Breaking News

ସାତଶଙ୍ଖ ମଦଦୋକାନ ଲୁଟ୍ ମାମଲାରେ ୩ ଅଭିଯୁକ୍ତ ଜେଲ ଗଲେ


ପିପିଲି -ପିପିଲି ଥାନା ଅଧିନସ୍ଥ ସାତଶଙ୍ଖ ବଜାର ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଗତ ୧୫ ତାରିଖ ରାତିରେ  ଟଙ୍କା ଓ ମଦ ଚୋରି ହୋଇଥିଲା ।  ଘଟଣାରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଆଜି ଗିରଫ କରି ପିପିଲି କୋର୍ଟକୁ ଚାଲାଣ କରିଛି ।  ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି  । ପୋଲିସ ସେମାନଙ୍କ ନିକଟରୁ ନଗଦ ୭ହଜାର ଟଙ୍କା, ବିଭିନ୍ନ ବ୍ରାଣ୍ଡର କେତେକ ବିଦେଶୀ ମଦ ସମେତ ୩ଟି ବାଇକକୁ ଜବତ କରିଛି ।
ପ୍ରାପ୍ତ ସୂଚନା ଅନୁଯାଇ, ୧୫ ତାରିଖ ବିଳମ୍ବିତ ରାତିରେ ସାତଶଙ୍ଖ ବଜାର ଠାରେ ଥିବା ବିଦେଶୀ ମଦ ଦୋକାନର ଲୁହା ସଟରକୁ ଭାଙ୍ଗି କେତେକ ଦୁର୍ବୁତ୍ତ ଦୋକାନ ମଧ୍ୟରେ ପ୍ର୍ରବେଶ କରିବା ସହ ଦୋକାନରୁ  ନଗଦ ୭ଲକ୍ଷ ଟଙ୍କା ସମେତ ୩ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମଦକୁ ଲୁଟି ନେଇଥିଲେ । ଏ ସଂପର୍କରେ ମଦଦୋକାନର ମାଲିକ ପ୍ରଦୀପ ମିଶ୍ର ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତେବେ ସେହି ୧୫ ତାରିଖ ରାତିରେ ସାତଶଙ୍ଖ ବଜାର ଠାରେ ଘଟିଥିବା ଦୋକାନ ପୋଡି ଓ ଲୁଟ୍ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଠାରୁ ଏହି ମଦଦୋକାନ ଲୁଟ୍ ସଂପର୍କରେ ପୁଲିସକୁ ସୁରାକ ମିଳିଥିଲା । ଦୋକାନ ପୋଡି ମାମଲାରେ ୧୯ ତାରିଖରେ ଗିରଫ ହୋଇଥିବା ଅଭିଯୁକ୍ତ ମୋହନ ଓରଫ ମନୋଜ ସାହାଣୀ (୨୮) ଏହି ମଦଦୋକାନ ଲୁଟ୍ ଘଟଣାରେ ସଂପୃକ୍ତ ଥିବାର ସ୍ୱିକାର କରିବା ସହ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ସଂପର୍କରେ ପୁଲିସକୁ କହିଥିଲା । ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ସାତଶଙ୍ଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାସ ଓ ଅନ୍ୟ କେତେକ ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ସାତଶଙ୍ଖ  ନିକଟବର୍ତି କୁମାରେଶ୍ୱର ଅଞ୍ଚଳର ଦିପୁ ଓରଫ ବନମାଳି ବେହେରା (୨୫), ନିମାପଡା ଥାନା ପାଟପୁର ଅଞ୍ଚଳର ଅନାଥ ଦାସ (୨୮) ଓ କଣାସ ମନ୍ଦାରବସ୍ତ ଅଞ୍ଚଳର ପ୍ରୀତିରଞ୍ଜନ ସେନାପତି ଓରଫ ମିଲୁ (୨୪)କୁ ପିପିଲି ପୋଲିସ ଗିରଫ କରିବାରେ ସଫଳ ହୋଇଥିଲେ । ଘଟଣାରେ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତ ନିମାପଡା ଥାନା ଅଞ୍ଚଳର ଦୀପକ ମଲ୍ଲିକକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।
 ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts