ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ;
ଜଗତସିଂହପୁର-----ମହିଳାଙ୍କୁ ହତ୍ୟାକଲେ ଶାଶୁଘର ଲୋକ । ହତ୍ୟାକରି ଆତ୍ମହତ୍ୟାର ରୁପଦେବାକୁ ଉଦ୍ୟମ କରାଯାଉଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗୋଡା ପଞ୍ଚାୟତ ଆଉଁରୀ ବୀରକିଶୋରପୁର ଗ୍ରାମରେ । ବୀରକିଶୋରପୁର ଗ୍ରାମର ବାବୁଲି ଜେନାଙ୍କ ପତ୍ନୀ ଲକ୍ଷ୍ମୀ ପ୍ରିୟାଙ୍କର ଗତ୨୪ତାରିଖ ସୋମବାର ପୂର୍ବାହ୍ନରେ ସଂଦେହଜନକ ମୃତ୍ୟୁ ହୋଇଛି । ଶାଶୁଘର ଲୋକେ ଲକ୍ଷ୍ମୀପ୍ରିୟାକୁ ଦିର୍ଘଦିନ ଧରି ନିର୍ଯ୍ୟାତନା ଦେଇଆସୁଥିଲେ । ବାପଘର ପକ୍ଷରୁ ଏରସମା ଥାନାରେ ଅଭିଯୋଗ ହେବାରୁ ଗତକିଛି ଦିନ ତଳେ ଏରସମା ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ମିଳାମିଶା ହୋଇଥିଲା । ଲକ୍ଷ୍ମୀପ୍ରିୟାଙ୍କର ଦୁଇଟି ସାତବର୍ଷୀୟ ଯାଆଁଳା ଶିଶୁପୁତ୍ର ଥିବା ବେଳେ ଗତ ସୋମବାର ଦିନ ତାର ସ୍ୱାମୀ ବାବୁଲି,ଦୁଇ ନଣଦ,ଦୁଇ ନଣଦେଇ,ଓ ଶାଶୁ ମିଳିତଭାବେ ଲକ୍ଷ୍ମୀପ୍ରିୟାକୁ ହତ୍ୟାକରିଥିବା ଏରସମା ଥାନାରେ ଅଭିଯୋଗ କରିଛନ୍ତି ବାପଘର ଲୋକ ।ଲକ୍ଷ୍ମୀପ୍ରିୟାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି ଖବରପାଇ ଏରସମା ପୋଲିସ ଘଟଣାର ଅନୁସଂନ୍ଧାନ କରିବା ସହ ସ୍ୱାମୀ ବାବୁଲି ଜେନାକୁ ଗିରଫ କରିଛନ୍ତି । ଜଣାପଡିଛି ଯେ ଏରସମା ଥାନା କୁଞ୍ଜକୋଠି ଗ୍ରାମର ସମୀର ପ୍ରଧାନଙ୍କ ଝିଅ ଲକ୍ଷ୍ମୀପ୍ରିୟା ପ୍ରଧାନ ବିଗତ ୨୦୦୯ ମସିହାରେ ବାବୁଲି ଜେନାଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ଲକ୍ଷ୍ମୀପ୍ରିୟାକୁ ଶାଶୁଘର ଲୋକମାନେ ନିର୍ଯ୍ୟାତନା ଦେଇ ଆସୁଥିଲେ । ଶାଶୁଘରେ ରହୁଥିବା ଦୁଇ ବିବାହିତ ନଣଦ ଓ ସେମାନଙ୍କ ସ୍ୱାମୀ, ଶାଶୁ ଓ ସ୍ୱାମୀ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ ।ତେବେ ଲକ୍ଷ୍ମୀପ୍ରିୟାଙ୍କ ସନ୍ଦେହଜନକ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି ବାପଘର ଲୋକ ଅଭିଯୋଗ କରିବା ସହ ଏରସମା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଶବ ଜବତ କରି ଏକ କେସ ରୁଜୁ କରି ତଦନ୍ତ ଜାରି ରଖିଛି । ଶବ ବଚ୍ଛେଦ ରିପୋର୍ଟ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର