Breaking News

ଜବରଦଖଲ କାରୀଙ୍କ କବଜାରେ ଜଟଣୀ ମୁଖ୍ୟରାସ୍ତା





ଜଟଣୀ : ଜଟଣୀ ପୌରାଞ୍ଚଳରେ ସରକାରୀ ଜମି ଜବରଦଖଲ ଏକ ମହାମାରୀରେ ପରିଣତ ହୋଇଛି ।  ତହସିଲ ପ୍ରଶାସନର ନିଷ୍କ୍ରିୟତାର ସୁଯୋଗ ଓ ପୌର ପ୍ରଶାସନ ଏବଂ ଦଖଲକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । କିଛି ମୁଷ୍ଠିମେୟ ବ୍ୟକ୍ତି ପ୍ରତିଯୋଗୀତା ପୂର୍ଣ୍ଣ ଭାବେ ଏହି ସୁବିଧା ହାତେଇବାରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି l ସହରର ପୌରପାଳିକା ନିକଟସ୍ଥ ଶ୍ରୀବତ୍ସ୍ଛପାଠାଗାର ସମ୍ମୁଖ ଠାରୁ ସରକାରି ବାଳିକା ଉଚ୍ଚବିଦ୍ୟାଳୟ ଅଞ୍ଚଳରେ ଥିବା ସରକାରୀ ଜମି ଜବର୍ ଦଖଲକାରୀଙ୍କ ଭୂସ୍ୱର୍ଗ ପାଲଟିଛି । ବାଉଁଶ ବlଡ଼ କରି ଜମି ଓଗାଳିବା ସହ କେବିନ ପକାଇବା ସହ ପକ୍କା ଛାତ ପକାଇ ଦୋକାନ ବଜାର ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଥିବା ବେଳେ ଖୋଦ୍ ପୌରପାଳିକା ମଧ୍ଯ ଏଥିରୁ ବାଦ୍ ଯାଇନାହିଁ l ସେପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଟିଣ ଚାଦରର ଭେଣ୍ଡିଂ ଜୋନ୍ ଗୃହ ଗୁଡିକ କଳଙ୍କି ଲାଗି ଚତୁଃପାର୍ଶ୍ଵରେ ବଣବୁଦା ସ୍ରୁଷ୍ଟି ହୋଇଥିବା ବେଳେ ସେଗୁଡିକ କିପରି ବ୍ୟବହାର କରାଯିବ ସେ ବିଷୟରେ ଚିନ୍ତା ନକରି ରାସ୍ତା କଡ଼ରେ ଅନ୍ୟମାନଙ୍କ ଭଳି ବେଆଇନ୍ ଦୋକାନ ଗୃହ ନିର୍ମାଣ କରି ଜବରଦଖଲ କାରୀମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଆଶ୍ଚର୍ଯ୍ୟର କଥା ଦେଢ଼ବର୍ଷ ତଳେ ବାଳିକା ଉଚ୍ଚ ବିଦ୍ୟାଳୟକୁ କାମ ତଦାରଖ କରିବା ପାଇଁ ଖୋଦ୍ ତତ୍କାଳୀନ ପୌର ପ୍ରଶାସକ ତଥା ଭୁବନେଶ୍ବର ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯିବା ଆସିବା ଜାରି ରଖିଥିଲେ ମଧ୍ୟ ବେଧଡ଼କ ଭାବେ ରାସ୍ତା କଡ ସରକାରି ଜମି ଅଧିଗ୍ରହଣ ହୋଇ ଚାଲିଛି । ପ୍ରଶାସନ ଏ ଦିଗରେ ଧୃତରାଷ୍ଟ୍ର ସାଜିବା, ସ୍ଵଚ୍ଛତା ଓ ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏହିପ୍ରକାର ସହରର ମୁଖ୍ୟ ରାସ୍ତା ରାମଚନ୍ଦ୍ରପୁର ମୌଜା, ପ୍ଲଟ ନଂ ୫୦୮/ଖାତା ୨୮୮/ଏରିଆ ୩୯୦ ଡ଼ିସିମିଲ(ନୟାଗଡ ପିପିଲି ମୁଖ୍ୟ ରାସ୍ତା),ପୌରପାଳିକା ଚତୁଃପାର୍ଶ୍ଵ, ଥାନା ଚତୁର୍ପାଶ୍ୱ ସରକାରୀ ଜମି ,ଟାଉନ ଖାସ୍ ମାହାଲ ମୌଜା ଅଞ୍ଚଳରେ ଥିବା ଭାରତ ସଂଚାର ନିଗମ କାର୍ଯ୍ୟାଳୟ ପଛ ଗଳି ପ୍ଲଟ ନଂ ୯୦/ଖାତା ୨୩୫/ କିସମ ରାସ୍ତା(ଏରିଆ ୧ ଏକର ୨୦ ଡ଼ିସିମିଲ),ଥାନା ଛକରୁ ତିରିମଲ ରାସ୍ତା ପାର୍ଶ୍ୱରେ ଥିବା ପ୍ଲଟ ନଂ ୭୭, ଖାତା ୨୩୫, ସର୍ବସାଧାରଣ ରାସ୍ତା ୨ ଏକର ୨୦୭
ଡ଼ିସିମିଲ । ସେହିପରି ମ୍ୟୁନିସିପାଲଟି ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ନବ ନିର୍ମିତ ଦୋକାନ ଗୃହ ଓ ଆଖପାଖର ଗଳି କନ୍ଦିରେ ହୋଇଚାଲିଥିବା ଅବରୋଧ ଯୋଗୁଁ ରାସ୍ତା ସଂକୁଚିତ ହୋଇ ଜନସାଧାରଣଙ୍କ ଯିବାଆସିବାରେ ବାଧା ସୃଷ୍ଟି ହେଉଛି l ଦେଖିବାକୁ ଗଲେ ନୀଳଚକ୍ର ମାର୍କେଟ, ରାଜାବଜାର ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲାଣି ଯାହାକି ସନ୍ଧ୍ୟା ହେଲେ ସେହି ବଜାରକୁ ପାଦରେ ଚାଲିକରି ଯିବା କଷ୍ଟ ସାଧ୍ୟ୍ୟ ହୋଇପଡ଼ିଲାଣି l ଅନେକ ଅଭିଯୋଗ ସତ୍ୱେ ପ୍ରଶାସନ ଚୁପ l  ରାସ୍ତା କଡ ସରକାରୀ ଜମିକୁ ବେଆଇନ ଭାବେ ନିର୍ମାଣଧୀନ ଦୋକାନ ଗୃହ ଉଚ୍ଛେଦ କରି ସରକାରୀ ଜମିର ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଖୋଦ୍ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି l ଯଦି ଏଭଳି ପରିସ୍ଥିତି ଆଗକୁ ଚାଲେ ତେବେ ଆହୁରି ଜଟିଳ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ଯାହାକି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେବାରେ କଷ୍ଟକର ହୋଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୧୦/୨୦୨୪----୯,୫୦ Sakhigopal News,22/10/2024

Blog Archive

Popular Posts