ୍କ ଓଳିମୂଳେ ଥିବା ଭଙ୍ଗାଦଦରା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦୀନବନ୍ଧୁଙ୍କ ପରିବାର କାଳକାଟୁଥିବା ବେଳେ ସରପଞ୍ଚ ଏଥିପ୍ରତି ଦୃଷ୍ଟି ନଦେବା ଘଟଣା ଜନପ୍ରତିନିଧିଙ୍କ ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଗୋଟିଏ ପଟେ ମଣିଷପଣିଆ ହରାଇଥିବା କେତେକ ଲୋକ ଦୀନବନ୍ଧୁଙ୍କ ମାନସିକ ଅନଗ୍ରସରତାର ସୁଯୋଗ ନେଇ ଠକିଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ଦୀନଦରିଦ୍ର ମାନସିକ ଅନଗ୍ରସର ଦୀନବନ୍ଧୁଙ୍କୁ ଘରଖଣ୍ଡେ ଯୋଗାଇପାରିନାହିଁ।ଘରକରି ନପାରୁଥିବା ଅନଗ୍ରସର ପରିବାରଙ୍କୁ ପକ୍କାଘର କରିଦେବା ପାଇଁ ବିଗତ ଦିନରେ ଏରସମା ବ୍ଲକ ପ୍ରଶାସନ ଠିକାଦାର ଓ ଏନଜିଓ ମାନଙ୍କୁ ଦାୟିତ୍ୱ ଦେବାର ନଜିର ଥିବା ବେଳେ ଏହି ଗରିବ ମାନସିକ ଅନଗ୍ରସର ଦୀନବନ୍ଧୁଙ୍କ ପରିବାରକୁ ଘର କରାଇନଦେବା ପଛରେ କ'ଣ ରହସ୍ୟ ରହିଛି ବୋଲି ଲୋକମାନେ କହନ୍ତି ।ଏହି ପରିବାରର ଦୁଃଖ କାହାଣୀ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜଣାଇବାରୁ ଦୀନବନ୍ଧୁ ରାସନ, ଭତ୍ତା ପାଉଛି।ପ୍ରଥମେ ତାକୁ ଇନ୍ଦିରାଆବାସ ଦିଆଯାଇଥିଲା ସେ ପାଞ୍ଚହଜାର ଟଙ୍କା ନେଇ ଘର କରୁନଥିବାରୁ ଆଉ ଘର ମିଳୁନି, ପାଞ୍ଚହଜାର ଫେରାଇଲେ ଘର ମିଳିବ ବୋଲି ଗତ ଚାରିଦିନ ତଳେ କହିଥିଲେ।ମାତ୍ର ଆଜି ପୁନର୍ବାର ସମାନ କଥା ପଚାରିବାରୁ ଦୀନବନ୍ଧୁଙ୍କୁ ବିଜୁ ପକ୍କାଘର ମିଳିଛି ସେ ଦଶହଜାର ଟଙ୍କା ନେଇଛି ଘର କରୁନି ବୋଲି ବିଡ଼ିଓ କହିଛନ୍ତି।ମାତ୍ର ଘରପାଇଁ କୌଣସି ଟଙ୍କା ସେ ନେଇନାହିଁ ବୋଲି ଦୀନବନ୍ଧୁ କହିଛନ୍ତି।ବିଡିଓଙ୍କ ଦିପ୍ରକାର ଉତ୍ତର ସାଙ୍ଗକୁ ଦୀନଦୁଃଖି ଦୀନବନ୍ଧୁଙ୍କ କରୁଣ କାହାଣୀକୁ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ମୁହଁ ଲୁଚାଇ ଉତ୍ତର ଦେଉନାହାଁନ୍ତି।କାଗଜପତ୍ର ଠିକ ରଖି ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରା ବାସ୍ତବତାକୁ ଲୁଚାଉଛନ୍ତି କି ଦୀନବନ୍ଧୁ ମିଛ କହୁଛନ୍ତି ତାହା ଦୀନବନ୍ଧୁଙ୍କ କରୁଣ କାହାଣୀ ଲୋକଲୋଚନକୁ ଆସିବା ପରେ ଦ୍ୱନ୍ଦ ସୃଷ୍ଟି କରିଛି।ଇନ୍ଦିରାଆବାସ, ବିଜୁପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏରସମା ବ୍ଲକ ପ୍ରଶାସନ ଓ ଦଲାଲ ମାନଙ୍କ କାରନାମା ପଦାକୁ ଆସି ଦୀନବନ୍ଧୁଙ୍କ ପରି ଅନେକ ଅସହାୟ ପରିବାର ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର
: